Unknown

 

 

 

 

 

 

 

 

 

 

ପୁରାଣ କଥା ଲହରୀ

ପ୍ରଥମ ତରଙ୍ଗ

ଶ୍ରୀ ଗଙ୍ଗାଧର ମହାପାତ୍ର

 

ସୂଚୀପତ୍ର

 

୧.

ସନ୍ନ୍ୟାସୀ ଓ ଶବର

୨.

ଭକ୍ତବୀର ମୟୂରଧ୍ୱଜ

୩.

ଅତ୍ରିଙ୍କ ସ୍ୱର୍ଗ

୪.

କର୍ତ୍ତବ୍ୟନିଷ୍ଠ କୃଷକଭକ୍ତ

୫.

ଗୁରୁଭକ୍ତି

୬.

ବିଶ୍ୱାମିତ୍ରଙ୍କର ତପସ୍ୟା

୭.

ଜନକ ଓ ବ୍ୟାସ

୮.

ସୁନ୍ଦ ଓ ଉପସୁନ୍ଦ

Image

 

ଭୂମିକା

 

କେତେକ ଦିନ ହେଲା ଶିକ୍ଷା-ବିଭାଗୀୟ କର୍ତ୍ତୃପକ୍ଷମାନେ ଛାତ୍ରମାନଙ୍କର ଧର୍ମଶିକ୍ଷା ପ୍ରତି ଦୃଷ୍ଟି ଦେଇଅଛନ୍ତି । କିନ୍ତୁ ତନ୍ନିମିତ୍ତ କୌଣସି ନିର୍ଦ୍ଦିଷ୍ଟ ପାଠ୍ୟପୁସ୍ତକ ସ୍ଥିରୀକୃତ ହୋଇନଥିବାରୁ ଶିକ୍ଷକମାନେ ନିଜ ନିଜର ରୁଚି ଅନୁସାରେ ଉକ୍ତ ଶିକ୍ଷାକାର୍ଯ୍ୟ ସମାଧାନ କରୁଅଛନ୍ତି । ଧର୍ମ ବିଷୟ ଯେ କେଡ଼େ ଜଟିଳ ତାହା କାହାକୁ ବୁଝାଇବାକୁ ହେବ ନାହିଁ । ବିଶେଷତଃ ସୁକୁମାରମତି ବାଳକମାନଙ୍କ ପକ୍ଷରେ ଉକ୍ତ ତତ୍ତ୍ୱ ହୃଦୟଙ୍ଗମ କରିବା ଅଧିକତର କଠିନ । ପ୍ରଥମେ ସେମାନଙ୍କୁ ଧର୍ମସମ୍ୱନ୍ଧୀୟ ନାନା ଶ୍ରେଣୀର ଗଳ୍ପ ଅଧ୍ୟୟନ କରିବାକୁ ଦେଇ, ସେମାନଙ୍କ ମନ ମଧ୍ୟରେ ଈଶ୍ୱରଭକ୍ତି, ଧର୍ମବିଶ୍ୱାସ ଓ ନୈତିକ-ସାହସ ଜନ୍ମାଇବା ଆବଶ୍ୟକ । ତାହାହେଲେ ସେମାନେ କ୍ରମେ କ୍ରମେ ଧର୍ମର ଜଟିଳ ପଥରେ ଅଗ୍ରସର ହୋଇପାରିବେ । ଧର୍ମଶିକ୍ଷା ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ଅନେକ ପୁସ୍ତକ ଲେଖା ହୋଇଗଲାଣି । ସେଥିରେ ସେ ଗଳ୍ପ ନାହିଁ, ଏହା ନୁହେଁ । ଅନେକ ମଧ୍ୟ ଉପସ୍ଥିତ ପୁସ୍ତକଟିରେ ଥିବା ଗଳ୍ପଠାରୁ ଅଧିକ ଶିକ୍ଷାପ୍ରଦ ଓ ଚିତ୍ତାକର୍ଷକ ହୋଇପାରେ-। ତାହା ହେଲେ ମଧ୍ୟ ପରିମାଣ ଯେତେ ବେଶି ହେବ ତେତେ ସାହିତ୍ୟର ଉନ୍ନତି ଓ ଦେଶବାସୀଙ୍କ ପକ୍ଷରେ ମଙ୍ଗଳଜନକ । ମୁଁ କେତେକ ଦିନ ପୂର୍ବରୁ ଅନେକ ଗୁଡ଼ିଏ ଧର୍ମସମ୍ୱନ୍ଧୀୟ ଗଳ୍ପ ଲେଖିଥିଲି-। ବର୍ତ୍ତମାନ ମୋର କେତେକ ବନ୍ଧୁଙ୍କଦ୍ୱାରା ଉତ୍ସାହିତ ହୋଇ ସେଗୁଡ଼ିକ ମଧ୍ୟରୁ କେତେଗୋଟି ବାଛି ଓ ଆଉ କେତୋଟି ନୂତନ ସଂଗ୍ରହ କରି, ତାହା ଏକତ୍ର ପ୍ରକାଶ କରିବାକୁ ସାହସ କଲି ।

 

ଗଳ୍ପ ଗୁଡ଼ିକର ଶ୍ରେଣୀ-ବିଭାଗ ବା ସଂକ୍ଷିପ୍ତ ବିବରଣ ଏହି କ୍ଷୁଦ୍ର ଭୂମିକାରେ ପ୍ରକାଶ କରିବା ଅନାବଶ୍ୟକ । କେବଳ ଏତିକିମାତ୍ର କହିଲେ ଯଥେଷ୍ଟ ହେବ ଯେ, ଭକ୍ତି, ବିଶ୍ୱାସ, ଚରିତ୍ରବତ୍ତା ପ୍ରଭୃତି ସଦ୍‌ଗୁଣଗୁଡ଼ିକ ପ୍ରତି ଲକ୍ଷ୍ୟ ରଖି ମୁଁ ଏହି ଗଳ୍ପଗୁଡ଼ିକୁ ଲେଖିଅଛି । ଏହା ଯେପରି ଛାତ୍ର ଓ ଅନ୍ୟାନ୍ୟ ଜନସାଧାରଣଙ୍କର ସୁପାଠ୍ୟ ହେବ, ଏଥିପ୍ରତି ଯଥାସାଧ୍ୟ ଚେଷ୍ଟା କରିଅଛି । ପୁସ୍ତକଟି ଦ୍ୱାରା ପାଠକମାନଙ୍କର ସନ୍ତୋଷ ଓ ଉପକାର ହେଉଥିବାର ଜାଣିଲେ ମୋର ପରିଶ୍ରମ ସଫଳ ହେବ । ପୁରାଣ କଥା ଲହରୀର ପ୍ରଥମ ଓ ଦ୍ୱିତୀୟ ତରଙ୍ଗ ବ୍ରହ୍ମପୁର ଷ୍ଟୁଡେଣ୍ଟ୍‌ ଷ୍ଟୋର ପ୍ରକାଶ କରିବାର ଭାର ନେଇ ଥିବା ଯୋଗୁଁ ତାଙ୍କ ନିକଟରେ ମୁଁ କୃତଜ୍ଞ ରହିଲି ।

 

। ଇତି ।

ପ୍ରଣେତା

Image

 

ସନ୍ନ୍ୟାସୀ ଓ ଶବର

 

କୌଣସି ଗ୍ରାମରେ ଜଣେ ବ୍ରାହ୍ମଣ ଥିଲେ । ସେ ଯେପରି ଧନୀ ସେହି ପରି ମଧ୍ୟ ପଣ୍ଡିତ ଥିଲେ । ସେ ସର୍ବଦା ନାନା ପ୍ରକାର ଧର୍ମଶାସ୍ତ୍ର ପାଠ କରି ଈଶ୍ୱରଙ୍କ ବିଷୟରେ ଅନେକ ତତ୍ତ୍ୱ ଜାଣିପାରିଥିଲେ । ତାହାଙ୍କର ଅନେକ ଧନ ସମ୍ପତ୍ତି ଥିଲା ସତ୍ୟ; କିନ୍ତୁ ସେ ତାହା ପ୍ରତି ତେତେ ଅନୁରକ୍ତ ଥିବାର ଜଣାଯାଉ ନଥିଲା । କାରଣ, ସେ ସର୍ବଦା କେବଳ ଶାସ୍ତ୍ର ପାଠ କରୁଥାନ୍ତି । ଅନ୍ୟ କୌଣସି ବିଷୟ ବୁଝିବା ବା କାହାରି ସଙ୍ଗେ ବୃଥା ଗଳ୍ପ ଓ ଆମୋଦ ପ୍ରମୋଦ କରିବାକୁ ତାହାଙ୍କୁ ସମୟ ମିଳେ ନାହିଁ । ବ୍ରାହ୍ମଣ ଅତ୍ୟନ୍ତ ନିଷ୍ଠାପର ଥିଲେ । ସ୍ନାନ, ପୂଜା, ଆହାର ପ୍ରଭୃତି ପ୍ରତ୍ୟେକ କାର୍ଯ୍ୟରେ ସେ ଅତ୍ୟନ୍ତ ପବିତ୍ର ଥିଲେ । କଳି, ଦ୍ୱନ୍ଦ, ପରନିନ୍ଦା, ପରହିଂସା ପ୍ରଭୃତି କାର୍ଯ୍ୟକୁ ସେ ଅତ୍ୟନ୍ତ ଘୃଣା କରୁ ଥିଲେ ।

 

ମନୁଷ୍ୟ ଦୋଷଶୂନ୍ୟ ହେବା ସହଜ କଥା ନୁହେଁ । ବ୍ରାହ୍ମଣ ଅନେକ ଗୁଡ଼ିଏ ଭଲ ଗୁଣ ଅର୍ଜନ କରିଥିଲେ ସତ୍ୟ, କିନ୍ତୁ ତାହାଙ୍କ ଠାରେ କେତେ ଗୋଟି ଦୁର୍ଗୁଣ ମଧ୍ୟ ଥିଲା । ସେ ବଡ଼ ଅଭିମାନୀ ଓ ସ୍ୱାର୍ଥପର ଥିଲେ । ସେ ମନେ କରୁଥିଲେ ଯେ, ସଂସାର ମଧ୍ୟରେ ତାଙ୍କୁ ବଳି ଅଧିକ ବିଦ୍ୱାନ୍‌ ଓ ନିଷ୍ଠାପର ବ୍ରାହ୍ମଣ କେହି ନାହାନ୍ତି । ମୂର୍ଖ ଓ ନିର୍ଦ୍ଧନ ଲୋକଙ୍କୁ ସେ ଅନ୍ତରର ସହିତ ଘୃଣା କରୁଥିଲେ । ସେମାନଙ୍କ ସହିତ କୌଣସି ବିଷୟରେ ଆଳାପ କରିବାକୁ ବା ସେମାନଙ୍କୁ କୌଣସି ବିଷୟରେ ସାହାଯ୍ୟ କରିବାକୁ ସେ ବିଶେଷ କୁଣ୍ଠିତ ହେଉଥିଲେ । ତାହାଙ୍କର ଏହି ମନ୍ଦ ସ୍ୱଭାବଟି ପ୍ରଥମେ ପ୍ରଥମେ ପ୍ରକାଶ ପାଉ ନଥିଲା, ମାତ୍ର ଦୋଷ କେତେ ଦିନ ଲୁଚି ରହିବ ? କ୍ରମେ କ୍ରମେ ଲୋକେ ତାଙ୍କଠାରେ ଏହି ଦୁର୍ଗୁଣଟି ଥିବାର ବେଶ୍‌ ଜାଣିପାରିଥିଲେ । ବିଶେଷତଃ ନିର୍ମଳ ପଦାର୍ଥରେ ସାମାନ୍ୟ କଳାଦାଗଟିଏ ଯେପରି ସ୍ପଷ୍ଟ ଦେଖାଯାଏ, ମଳିନ ପଦାର୍ଥ ଉପରେ ସେପରି ଦେଖାଯାଏ ନାହିଁ । ବ୍ରାହ୍ମଣ ଶୁଦ୍ଧପୂତ ଥିବାରୁ ତାହାଙ୍କର ଏହି ଦୋଷଗୁଡ଼ିକୁ ଲୋକେ ସାଧାରଣତଃ ନିନ୍ଦା କରୁଥିଲେ । ବ୍ରାହ୍ମଣ ମଧ୍ୟ ନିଜର ଦୋଷ ବୁଝିପାରି ଅନେକ ସମୟରେ ସେ ଗୁଡ଼ିକର ସଂଶୋଧନ ଚେଷ୍ଟା କରୁଥିଲେ ।

 

କାଳର ଗତି ବିଚିତ୍ର । କ୍ଷଣକ ମଧ୍ୟରେ ସଂସାରର କେତେ କେତେ ପରିବର୍ତ୍ତନ ଘଟିଯାଉଅଛି । ବ୍ରାହ୍ମଣଙ୍କ ଗୃହରେ କୌଣସି କାରଣରୁ ବିବାଦ ଉପସ୍ଥିତ ହେଲା । ଅଭିମାନୀ ବ୍ରାହ୍ମଣ ସ୍ତ୍ରୀ ପୁତ୍ରାଦି ଆତ୍ମୀୟ ପରିଜନମାନଙ୍କୁ ଏକାବେଳକେ ତ୍ୟାଗକରି ଚାଲିଗଲେ । ବର୍ତ୍ତମାନ ତାହାଙ୍କ ମନରେ ସମସ୍ତଙ୍କ ପ୍ରତି ଘୃଣା ଓ ଅବିଶ୍ୱାସ ହେବାକୁ ଲାଗିଲା । ମନୁଷ୍ୟ ଚାରିଆଡ଼ୁ ଉପାୟହୀନ ହେଲେ ଈଶ୍ୱରଙ୍କୁ ଡାକେ । ବିଶେଷତଃ ବ୍ରାହ୍ମଣଙ୍କ ହୃଦୟରେ ପୂର୍ବରୁ ଟିକିଏ ଭକ୍ତିଭାବ ଥିଲା । ସେ ସନ୍ନ୍ୟାସୀ ହୋଇ ତପସ୍ୟା କରିବେ ବୋଲି ମନେ ମନେ ସ୍ଥିର କଲେ । ସଂସାରର କୋଳାହଳ ତାହାଙ୍କୁ ଭଲ ଲାଗିଲା ନାହିଁ । ଈଶ୍ୱରଙ୍କୁ ପାଇବା ପାଇଁ ତାହାଙ୍କ ମନରେ ଇଚ୍ଛା ଜାତ ହେଲା । ସେ ଗୋଟିଏ ଦୂର ଦେଶକୁ ଯାଇ, ଏକ ଗ୍ରାମ ସୀମାରେ ରହି ଈଶ୍ୱରଚିନ୍ତା କରିବାକୁ ଲାଗିଲେ ।

 

ବ୍ରାହ୍ମଣ ଯେଉଁ ସ୍ଥାନରେ ଆଶ୍ରୟ ନେଇଥିଲେ, ସେଠାରୁ ଅଳ୍ପ ଦୂରରେ ଗୋଟିଏ କ୍ଷୁଦ୍ର ଦେବାଳୟ ଓ ତାହା ନିକଟରେ ଗୋଟିଏ ପୂଜାରି ଘର ଥାଏ । ପୂଜାରି ସଦୟ ହୋଇ ସମୟେ ସମୟେ ତାହାଙ୍କୁ କିଛି ପ୍ରସାଦ ଦେଉ ଥାଏ । ବ୍ରାହ୍ମଣ ସେତିକିରେ ଉଦର-ତୃପ୍ତି କରନ୍ତି । ଅନ୍ୟ ସମୟରେ ବିଶେଷ କ୍ଷୁଧା ହେଲେ କିଛି ଫଳ ମୂଳ ଆଣି କ୍ଷୁଧା ନିବାରଣ କରନ୍ତି ।

 

ଏହିପରି କେତେକ ଦିନ ଚାଲିଗଲା । କିନ୍ତୁ ସନ୍ନ୍ୟାସୀ ଦେଖିଲେ ଯେ, ସେ ସ୍ଥାନରେ ତାହାଙ୍କର ଧ୍ୟାନକାର୍ଯ୍ୟରେ ବାଧା ପଡ଼ୁଅଛି । ସମୟେ ସମୟେ ତାହାଙ୍କ ଠାରୁ ଭଲ ଭଲ କଥା ଶୁଣିବା ପାଇଁ ଅନେକ ଲୋକ ଆସି ବସୁ ଅଛନ୍ତି । ପିଲାମାନେ ମଧ୍ୟ ଅନେକ ସମୟରେ ଆସି ବିଘ୍ନ ଘଟାଉ ଅଛନ୍ତି । ଏଣୁ ସେଠାରେ ଆଉ ରହିବା ପାଇଁ ତାହାଙ୍କର ଇଚ୍ଛା ହେଲା ନାହିଁ । ସେ ନାନା ସ୍ଥାନ ବୁଲି ଶେଷରେ ଏକ ନିର୍ଜନ ଅରଣ୍ୟକୁ ଚାଲିଗଲେ ।

 

ଗଭୀର ଅରଣ୍ୟ । ଚାରିଆଡ଼େ ବୃକ୍ଷ, ଲତା, ଗୁଳ୍ମ ପ୍ରଭୃତି ନାନାବିଧ ବନ୍ୟ-ଉଦ୍ଭିଦ । ସ୍ଥାନେ ସ୍ଥାନେ ବ୍ୟାଘ୍ର, ଭଲ୍ଲୁକ ଆଦି ହିଂସ୍ରଜନ୍ତୁ ବିକଟ ଗର୍ଜନ କରୁଅଛନ୍ତି । ସନ୍ନ୍ୟାସୀ ସେହି ନିର୍ଜନ ଅରଣ୍ୟ ମଧ୍ୟରେ ଗୋଟିଏ ଉପଯୁକ୍ତ ସ୍ଥାନ ଦେଖି, ଗୋଟିଏ କ୍ଷୁଦ୍ର ଆଶ୍ରମ ପ୍ରସ୍ତୁତ କରି ସେଠାରେ ବାସ କରିବାକୁ ଲାଗିଲେ । ଆଶ୍ରମ ସମ୍ମୁଖରେ ଗୋଟିଏ ବିଲ୍ୱବୃକ୍ଷ । ସନ୍ନ୍ୟାସୀ ପ୍ରତ୍ୟହ ବ୍ରାହ୍ମମୁହୂର୍ତ୍ତରୁ ଉଠି ନିତ୍ୟକର୍ମ ଆଦି ଶେଷ କରନ୍ତି । ତତ୍ପରେ ସେହି ବିଲ୍ୱବୃକ୍ଷ ମୂଳରେ ଯୋଗାସନରେ ବସି ଈଶ୍ୱର ଚିନ୍ତା କରନ୍ତି । ଏହି ଭାବରେ ପ୍ରାୟ ସାୟଂକାଳ ପର୍ଯ୍ୟନ୍ତ ଧ୍ୟାନ କରି ରାତ୍ରିରେ କିଛି ଫଳମୂଳ ଭକ୍ଷଣ କରି ବିଶ୍ରାମ କରନ୍ତି ।

 

ସନ୍ନ୍ୟାସୀ କେତେକ ଦିନ ଏହି ପରି ଯୋଗ ସାଧନା କଲେ । ଅନ୍ୟାନ୍ୟ ସ୍ଥାନମାନଙ୍କରେ କୋଳାହଳ ହେବାରୁ ତାହାଙ୍କର ତପସ୍ୟାରେ ବ୍ୟାଘାତ ପଡ଼ୁଥିବାରୁ ସେ ମନରେ ଯେପରି ଦୁଃଖ ପାଉଥିଲେ ବର୍ତ୍ତମାନ ଆଉ ସେପରି ନାହିଁ । ଏକ ପ୍ରକାର ନିଶ୍ଚିନ୍ତ ଭାବରେ ତାହାଙ୍କର ସମୟ କଟିଯାଉଅଛି । କିନ୍ତୁ ଅନେକ ଦିନ ହେଲା ତ ତପସ୍ୟା କଲେଣି । କାହିଁ, ଭଗବାନଙ୍କୁ ପାଇବା ପାଇଁ ମନ ମଧ୍ୟରେ ଯେଉଁ ଆଶା ଥିଲା ତାହା ପୂର୍ଣ୍ଣ ହେବାର କୌଣସି ଦୃଢ଼ ଧାରଣା ତାହାଙ୍କ ମନରେ ଜାତ ହେଉ ନାହିଁ ? ସନ୍ନ୍ୟାସୀ ସମୟେ ସମୟେ ନୈରାଶ୍ୟ ଅନୁଭବ କରନ୍ତି । କେତେକେତେବେଳେ ତାହାଙ୍କର ପୂର୍ବ ଅବସ୍ଥାମାନ ଆସି ମନେ ପଡ଼େ । ତଦ୍ୱାରା ତାହାଙ୍କର ମନର ଭାବ କ’ଣ ହୁଏ ତାହା ତାଙ୍କୁ ଜଣା । କିନ୍ତୁ ତାହାଙ୍କର ନାସିକା ଫୁଲି ଉଠେ ଓ ହୃଦୟରୁ ଦୀର୍ଘ ନିଶ୍ୱାସ ବହିର୍ଗତ ହୁଏ । ସନ୍ନ୍ୟାସୀ ପୁନର୍ବାର କ’ଣ ଭାବି ସ୍ଥିର ହୁଅନ୍ତି ଓ ପୂର୍ବ ପରି ଯୋଗଧ୍ୟାନରେ ବସି ସମସ୍ତ ଭୁଲି ଯାଆନ୍ତି ।

 

ଦିନେ ସେ ଯୋଗଧ୍ୟାନରେ ବସି ଅଛନ୍ତି, ଏପରି ସମୟରେ ଜଣେ ଶବର ଗୋଟିଏ ପକ୍ଷୀକୁ ଲକ୍ଷ୍ୟ କରି ଊର୍ଦ୍ଧ୍ୱ ଦୃଷ୍ଟିରେ ଆସୁ ଆସୁ ହଠାତ୍‌ ଅଜ୍ଞାତସାରରେ ସେହି ସନ୍ନ୍ୟାସୀଙ୍କ ଉପରେ ପଦାଘାତ କଲା । ଧ୍ୟାନମଗ୍ନ ସନ୍ନ୍ୟାସୀ ଏହା ଜାଣିପାରି ନଥିଲେ । ମାତ୍ର ଶବର ତଳକୁ ଚାହିଁ ଦେଖିଲା ଯେ, ଜଣେ ସାଧୁ ପୁରୁଷଙ୍କ ଉପରେ ତାହାର ପାଦ ପଡ଼ିଯାଇଅଛି । ଶବର ହେଲେ ମଧ୍ୟ ତାହାର ହଠାତ୍‌ ବିବେକ ସ୍ଫୂରଣ ହେଲା । ସେ ବୁଝିପାରିଲା ଯେ, ତାହାର ଅନ୍ୟାୟ ହୋଇଅଛି । କିନ୍ତୁ ସନ୍ନ୍ୟାସୀ ତ ଧ୍ୟାନରେ ବସି ଅଛନ୍ତି; କିପରି ତାହାଙ୍କ ଠାରୁ କ୍ଷମା ଭିକ୍ଷା କରି ପାପମୁକ୍ତ ହେବ-? ଶବର ଅତ୍ୟନ୍ତ ଚିନ୍ତିତ ହୋଇ ସେହି ସ୍ଥାନରେ ବସି ରହିଲା । ସନ୍ନ୍ୟାସୀ ଧ୍ୟାନରୁ ଉଠିଲେ ତାହାଙ୍କୁ କ୍ଷମା ପ୍ରାର୍ଥନା କରି ପରେ ଗୃହକୁ ଫେରିଯିବ ।

 

ନିର୍ଦ୍ଦିଷ୍ଟ ସମୟରେ ସନ୍ନ୍ୟାସୀଙ୍କର ଧ୍ୟାନ ଭଗ୍ନ ହେଲା । ସେ ପାର୍ଶ୍ୱରେ ଜଣେ ଅପରିଚିତ ବ୍ୟକ୍ତିକୁ ଦେଖି କହିଲେ, ‘‘ତୁମ୍ଭେ କିଏ, କି ନିମିତ୍ତ ଏଠାକୁ ଆସିଅଛ ?’’

 

ଶବର କହିଲା, ‘‘ପ୍ରଭୋ ! ମୋର ଅପରାଧ କ୍ଷମା ହେଲେ ମୁଁ କହିବାକୁ ସାହସ କରିବି-।’’

 

ସନ୍ନ୍ୟାସୀ କହିଲେ, ‘‘ତୁମ୍ଭର ଭୟ କରିବାର କୌଣସି କାରଣ ନାହିଁ । ଯାହା କହିବାର ଅଛି ତାହା ତୁମ୍ଭେ ନିର୍ଭୀକ ହୋଇ କହିପାର ।’’

 

ଶବର କହିଲା, ‘‘ପ୍ରଭୋ ! ମୁଁ ଗୋଟିଏ ପକ୍ଷୀ ଶିକାର କରିବା ପାଇଁ କାଣ୍ଡ ଯୋଚି ଉପରକୁ ଚାହିଁ ଚାହିଁ ପକ୍ଷୀଟିର ପଛେ ପଛେ ଆସୁଥିଲି । ମୋର ତଳକୁ ଆଦୌ ଦୃଷ୍ଟି ନଥିଲା । ଦୈବାତ୍‌ ଆପଣଙ୍କ ଉପରେ ମୋର ଗୋଡ଼ ପଡ଼ିଗଲା । ଆପଣ ତାହା ଜାଣିପାରିଲେ ନାହିଁ ସତ୍ୟ, କିନ୍ତୁ ମୋର ମନରେ ଆଦୌ ଶାନ୍ତି ନାହିଁ । ଆପଣ ମୋହର ଏହି ଅପରାଧଟି କ୍ଷମା କଲେ ମୁଁ ଶାନ୍ତି ପାଇବି ।’’

 

ପକ୍ଷୀ-ଶିକାର କଥା ଶୁଣି ସନ୍ନ୍ୟାସୀଙ୍କ ମନ ମଧ୍ୟରେ ପ୍ରଥମେ ଶବର ପ୍ରତି ଘୃଣା ଜାତ ହୋଇଥିଲା । କିନ୍ତୁ ପରେ ସେ ଶବରର ଏ ପ୍ରକାର କାତର ଉକ୍ତି ଶୁଣି ମନେ ମନେ ତାହାକୁ ପ୍ରଶଂସା କରି କହିଲେ, ‘‘ବତ୍ସ ! ତୁମ୍ଭେ ଜାଣିଶୁଣି ଏ ଅପରାଧ କରିନାହିଁ । ସୁତରାଂ ତୁମ୍ଭେ ଯେ ଦୋଷୀ ଏହା ମୁଁ କହି ପାରୁନାହିଁ । ତେବେ ଯେତେ ବେଳେ ତୁମ୍ଭ ମନରେ ସନ୍ଦେହ ଜାତ ହେଉଅଛି, ମୁଁ ତୁମ୍ଭର ଅପରାଧ ମାର୍ଜ୍ଜନା କଲି । ତୁମ୍ଭେ ନିଶ୍ଚିନ୍ତ ମନରେ ନିଜ କାର୍ଯ୍ୟରେ ଯାଅ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଯାହାର ମନରେ ଏପରି ଧର୍ମଭାବ ରହିଅଛି, ସେ କିପରି ପକ୍ଷୀ ମାରି ଜୀବିକା ଅର୍ଜନ କରୁଅଛି ? ‘ଶବର ଉତ୍ତର କଲା, ‘‘ମୁଁ ମନେ କରୁଥିଲି ଯେ, ପକ୍ଷୀ ମାରିବା ଆମ୍ଭମାନଙ୍କର ବ୍ୟବସାୟ । କିନ୍ତୁ ମୁଁ ବର୍ତ୍ତମାନ ବୁଝିପାରୁଅଛି, ଏହା ଅନ୍ୟାୟ କାର୍ଯ୍ୟ । ଆଉ ସେ କର୍ମ କରିବାକୁ ମୋର ମନ ଯାଉ ନାହିଁ । ଆପଣଙ୍କର ପବିତ୍ର ଆଶ୍ରମଟି ମୋତେ ଅତ୍ୟନ୍ତ ଭଲ ବୋଧ ହେଉଅଛି । ଆପଣଙ୍କର ମୋ ପ୍ରତି ଯେପରି ଦୟା ତାହା ଶୁଝିବାକୁ ମୋର ଶକ୍ତି ନାହିଁ । ଆପଣଙ୍କର ମଧୁର ବଚନ ଶୁଣି, ଶାନ୍ତ ସ୍ୱଭାବ ଦେଖି, ମୋର ଆଉ ଘରକୁ ଯିବାକୁ ଇଚ୍ଛା ହେଉ ନାହିଁ । ଅନୁଗ୍ରହ କରି ମୋତେ ଆପଣଙ୍କ ନିକଟରେ ରଖନ୍ତୁ । ମୁଁ ଆପଣଙ୍କର ଚରଣ ସେବା କରି ଓ ଆପଣଙ୍କ ପାଇଁ ବନରୁ ଫଳମୂଳ ଆଣିଦେଇ ସର୍ବଦା ଭୃତ୍ୟ ହୋଇ ରହିବି । ଆପଣଙ୍କ ଠାରୁ ନାନା, ଧର୍ମକଥା ଶୁଣି ପାପମୁକ୍ତ ହେବି । ମୋତେ ପଦତଳରେ ସ୍ଥାନ ଦିଅନ୍ତୁ ।’’

 

ଶବରର କଥା ଶୁଣି ସନ୍ନ୍ୟାସୀ ବଡ଼ ଚିନ୍ତିତ ହେଲେ । ତାହାଙ୍କର ଧ୍ୟାନରେ ବିଘ୍ନ ହେଲା ବୋଲି ସେ ନଗର, ଗ୍ରାମ ପ୍ରଭୃତି ଜନପୂର୍ଣ୍ଣସ୍ଥାନ ତ୍ୟାଗ କରି ନିର୍ଜନ ସ୍ଥାନରେ ଆସି ବାସ କଲେ । ସେଥିରେ ପୁଣି ଆପଦ ! ସନ୍ନ୍ୟାସୀ ମନେ ମନେ ସ୍ଥିର କଲେ, ‘‘ନା, ଏ ଲୋକକୁ ନିକଟରେ ରଖିଲେ ମଙ୍ଗଳ ନାହିଁ । ପୁଣି ଏକରୁ ଦୁଇ, ଦୁଇରୁ ତିନି ଏହିପରି ହୋଇ ପୂର୍ବ ପରି ବ୍ୟାଘାତ ଉପସ୍ଥିତ ହେବ, ମୋର ଧ୍ୟାନ କାର୍ଯ୍ୟ ଚଳିପାରିବ ନାହିଁ । ବିଶେଷତଃ ଏ ଶବର ସର୍ବଦା ପାପ ଆଚରଣ କରି ଆସିଅଛି । ଆଜି ଦୈବାତ୍‌ ସାମାନ୍ୟ ଉତ୍ତେଜନାବଶତଃ ମୋ ନିକଟରେ ବାସ କରିବାକୁ ଇଚ୍ଛା କରିଅଛି । କିନ୍ତୁ ଏହାକୁ ନିକଟରେ ରଖିଲେ ସର୍ବଦା ପାପ ଚିନ୍ତା ଆସିବ । ମୋର ସମସ୍ତ ପରିଶ୍ରମ ବୃଥା ହେବ ।’’ ଏହି ରୂପେ ମନେ ମନେ ସ୍ଥିର କରି କହିଲେ, ‘‘ତୁମ୍ଭର ମୋ ପ୍ରତି ଯେ ଭକ୍ତି ହୋଇଅଛି ସେଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ମୁଁ ତୁମ୍ଭଙ୍କୁ ହୃଦୟର ସହିତ ଆଶୀର୍ବାଦ କରୁଅଛି ଯେ, ତୁମ୍ଭପ୍ରତି ଭଗବାନ କୃପା ଦୃଷ୍ଟି କରନ୍ତୁ । ତୁମ୍ଭେ ସର୍ବଦା ଧର୍ମମାର୍ଗରେ ରହି ଜୀବନଯାପନ କର । କିନ୍ତୁ ଦୁଃଖର କଥା, ମୁଁ ତୁମ୍ଭର ଅନୁରୋଧଟି ରକ୍ଷା କରିପାରୁ ନାହିଁ । କାରଣ, ମୁଁ ବୁଝିଛି ଯେ, ଏଠାରେ ରହିଲେ ତୁମ୍ଭର କଦାପି ସୁଖ ହେବ ନାହିଁ । ତୁମ୍ଭେ ସର୍ବଦା ଅଶାନ୍ତିରେ ରହିବ । ଏ ଘୋର ଅରଣ୍ୟ । ସାଙ୍ଗ, ସୁଖ, ଘର, ଦ୍ୱାର କିଛି ନାହିଁ । ତୁମ୍ଭେ ଆଜି ଯାଏ ଲୋକମାନଙ୍କ ସଙ୍ଗେ ବାସ କରି ଆସିଅଛ । ଏଠାରେ ଏକାକୀ ରହିବା କଦାପି ତୁମ୍ଭ ପକ୍ଷରେ ସୁଖକର ହେବ ନାହିଁ । ସୁତରାଂ ତୁମ୍ଭଙ୍କୁ ନିକଟରେ ରଖି ମୁଁ ମଧ୍ୟ ସର୍ବଦା ଅଶାନ୍ତିରେ ରହିବି । ତୁମ୍ଭେ ନିଜ ଗ୍ରାମକୁ ଫେରିଯାଇ ସ୍ତ୍ରୀ ପୁତ୍ର ପ୍ରଭୃତିଙ୍କୁ ପାଳନ କରି ସଂସାର କାର୍ଯ୍ୟ କର ।’’

 

ଶବର କହିଲା, ‘‘ପ୍ରଭୋ ! ଆପଣ ମୋ’ଠାରେ କପଟ କରୁ ଅଛନ୍ତି । ମୁଁ ଆପଣଙ୍କ ନିକଟରେ ଯେଉଁ ଦିବ୍ୟ ଆନନ୍ଦ ଅନୁଭବ କରୁ ଅଛି, ସଂସାରରେ ତାହା ଏକାନ୍ତ ବିରଳ । ମୁଁ ଆପଣଙ୍କୁ କାତର ହୋଇ ପ୍ରାର୍ଥନା କରୁଅଛି ଯେ, ଆପଣ ମୋତେ ନିକଟରେ ରଖନ୍ତୁ । ମୁଁ ଆପଣଙ୍କର ଶିଷ୍ୟ ହୋଇ ସର୍ବଦା ଆଜ୍ଞା ପାଳନ କରିବି ।’’

 

ସନ୍ନ୍ୟାସୀ ଶବରର ଏ ପ୍ରକାର ପୁନଃପୁନଃ ଅନୁରୋଧ ଶୁଣି ସୁଦ୍ଧା ତାହାକୁ ନିକଟରୁ ତଡ଼ିବା ପାଇଁ ବହୁ ଚେଷ୍ଟା କଲେ । କିନ୍ତୁ ଶବରର ମନ ବିଚଳିତ ହେଲା ନାହିଁ । ସେ ସନ୍ନ୍ୟାସୀଙ୍କର ଚରଣ ତଳରେ ପଡ଼ି ରହିଲା । ଯେତେ ବାରଣ କଲେ ମଧ୍ୟ ଉଠିଲା ନାହିଁ । ସନ୍ନ୍ୟାସୀ ଏଥରେ ନିରୁପାୟ ହେଲେ । ପରେ ଯେକୌଣସି ମତେ ଶବରକୁ ନିକଟରୁ ଦୂର କରିବା ପାଇଁ ମନେ ମନେ ଏକ ଉପାୟ ସ୍ଥିର କରି କହିଲେ, ‘‘ଆଚ୍ଛା, ତୁମ୍ଭେ ଯଦି ରହିବା ପାଇଁ ଏକାନ୍ତ ଇଚ୍ଛୁକ, ମୁଁ ଆଉ ତୁମ୍ଭଙ୍କୁ ବାରଣ କରିପାରୁ ନାହିଁ । ତେବେ ମୋର ଶିଷ୍ୟ ହେବା ପୂର୍ବରୁ ତୁମ୍ଭଙ୍କୁ ଗୋଟିଏ କାର୍ଯ୍ୟ କରିବାକୁ ହେବ । ମୋର ଗୋଟିଏ ଶିଶୁ ପୁତ୍ର ଥିଲା । ସେ କେତେ ଦିନ ହେଲା ମୋହ ପାଖରୁ କେଉଁଆଡ଼େ ଚାଲିଯାଇଅଛି । ମୁ ତାହାକୁ ପାଇବା ପାଇଁ ଅନେକ ସ୍ଥାନ ଖୋଜିଲିଣି । କିନ୍ତୁ ତାହାର କିଛି ସନ୍ଧାନ ପାଉନାହିଁ । ସେ ଚାଲିଗଲା ଦିନୁ ମୋ ମନରେ କିଛି ମାତ୍ର ସୁଖ ନାହିଁ । ମୁଁ ସର୍ବଦା ଦୁଃଖିତ ଓ ଚିନ୍ତିତ ଭାବରେ କାଳ କଟାଉ ଅଛି । ଯଦି ତୁମ୍ଭେ ମୋର ସେହି ପୁତ୍ରଟିକୁ ଧରି ଆଣିଦେବ, ତେବେ ମୋହ ନିକଟରେ ରହିପାର । ନୋହିଲେ ମୋ ହୃଦୟରେ କେବେହେଁ ଶାନ୍ତି ଆସିବ ନାହିଁ । ତୁମ୍ଭେ ଅବା ମୋ ନିକଟରେ ରହି କି ସୁଖ ପାଇବ ? ସୁତରାଂ ପ୍ରଥମେ ମୋହର ପୁତ୍ରଟିକୁ ଖୋଜି ନେଇ ଆସ । ତତ୍ପରେ ମୋ ଶିଷ୍ୟ ହୋଇ ଏଠାରେ ରହିବ । ଶବର କହିଲା, ‘‘ଗୁରୋ ! ମୁଁ ଆପଣଙ୍କର ଆଦେଶ ପାଳନ କରିବାକୁ ପ୍ରାଣପଣେ ଚେଷ୍ଟା କରିବି । ଆପଣଙ୍କ ପୁତ୍ରଟି କେଉଁ ଦିଗକୁ ଯାଇଅଛି ଟିକିଏ ଅନୁଗ୍ରହ କରି କହି ଦିଅନ୍ତୁ ।’’

 

ସନ୍ନ୍ୟାସୀ କହିଲେ, ‘‘ବତ୍ସ ! ସେ ତ ଏହିଠାରେ ଖେଳୁଥିଲା । ଖେଳୁ ଖେଳୁ ସେହି ବଡ଼ ତମାଳ ଗଛ ଆଡ଼କୁ ଚାଲିଗଲା । ମୁଁ ମଧ୍ୟ ଥରେ ଦୁଇଥର ଡାକି ଦେଇ ଆଶ୍ରମ ମଧ୍ୟକୁ ଚାଲିଗଲି । ଅଳ୍ପ ସମୟ ପରେ ଫେରିଆସି ଦେଖିଲି, ସେ ଆଉ ସେଠାରେ ନାହିଁ । କେତେ ଡାକିଲି; କେତେ ଖୋଜିଲି; କୌଣସିଠାରେ ତାହାକୁ ପାଇଲି ନାହିଁ । ପଛକୁ ହତାଶ ହୋଇ ରହିଲି । ବତ୍ସ ! ଯାଅ, ଯଦି ପାରିବ ତାହାକୁ ମୋ ନିକଟକୁ ଖୋଜି ଆଣିବ । ତା’ କଥା ମନେ ପଡ଼ିଲେ ମୋର ମନ ଅତ୍ୟନ୍ତ ବ୍ୟାକୁଳ ହେଉଅଛି ।’’

 

ଗୁରୁଙ୍କର ଏ ପ୍ରକାର କାତର ବାକ୍ୟ ଶୁଣି ଗୁରୁପୁତ୍ରଙ୍କୁ ଖୋଜି ଆଣିବା ପାଇଁ ଶବର ଏତେ ବ୍ୟଗ୍ର ହୋଇଥିଲା ଯେ, ଆଉ କିଛି ନ ପଚାରି ଗୁରଙ୍କୁ ପ୍ରଣାମ କରି ସେ ଅତିଶୀଘ୍ର ସେଠାରୁ ଚାଲିଗଲା । ଆଶ୍ରମ ନିକଟରୁ କିଛି ଦୂର ଯାଇ ଡାକିଲା, ‘‘ଆହେ ଗୁରୁପୁତ୍ର ! ତୁମ୍ଭେ କାହିଁ ଅଛ ? ତୁମ୍ଭଙ୍କୁ ନ ଦେଖି ତୁମ୍ଭର ପିତା କେଡ଼େ କଷ୍ଟ ପାଉଅଛନ୍ତି, ତାହା କ’ଣ ବୁଝିପାରୁ ନାହଁ ? ଆସ, ମୁଁ ତୁମ୍ଭଙ୍କୁ ସାଙ୍ଗରେ ନେଇଯିବି ।’’ –ଶବର ଏହିପରି କେତେଥର ଡାକିଲା । କିନ୍ତୁ କେହି ତାହାର କଥା ଶୁଣିଲେ ନାହିଁ । ପଛକୁ ସେ ମନେ ମନେ ଭାବିଲା, ‘‘ମୁଁ ତ ଅତି ବ୍ୟଗ୍ର ହୋଇ ଚାଲିଆସିଲି । ତାଙ୍କର ନାମ କ’ଣ ତାହା ବୁଝିବା ମୋହର ଉଚିତ ଥିଲା । ନାମ ନ ଧରି ଡାକିଲେ କିଏ ଶୁଣିବ ? ଫେରିଯିବି । ଗୁରୁଙ୍କଠାରୁ ତାଙ୍କ ପୁତ୍ରଙ୍କ ନାମ ବୁଝି ଆସି, ସେହି ନାମ ଧରି ଡାକିଲେ ଅବଶ୍ୟ ଯେଉଁଠାରେ ଥିବେ ଶୁଣିବେ ।’’ ଏହା ଭାବି ସେ ତତ୍‌କ୍ଷଣାତ୍‌ ଫେରି ଗୁରୁଙ୍କ ନିକଟରେ ଉପସ୍ଥିତ ହେଲା ।

 

ଶବରକୁ ଦେଖି ସନ୍ନ୍ୟାସୀ ଟିକିଏ ବ୍ୟଗ୍ର ହୋଇ କହିଲେ, ‘‘ବତ୍ସ ! ମୋ ପୁତ୍ରର କୌଣସି ସନ୍ଧାନ ପାଇଲ ? କାହିଁ, ସାଙ୍ଗରେ ତ କେହି ନାହିଁ ?’’

 

ଶବର କହିଲା, ‘‘ଗୁରୋ ! ମୁଁ ଆପଣଙ୍କ ପୁତ୍ରଟିର ନାମ ନ ବୁଝି ଚାଲିଗଲି । ତାହାଙ୍କର ନାମ କ’ଣ ତାହା ମୋତେ କହି ଦିଅନ୍ତୁ । ମୁଁ ପୁନର୍ବାର ଯାଇ ଖୋଜି ଆଣିବି । ଆପଣ ବ୍ୟସ୍ତ ହୁଅନ୍ତୁ ନା ।’’

 

ସନ୍ନ୍ୟାସୀ କହିଲେ, ‘‘ବତ୍ସ ! ତା’ର ଅନେକଗୁଡ଼ିଏ ନାମ । କିନ୍ତୁ ମୁଁ ତାହାକୁ ସାଧାରଣତଃ କୃଷ୍ଣଚନ୍ଦ୍ର ବୋଲି ଡାକୁଥିଲି । କେବେ କେବେ କେବଳ କୃଷ୍ଣ ବୋଲି ମଧ୍ୟ ଡାକେ । ତୁମ୍ଭେ ଏହି ଦୁଇଟି ମଧ୍ୟରୁ ଯେ କୌଣସି ନାମ ଧରି ଡାକିଲେ ସେ ଶୁଣିପାରିବ । ଯାଅ, ମୋର ପୁତ୍ରକୁ ଘେନି ଆସ । ତାହାକୁ ନ ଦେଖି ମୋର ମନ ଅତ୍ୟନ୍ତ ବ୍ୟାକୁଳ ହେଉଅଛି ।’’

 

ଶବର ପୁନର୍ବାର କହିଲା, ‘‘ଗୁରୋ ! ତାହାଙ୍କର ନାମ ସିନା ଶୁଣିଲି, ରୂପ ଓ ଆକାର ପ୍ରଭୃତି ନ ଜାଣିଲେ ତାହାଙ୍କୁ ଚିହ୍ନିବି କିପରି ? ଆପଣ ଟିକିଏ ତାହାଙ୍କର ରୂପ ଓ ଆକାର ମୋତେ କହିଦିଅନ୍ତୁ ।’’

 

ସନ୍ନ୍ୟାସୀ କହିଲେ, ବତ୍ସ ! ମୋ ପୁତ୍ରଟିର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିହେବ ନାହିଁ । ସେ ଶ୍ୟାମଳ ବର୍ଣ୍ଣ । ସର୍ବଦା ଖଣ୍ଡିଏ ବଂଶୀ ଧରି ଖେଳୁଥାଏ । ବଣରୁ ଫୁଲ ଆଣି ମାଳା କରି ଗଳାରେ ପକାଇଥାଏ । ତାହାରି ପାଦରେ ନୂପୁର ଥିବାରୁ ସର୍ବଦା ରୁଣୁ ଝୁଣୁ ହୋଇ ବାଜୁଥାଏ ।’’

 

ଶବର ଗୁରୁଙ୍କୁ ପ୍ରଣାମ କରି ପୁନର୍ବାର ବାହାରିଲା । ଅଳ୍ପଦୂର ଆସିବା ପରେ ଗୁରୁପୁତ୍ରଙ୍କର ନାମ ମନେ ମନେ ଭାବିବାକୁ ଲାଗିଲା । କିନ୍ତୁ ସେ ଯେତେ ଚେଷ୍ଟାକଲେ ସୁଦ୍ଧା ନାମ ଦୁଇଟି ତାହାର ଆଦୌ ସ୍ମରଣ ହେଲା ନାହିଁ । ନାମ ସ୍ମରଣ କରିବାକୁ ଯାଇ ଯେଉଁ ଆକାର ଓ ସୌନ୍ଦର୍ଯ୍ୟର ବିଷୟ ସେ ଶୁଣିଥିଲା ତାହା ମଧ୍ୟ ଭୁଲିଗଲା; ଶବର ବହୁବାର ଚେଷ୍ଟାକରି ମଧ୍ୟ ଆଉ ମନେ ପକାଇପାରିଲା ନାହିଁ । ସୁତରାଂ ସେ ବାଧ୍ୟ ହୋଇ ପୁନର୍ବାର ଗୁରୁଙ୍କ ପାଖକୁ ଫେରିଆସିଲା-। ସେ ଗୁରୁଙ୍କ ଚରଣ ତଳରେ ପଡ଼ି କହିଲା, ‘‘ଗୁରୋ ! କ୍ଷମା କରନ୍ତୁ । ମୁଁ ସେହି ନାମ ଦୁଇଟି ଏକାବେଳକେ ଭୁଲିଗଲି । ଆପଣ ଯେଉଁ ସୁନ୍ଦର ଚେହେରାଟି ମୋ ଆଗରେ ବର୍ଣ୍ଣନା କରିଥିଲେ, ତାହା ମଧ୍ୟ ପାଶୋରୀ ପକାଇଲି । ଆପଣ ଅନୁଗ୍ରହ କରି ଆଉଥରେ ତାହା ମୋତେ କହି ଦିଅନ୍ତୁ-।’’

 

ଶବରର କଥା ଶୁଣି ସନ୍ନ୍ୟାସୀ ମନେ ମନେ କହିବାକୁ ଲାଗିଲେ, ‘‘ତୁମ ଯେ ସେ ନାମ ସ୍ମରଣ କରିପାରିବ ନାହିଁ, ଏହା ମୋତେ ଆଗରୁ ଜଣାଥିଲା । ଏତେ କାଳ ନିର୍ଜନ ଅରଣ୍ୟ ମଧ୍ୟରେ ରହି ଯାହାଙ୍କର ରୂପରାଶି ମୁଁ ହୃଦୟରେ ଧାରଣ କରିପାରୁ ନାହିଁ, ତୁ ସାମାନ୍ୟ ଶବର-ପାପରେ ସର୍ବଦା ଜୀବନ କଟାଇଅଛୁ-ଆଜି ଟିକିଏ ସାମାନ୍ୟ ମନର ପରିବର୍ତ୍ତନରେ ତୋହର ଭଗବାନ ଦର୍ଶନ ମିଳିବ ? ଏହା କଦାପି ସମ୍ଭବ ନୁହେଁ ।’’ ସନ୍ନ୍ୟାସୀ ଏହା ଭାବି କହିଲେ, ‘‘ବତ୍ସ ! ତୁମର ସିନା ଦୁଇଟି ନାମ ମନେ ରହିଲା ନାହିଁ । ତାହାର ତ ଅନେକ ଗୁଡ଼ିଏ ନାମ ଅଛି, ମୁଁ ସେ ସବୁ କହିଦେଉଛି, ଶୁଣ । ଯେ କୌଣସି ଗୋଟିଏ ନାମ ହେଲେ ତ ମନେ ପଡ଼ିଯିବ । ତାହାର ଗୋବିନ୍ଦ, ରାଧାନାଥ, ଜଗନ୍ନାଥ, ଦାମୋଦର, ଶ୍ରୀହରି, ନାରାୟଣ, ଗଦାଧର, କୃଷ୍ଣଚନ୍ଦ୍ର, ନରସିଂହ, ଜନାର୍ଦ୍ଦନ, ମୁରାରୀ, ବ୍ରଜବନ୍ଧୁ, ଏହିପରି ଅନେକ ନାମ ଅଛି । ଏଥି ମଧ୍ୟରୁ ଯେ କୌଣସି ନାମ ଧରି ଡାକିଲେ ସେ ଅବଶ୍ୟ ଶୁଣିବ । ତା’ର ରୂପ ସମ୍ୱନ୍ଧରେ ମୁଁ ତ ତୁମକୁ ଆଗରୁ କହିଅଛି । ତାହାର ଅନନ୍ତ ସୌନ୍ଦର୍ଯ୍ୟ । ତା’ଠାରୁ ବଳି ସୁନ୍ଦର ଆଉ କିଏ ଅଛି ? ତା’ର ନବୀନ ନୀରଦ ତନୁ, ଶିଖୀପୁଚ୍ଛ ଚୂଡ଼ା, ଅଧରରେ ମୋହନ ବଂଶୀ, ଗଳାରେ ବନମାଳ, ପାଦରେ ନୂପୁର, କର୍ଣ୍ଣରେ ମକରକୁଣ୍ଡଳ, କପୋଳରେ ତିଳକ ରେଖା, ହୃଦରେ କଉସ୍ତୁଭ, କଟିରେ ରତ୍ନ କିଙ୍କିଣୀ ଅଙ୍ଗରେ ପୀତବାସ, ନାସିକାରେ ଗଜମୋତି, ବାହୁରେ ରତ୍ନ କଙ୍କଣ । ସେ ନାଚି ନାଚି ବଂଶୀ ବଜାଇ, ନଦୀ କୂଳରେ, କଦମ୍ୱ ମୂଳରେ ବୁଲୁଥାଏ । ତାକୁ ଯେ ଡାକେ ସେ ତାହା ପାଖକୁ ଯାଏ । ତାହାର ସେହି ମନୋହର ରୂପ ଓ ମଧୁର ବଂଶୀ ସ୍ୱନ ଶୁଣିଲେ କିଏ ମୁଗ୍ଧ ନ ହେବ ? ତୁମ୍ଭେ ଯାଇ ତାହାକୁ ଶୀଘ୍ର ଧରିଆସ । ଯେଉଁଠାରେ ସେ ଥିବ, କହିବୁ ତୋର ପିତା ତୋତେ ଦେଖିବା ପାଇଁ ବ୍ୟାକୁଳ ହେଉଅଛନ୍ତି’ ।’’

 

ଶବର ଏହି ଅନନ୍ତ ରୂପରାଶି ହୃଦୟରେ ଧାରଣ କରି ଆନନ୍ଦରେ ଉନ୍ମତ୍ତ ହୋଇ ଧାଇଁବାକୁ ଲାଗିଲା । ‘‘ଆହେ ଗୁରୁପୁତ୍ର ! ଆହେ ଶ୍ରୀକୃଷ୍ଣ, ଜନାର୍ଦ୍ଦନ ! ତୁମ୍ଭେ କେଉଁଠାରେ ଅଛ, ଶ୍ରୀଘ୍ର ଦେଖା ଦିଅ । ତୁମ୍ଭେ ତୁମ୍ଭର ପିତାଙ୍କୁ ଛାଡ଼ି କାହିଁକି ଏଣେ ତେଣେ ବୁଲୁଅଛ ? ଆସ, ଦୁହେଁ ରହି ପିତାଙ୍କର ସେବା କରିବା । ମୁଁ ତୁମ୍ଭଙ୍କୁ କେତେ ଆଦର କରିବି ।’’ ଶବର ନ ଖାଇ ନ ପିଇ କେବଳ ସେହି ରୂପକୁ ଚିନ୍ତା କରି, ଯେତେବେଳେ ଯେଉଁ ନାମ ଇଚ୍ଛା ସେହି ନାମ ଧରି ଶ୍ରୀକୃଷ୍ଣଙ୍କୁ ଡାକି ଡାକି ବୁଲିବାକୁ ଲାଗିଲା । ସେ ଯେ ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କୁ ଡାକୁଅଛି ବା ଖୋଜୁଅଛି–ଏ ଧାରଣା ତାହାର ଆଦୌ ନାହିଁ । ତା’ର ପୂର୍ଣ୍ଣ ବିଶ୍ୱାସ ଯେ, ସେ ଗୁରୁପୁତ୍ରଙ୍କୁ ଖୋଜୁଅଛି । ତାହାଙ୍କୁ ଘେନି ଆସିଲେ ଗୁରୁ ତାହାପ୍ରତି ସଦୟ ହୋଇ ତାହାକୁ ନିକଟରେ ରଖିବେ । ସେ ଗୁରୁଙ୍କର ଚରଣ ସେବା କରି ମହା ଆନନ୍ଦରେ କାଳ କଟାଇବ ।

 

ଭକ୍ତପ୍ରାଣ ଭଗବାନ ଭକ୍ତର ସରଳ ଡାକ ନଶୁଣି ରହିପାରନ୍ତି, ନାହିଁ । କେତେଦିନ ଆଉ ଶବରକୁ ଅନାହାରରେ ରଖିବେ ? ପ୍ରଭୁଙ୍କ ହୃଦୟରେ ଦୟା ବସିଲା । ସେ ବାଳକ ଶ୍ରୀକୃଷ୍ଣ ରୂପେ ଆସି ଶବର ଆଗରେ ଉପସ୍ଥିତ ହେଲେ । ତାହାଙ୍କୁ ଦେଖି ଶବର କହିଲା, ‘‘ଶ୍ରୀକୃଷ୍ଣ ! ତୁମ୍ଭେ ତ ବଡ଼ ଦୁଷ୍ଟ ହେଲଣି, ଦେଖୁଛି । ତୁମ୍ଭେ ପିତାଙ୍କୁ ଛାଡ଼ି ଏଣେ ତେଣେ କାହିଁକି ବୁଲୁଅଛ ? ମୁ ତୁମ୍ଭଙ୍କୁ କେତେ ଡାକିଲିଣି । ତୁମ୍ଭେ କେଉଁଠାରେ ଲୁଚି ରହିଥିଲ ? ଯାହା ହେବାର ଏବେ ହେଲାଣି । ଆଉ ଦୁଷ୍ଟାମି କର ନାହିଁ । ମୋ ସାଙ୍ଗରେ ଆସ । ତୁମ୍ଭ ପିତାଙ୍କ ପାଖକୁ ଯିବା ।’’ ଏହା କହି ଶବର ଶ୍ରୀକୃଷ୍ଣଙ୍କର ହସ୍ତ ଧରି ଗୁରୁଙ୍କ ଆଶ୍ରମ ଆଡ଼କୁ ଯିବାକୁ ଲାଗିଲା । ଶବର ପଥ ମଧ୍ୟରେ କେତେ ଆଦର ଓ ସ୍ନେହରେ ସୁଖ ଦୁଃଖ ପ୍ରଭୃତି କେତେ କଥା ସେହି ଅଶେଷ ଶୋଭାର ଭଣ୍ଡାର, ପ୍ରେମର ଆକର ବାଳକ ଶ୍ରୀକୃଷ୍ଣଙ୍କ ସହିତ ଗଳ୍ପ କରି କରି ଚାଲିଲା । ଶବର ଜାଣେ ନାହିଁ ଯେ, ସେ ବ୍ରହ୍ମାଣ୍ଡନାଥ ସ୍ୱୟଂ ନାରାୟଣଙ୍କ ସହିତ ଗଳ୍ପ କରୁଅଛି । ତାହାର ଏକମାତ୍ର ଧାରଣା ଯେ, ସେ ଗୁରୁପୁତ୍ରଙ୍କୁ ବହୁକଷ୍ଟରେ ପାଇ, ସଙ୍ଗରେ ନେଇ ଆଶ୍ରମକୁ ଯାଉଅଛି । ସୁତରାଂ ତାହାଙ୍କୁ କେତେବେଳେ କାନ୍ଧରେ ବସାଇ ଆନନ୍ଦରେ ଯାଉଛି କେତେବେଳେ ଅବା ତାହାଙ୍କୁ ଖଣ୍ଡେ ବାଟ ଚଲାଇ, ପାଦରେ ଥିବା ନୂପୁରର ଧ୍ୱନି ଶୁଣି ଶୁଣି ତାହାଙ୍କ ହାତକୁ ଧରି ଯାଉଅଛି । କିନ୍ତୁ ତାହାର ହୃଦୟରେ ଆଜି ଯେ ଅପୂର୍ବ ଆନନ୍ଦର ସ୍ରୋତ ବହୁଅଛି, ତାହା ସେ ଏଥି ପୂର୍ବେ କେବେ ହେଲେ ଜୀବନରେ ଅନୁଭବ କରିନାହିଁ । ତାହାର ହୃଦୟ ଆନନ୍ଦରେ ଯେପରି କି ଆଜି ନାଚୁଅଛି । ସେ ଗୁରୁପୁତ୍ରଙ୍କୁ ପାଇଅଛି । ଆଜି ତାହାର କେତେ ଦିନର ପରିଶ୍ରମ ସଫଳ ହୋଇଅଛି । ସେ ଗୁରୁଙ୍କୁ ସନ୍ତୁଷ୍ଟ କରି ତାହାଙ୍କର ପଦସେବା କରିବା ପାଇଁ ଅନୁମତି ପାଇବ । ଏହାଠାରୁ ବଳି ସୌଭାଗ୍ୟର ବିଷୟ ଆଉ କ’ଣ ଅଛି ? ଶବର ମହା ଆନନ୍ଦରେ ନାଚି ନାଚି ଗୁରୁପୁତ୍ରଙ୍କୁ ଧରି ଆଶ୍ରମରେ ପହୁଞ୍ଚିଲା ।

 

ସେ ଆଶ୍ରମରେ ପହୁଞ୍ଚିବା ମାତ୍ରେ ସନ୍ନ୍ୟାସୀଙ୍କ ମନରେ ପୂର୍ବପରି ବିରକ୍ତି ଜାତ ହେଲା । କିନ୍ତୁ ସେ ତାହା ପ୍ରକାଶ ନ କରି କେବଳ କହିଲେ, ‘‘କି ଶବର ମୋର ପୁତ୍ରକୁ ପାଇଲ ?’’

ଶବର ଗୁରୁପୁତ୍ରକୁ, ଧରି ସନ୍ନ୍ୟାସୀଙ୍କର ସମ୍ମୁଖରେ ଠିଆ ହୋଇ ଅଛି । ଅଥଚ ସନ୍ନ୍ୟାସୀ ପ୍ରଶ୍ନ କରୁଅଛନ୍ତି, ସେ ତାଙ୍କ ପୁତ୍ରକୁ ପାଇଅଛି କି ନାହିଁ ! ଏହାର ଅର୍ଥ କ’ଣ ? ସେ କ’ଣ ତେବେ ଗୁରୁଙ୍କର ପୁତ୍ର ନୁହନ୍ତି ? ଗୁରୁ କ’ଣ ତାଙ୍କୁ ଏହି କେତୋଟା ଦିନ ମଧ୍ୟରେ ଏକାବେଳେକେ ପାଶୋରି ଗଲେଣି ? କିନ୍ତୁ ଏହା ତ ଅସମ୍ଭବ । ତେବେ କାହିଁକି ସେ ନିଜ ପୁତ୍ରକୁ ଦେଖି ମଧ୍ୟ ଚିହ୍ନି ପାରୁ ନାହାନ୍ତି ? ଶବର ଏହିପରି ସନ୍ଦେହ କରି କହିଲା, ‘‘ପ୍ରଭୋ ! ଆପଣଙ୍କର ପୁତ୍ର ଆପଣଙ୍କ ସମ୍ମୁଖରେ ଠିଆହୋଇ ପ୍ରଣାମ କରୁଅଛନ୍ତି । ମୁଁ ବହୁସ୍ଥାନ ବୁଲି ବୁଲି ତାହାଙ୍କୁ ବହୁ କଷ୍ଟରେ ପ୍ରାପ୍ତ ହୋଇଅଛି । ଆପଣ କାହିଁକି ପୁନର୍ବାର ତାହାଙ୍କୁ ନିକଟକୁ ନେଉ ନାହାନ୍ତି ? ଆପଣ କାହିଁକି ତାହାଙ୍କର ନାମ ଧରି ଡାକୁ ନାହାନ୍ତି ? ଯେତେ ଅପରାଧ କରିଥିଲେ ମଧ୍ୟ ସେ ତ ଆପଣଙ୍କର ପୁତ୍ର-। ଆପଣ ତ ଏହା ପୂର୍ବରୁ ତାହାଙ୍କୁ ଦେଖିବେ ବୋଲି ଅତ୍ୟନ୍ତ ବ୍ୟଗ୍ର ହେଉଥିଲେ, ବର୍ତ୍ତମାନ କେଉଁ ଦୋଷରୁ ତ୍ୟାଗ କରୁଅଛନ୍ତି ? ତାହାଙ୍କ ଆଡ଼କୁ ଟିକିଏ ସୁଦ୍ଧା ଚାହୁଁ ନାହାନ୍ତି ?

ସନ୍ନ୍ୟାସୀ ପ୍ରକୃତରେ କାହାକୁ ଦେଖିପାରୁ ନଥିଲେ । ଶବରର କଥା ଶୁଣି ସେ ପ୍ରଥମେ ଶବର ଉପରେ ସନ୍ଦେହ କରି କହିଲେ, ‘‘ତମେ ଯେ ସତ୍ୟ କହୁଅଛ ତା’ର ପ୍ରମାଣ କ’ଣ ?’’ ଶବର କହିଲା, ‘‘ପ୍ରଭୋ, ମୋର ସତ୍ୟାସତ୍ୟର ପ୍ରମାଣ କିଛି ଆବଶ୍ୟକ ନାହିଁ । ମୁଁ ଆପଣଙ୍କ ପୁତ୍ରଙ୍କୁ ଧରି ସମ୍ମୁଖରେ ଠିଆ ହୋଇଅଛି, ଅଥଚ ଆପଣ ଦେଖିପାରୁ ନାହାନ୍ତି । ଏଥିରୁ ମୁଁ ସ୍ପଷ୍ଟ ବୁଝିପାରୁଅଛି ଯେ, ଆପଣଙ୍କର ଚକ୍ଷୁର ଦୃଷ୍ଟିଶକ୍ତି କମିଯାଇଅଛି । ଆପଣ ଯେବେ ପୁତ୍ରଙ୍କୁ ନେବାପାଇଁ ଏକାବେଳେକେ ନାରାଜ, ତେବେ ମୋର ଆଉ ଉପାୟ କ’ଣ ଅଛି ? ମୋତେ ବିଦାୟ ଦିଅନ୍ତୁ, ମୁଁ ତାହାଙ୍କୁ ସଙ୍ଗରେ ଧରି ଆନନ୍ଦରେ ଖେଳିବି । ଯେତେବେଳେ ମୁଁ ତାହାଙ୍କୁ ନେଇ ଆସିଅଛି ପୁଣି କିପରି ଏକୁଟିଆ କରି ଛାଡ଼ିଦେବି ? ତାହା କଦାପି ହୋଇପାରିବ ନାହିଁ । ଆପଣ ମୋତେ ଦେଖି ପାରୁଅଛନ୍ତି, ମୋ ସହିତ କଥାବାର୍ତ୍ତା କରୁଅଛନ୍ତି । କିନ୍ତୁ ନିଜର ପୁଅଙ୍କୁ ଦେଖିପାରୁ ନାହାନ୍ତି ! ଏହା ବଡ଼ ଆଶ୍ଚର୍ଯ୍ୟ ବିଷୟ ।’’

ସନ୍ନ୍ୟାସୀ ମନେ ମନେ ଭାବିଲେ, ‘‘ମୁଁ ପ୍ରକୃତରେ ବଡ଼ ପାପୀ, ଶବର ବଡ଼ ଭାଗ୍ୟବାନ୍‌-। ସେ ଭଗବାନଙ୍କୁ ପାଇ ଆନନ୍ଦରେ ଉନ୍ମତ୍ତ । ମୁଁ ଏତେ କାଳ ତପସ୍ୟା କରି ଯାହାଙ୍କୁ ପ୍ରତି କ୍ଷଣରେ ଧ୍ୟାନ କରୁଅଛି, ଶବର ଆଜି ଅନାୟାସରେ ତାହାଙ୍କୁ ପ୍ରାପ୍ତ ହେଲା । ମୁଁ ଏପରି କି ଅପରାଧ କରିଅଛି ଯେ, ମୋ ପ୍ରତି ପ୍ରଭୁଙ୍କର ଦୟା ହେଲା ନାହିଁ । ହେ ପ୍ରଭୁ ଅନ୍ତର୍ଯ୍ୟାମି, ଦୀନବନ୍ଧୋ-! ତୁମ୍ଭେ ଦୟାକଲେ ଆଜନ୍ନପାପୀକୁ ମଧ୍ୟ ଦେଖାଦେଇପାର । ତୁମ୍ଭର ଦୟାହିଁ ଏକମାତ୍ର ସାର-। ଦୟାକରି ପ୍ରଭୁ, ଥରେମାତ୍ର ଏ ଦୀନ ଦାସକୁ ଦେଖା ଦିଅନ୍ତୁ । ପ୍ରଭୋ ! ନିକଟକୁ ଆସିଅଛ, ମୋତେ କ’ଣ ଦେଖା ନଦେଇ ହତାଶ କରି ଚାଲିଯିବ ? ତେବେ କାହା ପାଇଁ ଆଉ ଏ ପ୍ରାଣ ରଖିବି ପ୍ରଭୋ-!’’ ସନ୍ନ୍ୟାସୀ ଏହି ପ୍ରକାର ଭାବି ବ୍ୟାକୁଳ ହୋଇ ଶବରକୁ କହିଲେ, ‘‘ବତ୍ସ । ତୁମ୍ଭର ଆଜି ବଡ଼ ଭାଗ୍ୟର ଦିନ । ତୁମ୍ଭେ ଆଜି ବୃନ୍ଦାବନଚନ୍ଦ୍ର, ଗୋପୀହୃଦରଞ୍ଜନ, ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ ସ୍ୱନେତ୍ରରେ ଦେଖୁଅଛ । ତୁମ୍ଭର ସମସ୍ତ ପାପ, ଅପରାଧ ଆଜି ଦୂର ହେଲା । ତୁମ୍ଭେ ମୋର ଶିଷ୍ୟ ଦେବାକୁ ଯାହା ଇଚ୍ଛା କରୁଥିଲ ତାହାର ଆଉ ଆବଶ୍ୟକତା ନାହିଁ । ମୁଁ ତୁମ୍ଭର ଶିଷ୍ୟତ୍ୱ ଗ୍ରହଣ କଲେ ବରଂ ପାପମୁକ୍ତ ହେବି । ବତ୍ସ, ପ୍ରଭୁଙ୍କୁ ଟିକିଏ ମୋହ ପାଇଁ ପଚାର ଆଉ କେବେ ଏ ଦାସ ପ୍ରତି ଦୟା କରିବେ ? ଶବର ସନ୍ନ୍ୟାସୀଙ୍କର ଏ ପ୍ରକାର କାତର ବାକ୍ୟ ଶୁଣି ଅତ୍ୟନ୍ତ ବିସ୍ମିତ ହେଲା-। ସେ ଜାଣେ ନାହିଁ ଯେ, ଭଗବାନ୍‌ ଶ୍ରୀକୃଷ୍ଣଙ୍କୁ ସେ ଆଜି ପ୍ରାପ୍ତ ହୋଇଅଛି । ସେ ଏହା ଶୁଣିଲା ମାତ୍ରେ ପ୍ରଭୁଙ୍କର ପାଦ ଧରି ସାଷ୍ଟାଙ୍ଗ ହୋଇ ପଡ଼ିରହିଲା । ତାହାର ମୁଖରୁ ଆଉ କଥା ବାହାରିଲା ନାହିଁ-। ପ୍ରେମ ଗଦ୍‌ଗଦ୍‌ ସ୍ୱରରେ ସେ କହିଲା, ‘‘ହେ ଦୀନବନ୍ଧୋ ! ଯଦି ମୋହପ୍ରତି ଦୟାକଲ ଗୁରୁଙ୍କ ପ୍ରତି କାହିଁକି ଏଡ଼େ ନିର୍ଦ୍ଦୟ ? ତାହାଙ୍କୁ ଅନୁଗ୍ରହ କରି ଦର୍ଶନ ଦିଅ ।’’ ଶ୍ରୀକୃଷ୍ଣଙ୍କର ପାଦପଦ୍ମ ଧରି ଶବର ଏହିପରି ଭାବରେ କେତେକ ସମୟ ପଡ଼ି ରହିଲା । ମାତ୍ର କୌଣସି ଉତ୍ତର ପାଇଲା ନାହିଁ-। କେତେକ ସମୟ ପରେ ସନ୍ନ୍ୟାସୀ ପୁନର୍ବାର କହିଲେ, ‘‘ବତ୍ସ ! ପ୍ରଭୁଙ୍କୁ ପଚାର ଆଉ କେତେ ଦିନରେ ମୁଁ ତାହାଙ୍କର ଦର୍ଶନ ପାଇବି ? ଶବର ନିଜର କୌଣସି ପ୍ରାର୍ଥନା ନ ଜଣାଇ ପୁନର୍ବାର ଗୁରୁଙ୍କର ସେହି ନିବେଦନଟି ପ୍ରଭୁଙ୍କୁ ଜଣାଇଲା । ଭଗବାନ ଉତ୍ତର କଲେ, ‘‘ବତ୍ସ ! ତାହାଙ୍କୁ କହି ଦିଅ, ଏ ଜନ୍ମରେ ତାହାଙ୍କୁ ମୋର ଦର୍ଶନ ମିଳିବ ନାହିଁ । ସେ ତାହାଙ୍କର ଅବଶିଷ୍ଟ ଜୀବନକୁ ସରଳ ଭାବରେ କଟାଇ, ସରଳ ପ୍ରାଣରେ ମୋତେ ଡାକିଲେ ଏବଂ ମୋର ସନ୍ତାନମାନଙ୍କ ମଧ୍ୟରୁ କାହାରିକୁ ଘୃଣା ନ କରି ସମସ୍ତଙ୍କୁ ସମଭାବରେ ଦେଖିଲେ, ମୁଁ ତାହାଙ୍କର ଡାକ ଶୁଣି, ନିଜେ ଆସି ଦେଖାଦେବି । ମୋର ସନ୍ତାନମାନଙ୍କୁ ଯେ ସ୍ନେହ କରେ ନାହିଁ, ମୁଁ ତାହାକୁ ସହଜରେ ଦେଖାଦିଏ ନାହିଁ । ବତ୍ସ ! ମୁଁ ଯାଉଅଛି, ତୋର ଯେତେବେଳେ ମୋର ଦର୍ଶନ ପାଇବାକୁ ଇଚ୍ଛା ହେବ, ସରଳ ଭାବରେ ଡାକିବୁ । ମୁଁ ଅବଶ୍ୟ ଆସି ତୋତେ ଦେଖାଦେବି । ତୋର କିଛି ଚିନ୍ତା ନାହିଁ, କିଛି ଭୟନାହିଁ । ସୁଖରେ ରହିଥାଅ । ମୁଁ ଯାଉଛି ।’’

ଭଗବାନ୍‌ ଶ୍ରୀକୃଷ୍ଣ ଅନ୍ତର୍ହିତ ହୋଇଗଲେ । ଶବର ଗାତ୍ରୋଥ୍ଵାନ କରି ଦେଖିଲା, ଆଉ ସେହି ନବୀନନୀରଦତନୁ ବୃନ୍ଦାବନଚନ୍ଦ୍ର ସମ୍ମୁଖରେ ନାହାନ୍ତି । ସେ ଗୁରୁଙ୍କୁ ପ୍ରଣାମ କରି କହିଲା, ‘‘ପ୍ରଭୋ ! ଆପଣଙ୍କ ଯୋଗୁଁ ଆଜି ମୋର ଶ୍ରୀକୃଷ୍ଣ ଦର୍ଶନ ହୋଇଅଛି । ମୁଁ ଆପଣଙ୍କ ନିକଟରେ ରହି ସେବା କରିବି । ଆପଣ ମୋତେ ଆଉ ସେ ସୁଖରୁ ବଞ୍ଚିତ କରନ୍ତୁ ନାହିଁ ।’’ ସନ୍ନ୍ୟାସୀ ଏଥିରେ ଆଉ ଅସମ୍ମତ ନ ହୋଇ ଆନନ୍ଦରେ ତାହାକୁ ନିକଟରେ ରଖିଲେ । ଦୁହେଁ, ଗୁରୁଶିଷ୍ୟ ଭାବରେ ସେହି ନିବିଡ଼ ଅରଣ୍ୟ ମଧ୍ୟରେ ମହା ଆନନ୍ଦରେ କାଳଯାପନ କରିବାକୁ ଲାଗିଲେ ।

Image

 

ଭକ୍ତବୀର ମୟୂରଧ୍ୱଜ

 

ପୁରାକାଳରେ ମୟୂରଧ୍ୱଜ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ । ହରିନାମ, କୀର୍ତ୍ତନ, ଶ୍ରବଣ ଓ ହରିନାମରେ ଅପାର ଆନନ୍ଦ ଅନୁଭବ କରିବା ତାହାଙ୍କ ଜୀବନର ଏକମାତ୍ର କାର୍ଯ୍ୟ ଥିଲା । ତାହାଙ୍କର ରାଜ୍ୟ ସୁବିସ୍ତୃତ ଥିଲା । ସେ ଅସଂଖ୍ୟ ପ୍ରଜାଙ୍କର ଚକ୍ରବର୍ତ୍ତୀ ଓ ଅଶେଷ ସମ୍ପତ୍ତିର ଅଧିକାରୀ ଥିଲେ । କିନ୍ତୁ ସେ ଏଥିରେ ନିର୍ଲିପ୍ତ ଭାବରେ ରହି ଭଗବାନଙ୍କୁ ଏକମାତ୍ର ସାର ପଦାର୍ଥ ଜାଣି ସର୍ବଦା ତାହାଙ୍କୁହିଁ ଧ୍ୟାନ କରୁଥିଲେ । ଧର୍ମ ପାଇଁ ସେ ପ୍ରାଣ ପର୍ଯ୍ୟନ୍ତ ଦେବାକୁ କୁଣ୍ଠିତ ହେଉନଥିଲେ । ତାହାଙ୍କର ପୁତ୍ର ତାମ୍ରଧ୍ୱଜ ଯେପରି ବଳବାନ୍‌ ସେହିପରି ମଧ୍ୟ ପିତୃଭକ୍ତ ଥିଲେ । ପିତାଙ୍କର ଆଦେଶ ପାଳନ କରିବା ତାହାଙ୍କ ଜୀବନର ଦୃଢ଼ବ୍ରତ ଥିଲା ।

 

ରାଜା ମୟୂରଧ୍ୱଜ ଦିନେ ସ୍ୱପ୍ନରେ ଦେଖିଲେ ଯେ, ପାତ୍ରମନ୍ତ୍ରୀ ପ୍ରଭୃତି ରାଜପରିନେଷଦମା ତାହାଙ୍କୁ ବେଢ଼ି ବସିଅଛନ୍ତି । ସମସ୍ତେ ରାଜାଙ୍କୁ ଏକମୁଖରେ କହୁଅଛନ୍ତି, ‘‘ମହାରାଜ, ଆପଣଙ୍କ ପୁତ୍ର ତାମ୍ରଧ୍ୱଜ ଯେପରି ବଳବାନ୍‌ ଓ ଆପଣ ଯେପରି ଧର୍ମପରାୟଣ, ତହିଁରେ ଏକ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କରିବା ଆପଣଙ୍କର କର୍ତ୍ତବ୍ୟ ।’’ ରାଜା ସ୍ୱପ୍ନକଥା ପ୍ରଥମେ ରାଣୀଙ୍କ ନିକଟରେ ପ୍ରକାଶ କଲେ । ସ୍ୱାମୀ ଅନୁରୂପରେ ସ୍ତ୍ରୀ ପ୍ରକୃତି । ରାଣୀ ଅଶ୍ୱମେଧ ଯଜ୍ଞର ଫଳ ରାଜାଙ୍କ ମୁଖରୁ ଶୁଣି ଯଜ୍ଞର ଅନୁଷ୍ଠାନ ନିମିତ୍ତ ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କଲେ । ପୁତ୍ର ତାମ୍ରଧ୍ୱଜ ମଧ୍ୟ ଏହି ପ୍ରସ୍ତାବ ଶୁଣି କୌଣସି ଆପତ୍ତି କଲେ ନାହିଁ ।

 

ରାଜା ଅତି ଶୀଘ୍ର ମନ୍ତ୍ରୀଙ୍କୁ ଡକାଇ ଯଜ୍ଞର ଆୟୋଜନ ନିମିତ୍ତ ଆଦେଶ ଦେଲେ । ଗୋଟିଏ ସର୍ବସୁଲକ୍ଷଣମୁକ୍ତ ଅଶ୍ୱ ଅଣାଯାଇ ନାନାବିଧ ଅଳଙ୍କାରରେ ମଣ୍ଡିତ ହେଲା । ତାହାର ଗଳାରେ ଗୋଟିଏ ପତ୍ରିକା ଝୁଲାଇ ଦିଆଯାଇଥିଲା । ସେଥିରେ ଲେଖାଥିଲା ‘‘ଏ ଅଶ୍ୱ ରାଜା ମୟୂରଧ୍ୱଜଙ୍କର । ଯାହାର ଏ ଅଶ୍ୱକୁ ବାନ୍ଧିବା ପାଇଁ ସାହସ ହେବ, ସେ ତାହାଙ୍କ ସହିତ ଯୁଦ୍ଧ କରିବ । ପରାସ୍ତ ହେଲେ ଅଧୀନତା ସ୍ୱୀକାର କରିବ । ଘୋଡ଼ା ବାନ୍ଧିବାକୁ ସାହସ ନ ହେଲେ ଜଣାଯିବ ଯେ, ସେ ଆମ୍ଭର ଅଧୀନତା ସ୍ୱୀକାର କରିଅଛନ୍ତି । ସମସ୍ତ ରାଜା ଯଜ୍ଞ ଅନୁଷ୍ଠାନ ଦିନ ଯଜ୍ଞସଭାରେ ଉପସ୍ଥିତ ହୋଇ କାର୍ଯ୍ୟ ଚଳାଇବେ ।’’

 

ରାଜା ମୟୂରଧ୍ୱଜଙ୍କର ଯଶ ଲୋକେ ପୂର୍ବରୁ ଜାଣିଥିଲେ । ସେ ଯେପରି ଧର୍ମବଳରେ ବଳୀୟାନ ଓ ତାଙ୍କର ପୁତ୍ର ତାମ୍ରଧ୍ୱଜ ଯେପରି ବୀର, ସେଥିରେ କୌଣସି ରାଜା ତାହାଙ୍କ ସହିତ ଶତ୍ରୁତା ଆଚରଣ କରିବା ପାଇଁ ସାହସ କଲେ ନାହିଁ ।

 

ପରିଶେଷରେ ସେହି ଅଶ୍ୱ ପାଣ୍ଡବମାନଙ୍କ ରାଜ୍ୟରେ ପ୍ରବେଶ କଲା । ମଧ୍ୟମ ପାଣ୍ଡବ ଅର୍ଜୁନ ମହାବୀର । ଏ ଆସ୍ପର୍ଦ୍ଧା ତାହାଙ୍କର ସହ୍ୟ ହେଲାନାହିଁ । ସେ ବଳତ୍କାରରେ ଅଶ୍ୱକୁ ବାନ୍ଧି ରଖିଲେ । ବୃଷକେତୁ, ଚନ୍ଦ୍ରଭାନୁ ପ୍ରଭୃତି କେତେକ ମିତ୍ରରାଜାଙ୍କୁ ଧରି, ସେ ଯୁବରାଜ ତାମ୍ରଧ୍ୱଜଙ୍କ ଯୁଦ୍ଧକୁ ଆହ୍ୱାନ କଲେ । ପ୍ରଥମେ ଅର୍ଜୁନ ନିଜେ ଯୁଦ୍ଧରେ ପ୍ରବୃତ୍ତ ନ ହୋଇ ମିତ୍ରରାଜାମାନଙ୍କୁ ପ୍ରେରଣ କଲେ । ତାହାଙ୍କର ଧାରଣା ଥିଲା, ଯେ ସାମାନ୍ୟ ତାମ୍ରଧ୍ୱଜକୁ ପରାସ୍ତ କରିବା ପାଇଁ ତାହାଙ୍କୁ ଧନୁଶର ଧରିବାକୁ ହେବନାହିଁ । ତାହାଙ୍କର ମିତ୍ର ରାଜାମାନେ ତାମ୍ରଧ୍ୱଜଙ୍କୁ ଅକ୍ଲେଶରେ ପରାସ୍ତ କରିଦେବେ । କିନ୍ତୁ ସେ ଦେଖିଲେ ଯେ, ତାହାଙ୍କର ଏ ଧାରଣା ଠିକ ନୁହେଁ । ତାମ୍ରଧ୍ୱଜ ସେହି ମିତ୍ର ରାଜାମାନଙ୍କୁ ନିଜ ବାହୁବଳରେ ଅତିଶୀଘ୍ର ପରାସ୍ତ କଲେ । ଅର୍ଜୁନଙ୍କର ସାହସ କମିଗଲା । କିନ୍ତୁ ସେ ତାହାଙ୍କର ପରମ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ତାମ୍ରଧ୍ୱଜଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ । ମାତ୍ର ତାହାଙ୍କର ଦଶା ପୂର୍ବ ରାଜାମାନଙ୍କ ପରି ହୋଇଥିଲା । ସେ ବହୁତ ଯୁଦ୍ଧକରି ପରିଶେଷରେ ଭୂମିଶାୟୀ ହେଲେ ।

 

ଭଗବାନ ଶ୍ରୀକୃଷ୍ଣ ତାହାଙ୍କର ପରମଭକ୍ତ ଅର୍ଜୁନଙ୍କର ଏ ପ୍ରକାର ଦୁର୍ଦ୍ଦଶା ଦେଖି ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲେ । ଅତ୍ୟନ୍ତ ଦୁଃଖିତ ହୋଇ ସେ ଅର୍ଜୁନଙ୍କ ନିକଟରେ ବସି ମନ୍ତ୍ର ଉଚ୍ଚାରଣ କରି ତାହାଙ୍କ ଉପରେ ଜଳ ସିଞ୍ଚନ କଲେ । ଅର୍ଜୁନ ପୁନର୍ବାର ଚୈତନ୍ୟ ପାଇ, ଶ୍ରୀକୃଷ୍ଣଙ୍କୁ ନିକଟରେ ଦେଖି ତାହାଙ୍କୁ ପରାଜୟର କାରଣ ପଚାରିଲେ । ଶ୍ରୀକୃଷ୍ଣ କହିଲେ, ‘‘ଅର୍ଜୁନ ତାମ୍ରଧ୍ୱଜ ସାମାନ୍ୟ ବୀର ନୁହନ୍ତି । ତାହାଙ୍କର ପିତା ରାଜା ମୟୂରଧ୍ୱଜ ଦିବାରାତ୍ରି କେବଳ ମୋତେ ଧ୍ୟାନ କରିବା ବ୍ୟତୀତ ଅନ୍ୟ କାହିଁରେ ସୁଖ ଅନୁଭବ କରନ୍ତି ନାହିଁ । ତାହାଙ୍କର ମୋହଠାରେ ଅଚଳା ଭକ୍ତି । ମୁଁ ତାହା ତୁମ୍ଭଙ୍କୁ ବର୍ଣ୍ଣନା କରିପାରୁ ନାହିଁ । ସେ କେବଳ ମୋହର ଦର୍ଶନଲାଭ କରିବା ଉଦ୍ଦେଶ୍ୟରେ ଏହି ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କରିଅଛନ୍ତି । ତାହାଙ୍କର ଭକ୍ତି ସମ୍ୱନ୍ଧରେ ତୁମ୍ଭ ମନରେ ଯେବେ କିଛିମାତ୍ର ସନ୍ଦେହ ହେଉଥାଏ, ତେବେ ମୋ ସହିତ ଆସ । ମୁଁ ତୁମ୍ଭଙ୍କୁ ତାହାର ପ୍ରତ୍ୟକ୍ଷ ପ୍ରମାଣ ଦେଖାଇଦେବି ।

 

ଶ୍ରୀକୃଷ୍ଣ ଏକ ବ୍ରାହ୍ମଣ ବେଶ ଧାରଣ କଲେ । ଅର୍ଜୁନ ତାହାଙ୍କ ପୁତ୍ର ହୋଇ ସଙ୍ଗରେ ଗଲେ । ଦୁହେଁ ଯାଇ ରାଜା ମୟୂରଧ୍ୱଜଙ୍କ ରାଜ୍ୟରେ ଉପସ୍ଥିତ ହେଲେ । ବ୍ରାହ୍ମଣଙ୍କର ଆଗମନ ବାର୍ତ୍ତା ଶୁଣି ରାଜା ନିଜେ ସିଂହାସନରୁ ଓହ୍ଲାଇ ଆସି ଉପଯୁକ୍ତ ସମ୍ମାନ ସହ ତାହାଙ୍କୁ ଅଭ୍ୟର୍ଥନା କଲେ । ତତ୍ପରେ ତାହାଙ୍କୁ ଦିବ୍ୟ ଆସନରେ ବସାଇ ଆଗମନର କାରଣ ଜିଜ୍ଞାସା କଲେ । ବ୍ରାହ୍ମଣ ଶୋକଗଦ୍‌ଗଦ କଣ୍ଠରେ କହିଲେ, ‘‘ମହାରାଜ ! ମୁଁ ବୃଦ୍ଧ ବ୍ରାହ୍ମଣ । ମୋହର ଏକମାତ୍ର ପୁତ୍ର । ମୁଁ ତାହାର ବିବାହ କାର୍ଯ୍ୟ କରିବା ପାଇଁ ତାହାକୁ ସାଙ୍ଗରେ ଘେନି ଆସୁଥିଲି । କିନ୍ତୁ ପଥ ମଧ୍ୟରେ ଯେଉଁ ଘୋର ବିପତ୍ତି ପଡ଼ିଲା, ତାହା ଆପଣକୁ ଜଣାଇବାକୁ ମୋର ତୁଣ୍ଡ ଯାଉନାହିଁ । କିନ୍ତୁ ଆପଣ ତ ରାଜା, ବିପନ୍ନକୁ ସାହାଯ୍ୟ କରିବା ଆପଣଙ୍କର ପ୍ରଧାନ ଧର୍ମ । ଭଗବାନ ସେଥି ନିମିତ୍ତ ଆପଣଙ୍କୁ ବଳ ଦେଇଅଛନ୍ତି । ମୁଁ ବିଶେଷ ଆଶାନ୍ୱିତ ହୋଇ ଆପଣଙ୍କ ନିକଟକୁ ଆସିଅଛି । ଆପଣ ମୋତେ ବିପଦରୁ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତ ହେଲେ ମୁଁ ଆପଣଙ୍କୁ ମୋର ଦୁଃଖର କାହାଣୀ କହିବି ।’’

 

ରାଜା ବ୍ରାହ୍ମଣଙ୍କର କାତର ବାକ୍ୟ ଶୁଣି କହିଲେ, ‘‘ବିପ୍ରବର ! ତୁମ୍ଭେ ଅକୁଣ୍ଠିତ ଚିତ୍ତରେ ତୁମ୍ଭ ବିପଦର କଥା ମୋ ଆଗରେ କହିଯାଅ । ମୁଁ ତୁମ୍ଭଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିବି ! ତୁମ୍ଭେ ଏହିକଥା ନିଶ୍ଚିତ ଜାଣି ନିର୍ଭୟରେ କହିଯାଅ ।’’

 

ବ୍ରାହ୍ମଣ କହିଲେ, ‘‘ମହାରାଜ ! ମୁଁ ମୋ ବିପଦର କଥା ଆପଣଙ୍କୁ କ’ଣ କହିବି ? ତାହା ସ୍ମରଣ କରି ମୋର ଶରୀର ଲୋମାଞ୍ଚିତ ହେଉଅଛି । ଯାହା ହେଉ, ଆପଣ ମୋତେ ଅଭୟ ପ୍ରଦାନ କରିଅଛନ୍ତି । ସେହି ବଳରେ ମୁଁ ତାହା ଆପଣଙ୍କୁ କହିବାକୁ ସାହସ କଲି । ପଥ ମଧ୍ୟରେ ଆସୁ ଆସୁ ଏକ ଭୀଷଣକାୟ ସିଂହ ଆସି ହଠାତ୍‌ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ସେ ମୋର ପୁତ୍ରକୁ ଆକ୍ରମଣ କରି ତାହାକୁ ଭକ୍ଷଣ କରିବାକୁ ଉଦ୍ୟତ ହେଲା । ମୁଁ ପ୍ରଥମେ ଭୟରେ କାତର ହୋଇ କିଂକର୍ତ୍ତବ୍ୟବିମୂଢ଼ ହୋଇଥିଲି । ମାତ୍ର ପୁତ୍ରର ଶୁଭକାର୍ଯ୍ୟରେ ଏ ପ୍ରକାର ଅମଙ୍ଗଳ ଘଟିଲା । ଏପରି କି ତାହାର ପ୍ରାଣନାଶ ହେବାକୁ ପଡ଼ିଲା । ମୁଁ ସାହସ ଧରି ସିଂହକୁ କହିଲି, ‘ପଶୁରାଜ ! ମୁଁ ବୃଦ୍ଧ ବ୍ରାହ୍ମଣ । ମୋର ଏହି ଏକମାତ୍ର ପୁତ୍ର । ମୁଁ ତାହାକୁ ବିବାହ ଦେବା ପାଇଁ ଗୃହକୁ ନେଉ ଅଛି । ତୁମ୍ଭେ ତାହାକୁ ଅନୁଗ୍ରହ କରି ଛାଡ଼ିଦିଅ । ଯଦି ଇଚ୍ଛା ହୁଏ, ମୋର ଶରୀର ଭକ୍ଷଣ କରି କ୍ଷୁଧା ନିବାରଣ କର । ’ କିନ୍ତୁ ମହାରାଜ ! ସିଂହ ସେଥିରେ ଆଦୌ ସମ୍ମତ ହେଲାନାହିଁ-। କହିଲା, ତୁମ୍ଭେ ଅତ୍ୟନ୍ତ ବୃଦ୍ଧ । ତୁମ୍ଭର ଶରୀର କ୍ଷୀଣ । ତୁମ୍ଭର ଶରୀର ଭକ୍ଷଣ କଲେ ମୋର କ୍ଷୁଧା ନିବାରିତ ହେବ ନାହିଁ । ସୁତରାଂ ମୁଁ ତୁମ୍ଭର ପୁତ୍ରକୁ ଭକ୍ଷଣ କରିବି । ତୁମ୍ଭେ ସେଥିରେ ଆପତ୍ତି କର ନାହିଁ ।

 

‘‘ମୁଁ କହିଲି, ‘ହେ ପଶୁରାଜ, ତୁମ୍ଭେ ଇଚ୍ଛା କଲେ ଏହାଠାରୁ ବଳି ଉତ୍କୃଷ୍ଟ ଆହାର ଅକ୍ଳେଶରେ ସଂଗ୍ରହ କରିପାରିବ । ମୋ ସମ୍ମୁଖରେ ମୋର ଏକମାତ୍ର ପୁତ୍ରକୁ ଭକ୍ଷଣ କଲେ ମୋ ପ୍ରାଣରେ ଅତ୍ୟନ୍ତ ଆଘାତ ଲାଗିବ । ଯଦି ମୋର ଶରୀର ଭକ୍ଷଣ କରି ତୁମ୍ଭର କ୍ଷୁଧା-ନିବାରଣ ହେବ ନାହିଁ, ତେବେ ଅନ୍ୟ କୌଣସି ଉପାୟ ଥିଲେ କହ । କିନ୍ତୁ ମୋତେ ଶୋକ-ସାଗରରେ ଭସାଅ ନାହିଁ । ମୋର କୁଳରକ୍ଷା କର ।’ ଏହିପରି ଅନେକ ପ୍ରକାରେ ଅନୁନୟ ବିନୟ କଲାରୁ ସିଂହ ମୋ ପୁତ୍ରର ପ୍ରାଣରକ୍ଷା ପାଇଁ ଏକ ଉପାୟ କହିଲା । ମହାରାଜ ! ସେ କି ନିଷ୍ଠୁର କଥା ! ମୁଁ କିପରି ତାହା ଆପଣଙ୍କୁ କହିବି ! ମୋର ମସ୍ତକ ଘୂର୍ଣ୍ଣିତ ହେଉଅଛି । ମୁଖରୁ କଥା ବାହାରୁ ନାହିଁ । ମହାରାଜ ! ସିଂହ କହିଲା, ‘ଯଦି ତୋର ପୁତ୍ରର ଜୀବନରକ୍ଷା କରିବାକୁ ଇଚ୍ଛାକରୁ, ତେବେ ରାଜା ମୟୂରଧ୍ୱଜଙ୍କର ଦକ୍ଷିଣ ଅଙ୍ଗ ଆଣି ମୋତେ ପ୍ରଦାନ କଲେ ମୁଁ ତାହା ବଦଳରେ ପୁତ୍ରକୁ ଫେରାଇ ଦେବି । ସ୍ତ୍ରୀ ପୁତ୍ର ଦୁହେଁ କରତ ଧରି ନିର୍ମଳ ମନରେ ରାଜାଙ୍କର ଅଙ୍ଗକୁ ଚିରିବେ । ଟିକିଏ ମାତ୍ର କୁଣ୍ଠିତ ନ ହୋଇ ଅକାତରେ ତାହାଙ୍କର ଦକ୍ଷିଣ ଅଙ୍ଗ ପ୍ରଦାନ କରିବେ । ତେବେ ମୁଁ ଆନନ୍ଦପୂର୍ବକ ସେହି ଅଙ୍ଗ ଭକ୍ଷଣ କରି ତୁମ୍ଭ ପୁତ୍ରର ପ୍ରାଣରକ୍ଷା କରିବି ।’’

 

ରାଜା କହିଲେ, ‘‘ବିପ୍ରବର ! ଏହି ସାମାନ୍ୟ ପ୍ରାର୍ଥନା ତୁମ୍ଭର ଅଚିରେ ପୂର୍ଣ୍ଣ ହେବ । ତୁମ୍ଭେ ସ୍ଥିର ରହି ପାନାହାର କର ।’’

 

ବ୍ରାହ୍ମଣ କହିଲେ, ‘‘ମହାରାଜ, ବର୍ତ୍ତମାନ ମୋହର ପାନାହାର କରିବାର ସମୟ ନୁହେଁ । ମୁଁ ସିଂହକୁ ବାକ୍ୟଦେଇ ଅତ୍ୟଳ୍ପ ମାତ୍ର ସମୟ ପାଇଁ ଏଠାକୁ ଆସିଅଛି । ବିଳମ୍ୱ ହେଲେ ସିଂହ ଅତ୍ୟନ୍ତ କ୍ରୁଦ୍ଧ ହେବ । ସୁତରାଂ ଯଦି ଆପଣ ପ୍ରକୃତରେ ମୋହର ବିପଦରେ ସହାୟ ହେବେ, ତେବେ ତାହା ଅବିଳମ୍ୱେ କାର୍ଯ୍ୟରେ ପରିଣତ କରନ୍ତୁ ।’’

 

ଯୁବରାଜ ତାମ୍ରଧ୍ୱଜ ପିତାଙ୍କ ନିକଟରେ ଠିଆ ହୋଇଥିଲେ । ସେ ଏହି କଥାମାନ ଶୁଣି କହିଲେ, ‘‘ପିତଃ, ଆପଣ ସଂସାର କ୍ଷେତ୍ରରେ ପ୍ରବୀଣ, ମୁଁ ବାଳକ ମାତ୍ର । ଆପଣ ଗଲେ ଏ ରାଜ୍ୟଭାର ବହନ କରି ଚଳାଇବା ମୋ ପକ୍ଷରେ ଅସମ୍ଭବ ହୋଇପଡ଼ିବ । ଆପଣ ରହନ୍ତୁ; ମୁଁ ସିଂହର କ୍ଷୁଧା ନିବାରଣ ପାଇଁ ଜୀବନଦାନ କରି ବ୍ରାହ୍ମଣପୁତ୍ରଙ୍କୁ ଉଦ୍ଧାର କରିବି ।’’ ତତ୍ପରେ ବ୍ରାହ୍ମଣଙ୍କୁ କହିଲେ, ‘‘ଦେଖନ୍ତୁ, ବିପ୍ରବର, ମୋର ପିତା ବୃଦ୍ଧ । ତାହାଙ୍କର ଶରୀର ମୋ ତୁଳନାରେ ଅତ୍ୟନ୍ତ କ୍ଷୀଣ । ମୋତେ ଭକ୍ଷଣ କଲେ ସିଂହ ଯେପରି ତୃପ୍ତ ହେବ ପିତାଙ୍କ ଶରୀର ଭକ୍ଷଣ କଲେ ସେପରି ହେବନାହିଁ । ସୁତରାଂ ପିତାଙ୍କ ପରିବର୍ତ୍ତରେ ମୋର ଶରୀର ନେଇ ସିଂହକୁ ପ୍ରଦାନ କରନ୍ତୁ-।’’

 

ରାଣୀ ଉର୍ମ୍ମିଳା ଦେବୀ ଏହା ଶୁଣି କହିଲେ, ‘‘ଦ୍ୱିଜବର, ତୁମ୍ଭେ ଜ୍ଞାନୀ ଓ ଚତୁର । ଧର୍ମଶାସ୍ତ୍ରରେ ଲେଖାଅଛି, ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗିନୀ । ସିଂହ ରାଜାଙ୍କ ଶରୀରରୁ ଅର୍ଦ୍ଧେକ ଇଚ୍ଛା କରିଅଛି । ମୁଁ ତାହାଙ୍କର ଧର୍ମ ପତ୍ନୀ ସୁତରାଂ ଅର୍ଦ୍ଧାଙ୍ଗିନୀ । ସୁତରାଂ ତୁମ୍ଭେ ରାଜାଙ୍କ ପରିବର୍ତ୍ତେ ମୋର ଶରୀର ନେଇ ସିଂହକୁ ପ୍ରଦାନ କର । ତୁମ୍ଭର ପୁତ୍ର ଜୀବନ ପାଉ ।’’

 

ରାଣୀ ଓ ଯୁବରାଜଙ୍କ କଥା ଶୁଣି ବ୍ରାହ୍ମଣ କହିଲେ, ‘‘ଦେଖନ୍ତୁ, ଆପଣମାନେ ଯାହା କହୁଛନ୍ତି ତହିଁରେ ମୋର ଆପତ୍ତି ହେବାର କୌଣସି କାରଣ ନାହିଁ । କିନ୍ତୁ ସିଂହ ଯାହା କହିଅଛି ତାହା ମୁଁ ଆଗହୁଁ ପ୍ରକାଶ କରିଅଛି । ତାହାର ରାଜାଙ୍କ ଦକ୍ଷିଣ ଅଙ୍ଗ ଆବଶ୍ୟକ । ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ସତ୍ୟ, କିନ୍ତୁ ବାମାଙ୍ଗୀ । ଆଉ ପୁତ୍ରର ଶରୀର ମଧ୍ୟ କି ଆବଶ୍ୟକ ? ସ୍ତ୍ରୀ, ପୁତ୍ର ଦୁହେଁ କରତ ଧରି ରାଜଅଙ୍ଗ ଚିରିଦେଲେ ମୁଁ ଦକ୍ଷିଣ ଅଙ୍ଗଟିକୁ ନେଇ ସିଂହକୁ ଦେବି । ମୋର ଏହିମାତ୍ର ପ୍ରାର୍ଥନା । ଆପଣମାନେ ସେଥିରେ ସମ୍ମତ ନ ହେଲେ ମୁଁ ଫେରିଯାଇ ସିଂହକୁ କହିବି । ଯଦି ଅନ୍ୟ କୌଣସି ଉପାୟରେ ପୁତ୍ରର ପ୍ରାଣରକ୍ଷା ହୋଇପାରେ ତାହାର ଚେଷ୍ଟା କରିବି । ନୋହିଲେ ମୋର ଭାଗ୍ୟ ଫଳ ଅବଶ୍ୟ ଭୋଗ କରିବି । ଆସ୍ତି, ନାସ୍ତି ଏହି ଉଭୟଟିରୁ ଗୋଟିଏ କଥା କହନ୍ତୁ । ବୃଥାରେ ସମୟ ନଷ୍ଟକଲେ ମୋର କ୍ଷତି ।’’

 

ବ୍ରାହ୍ମଣୀଙ୍କର କଥା ଶୁଣି ରାଜା କହିଲେ, ‘‘ଦ୍ୱିଜବର ! ତୁମ୍ଭେ କିଛି ସମୟ ଅପେକ୍ଷା କର-। ମୁଁ ଅତିଶୀଘ୍ର ତୁମ୍ଭର ଅଭିଳାଷ ପୂର୍ଣ୍ଣ କରିବି ।’’ ତତ୍ପରେ ନିଜର ସ୍ତ୍ରୀ ଓ ପୁତ୍ରଙ୍କୁ ଚାହିଁ କହିଲେ, ‘‘ହେ ପ୍ରିୟତମେ, ହେ ମୋର ପ୍ରାଣାଧିକ ପୁତ୍ର ତାମ୍ରଧ୍ୱଜ ! ତୁମ୍ଭେମାନେ କାହିଁକି ଆଉ ବିଳମ୍ୱ କରୁଅଛ ? ଦେ, ତୁମ୍ଭମାନଙ୍କ ପ୍ରାଣ ମୋ ପ୍ରାଣଅପେକ୍ଷା ଅଧିକ ମୂଲ୍ୟବାନ । ମୁଁ ଦିନକୁ ଦିନ କ୍ଷୀଣରୁ କ୍ଷୀଣତର ହେଉଅଛି । ସଂସାରରେ ଆଉ ଅବା କେତେ ଦିନ ରହିବି ? ରହିଲେ କେବଳ ତୁମ୍ଭମାନଙ୍କର କଷ୍ଟଦାୟକ ହେବି । ଧର୍ମ ପୁଣ୍ୟ ତ ଜୀବନରେ ଯାହା କରିଅଛି ତାହା କିଛି ନୁହେଁ-। ସୁତରାଂ ମୋର ଶେଷ ଜୀବନକୁ ଭଗବାନ ଯେବେ ଏପରି ଏକ ସୁଯୋଗ ଆଣିଦେଇ ଅଛନ୍ତି ତାହାର ସଦ୍‌ବ୍ୟବହାର କରିବା ମୋ ପକ୍ଷରେ ଏକାନ୍ତ କର୍ତ୍ତବ୍ୟ । ଅତଏବ ତୁମ୍ଭେମାନେ ଚିନ୍ତା ଓ ଉଦ୍‍-ବେଗ ମନରୁ ଦୂରକରି ଶୀଘ୍ର ତୁମ୍ଭମାନଙ୍କର କର୍ତ୍ତବ୍ୟ ପାଳନ କର । ମୋ ପ୍ରତି ତୁମ୍ଭମାନଙ୍କର ଯେବେ ଶ୍ରଦ୍ଧା, ଭକ୍ତିଥାଏ, ତେବେ ଅକୁଣ୍ଠିତ ଚିତ୍ତରେ କରତ ଦ୍ୱାରା ମୋ ଅଙ୍ଗ ଚିରି ବ୍ରାହ୍ମଣଙ୍କୁ ଦାନକର । ତୁମ୍ଭେମାନେ ଯେବେ ଧର୍ମ କାର୍ଯ୍ୟରେ ମୋର ସହାୟ ନ ହେବ, ତୁମ୍ଭମାନଙ୍କ ସମକ୍ଷରେ ଯେବେ ମୋର ଧର୍ମହାନି ହେବ, ତେବେ ଇହକାଳ ଓ ପରକାଳକୁ ଏ ବଂଶର ନିନ୍ଦା ରହିଯିବ-। ଯାଅ, ଆଉ ବିଳମ୍ୱ କରନାହିଁ । ଶୀଘ୍ର ଖଣ୍ଡିଏ କରତ ଆଣି ତୁମ୍ଭର ସମ୍ପାଦନ କାର୍ଯ୍ୟ କର-। ଦେଖ, ମନରେ ଯେପରି କୌଣସି କଳ୍ପନା ଜାତ ନ ହୁଏ । ଆନନ୍ଦ ମନରେ ଧର୍ମକାର୍ଯ୍ୟ କର-। ମୋର ଆଶୀର୍ବାଦରୁ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ ବା ଅନିଷ୍ଟ ଘଟିବ ନାହିଁ ।’’

 

ରାଣୀ, ଯୁବରାଜ ଓ ଅନ୍ୟାନ୍ୟ ରାଜପରିଷଦମାନେ ଅବାକ୍‌ ହୋଇ ଠିଆହେଲେ । କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । ସମସ୍ତଙ୍କ ଆଖିରୁ ଲୁହ ଗଡ଼ିବାକୁ ଲାଗିଲା । ରାଜାଙ୍କର ଜୀବନ୍ତ ଶରୀରକୁ କରତରେ ଚିରିବାପାଇଁ କାହାର ସାହସ ହେବ ?

 

ଏଣେ କାଳ ବିଳମ୍ୱ ଦେଖି ବ୍ରାହ୍ମଣ କହିଲେ, ‘‘ମହାରାଜ ! ଦେଖୁଅଛି, ଆପଣଙ୍କର ସ୍ତ୍ରୀ, ପୁତ୍ର ଓ ଅନ୍ୟାନ୍ୟ ପାତ୍ରମନ୍ତ୍ରୀ ପ୍ରଭୃତି ଆପଣଙ୍କୁ ଅତ୍ୟନ୍ତ ସ୍ନେହ କରନ୍ତି । ଆପଣଙ୍କର ମୂଲ୍ୟବାନ୍‌ ଶରୀର ସିଂହର ଭକ୍ଷ୍ୟ ହେଉ, ଏହା କାହାରି ଇଚ୍ଛା ନୁହେଁ । ସେମାନେ କେବେହେଁ ଆପଣଙ୍କୁ ଛାଡ଼ିବେ ନାହିଁ । ସୁତରାଂ ମୋତେ ବିଦାୟ ଦିଅନ୍ତୁ । ମୁଁ ଅନ୍ୟତ୍ର ଗମନ କରେଁ ।’’

 

ବ୍ରାହ୍ମଣ ଧୀରେ ଧୀରେ ଫେରିବାକୁ ଉଦ୍ୟତ ହେଲେ । ରାଜା ବିନୟପୂର୍ବକ ତାହାଙ୍କୁ ଡାକି କହିଲେ, ‘‘ବିପ୍ରବର, ଆପଣ ଆଉ ଅଳ୍ପକ୍ଷଣ ଅପେକ୍ଷା କରନ୍ତୁ । ଆମ୍ଭେମାନେ ସମସ୍ତେ ସ୍ନାନାଦି ଶେଷ କରି ଆପଣଙ୍କର ପ୍ରାର୍ଥନା ପୂର୍ଣ୍ଣ କରିବୁ । ଆପଣ ଆଉ ଦଣ୍ଡେମାତ୍ର ଏହି ଆସନରେ ଉପବେଶନ କରନ୍ତୁ ।’’

 

ବ୍ରାହ୍ମଣ ଆସନରେ ଉପବେଶନ କଲେ । ରାଜା, ସ୍ତ୍ରୀ ଓ ପୁତ୍ରଙ୍କୁ ସଙ୍ଗରେ ନେଇ ସ୍ନାନାଦି ଶେଷ କଲେ । କରତରେ ଚିରିଲା ବେଳେ ମନରେ ଯେପରି କୌଣସି ଦୁଃଖ ଜାତ ନ ହୁଏ, ଏଥିପାଇଁ ରାଜା ସେମାନଙ୍କୁ ବିଶେଷ ଭାବରେ ସାବଧାନ କରାଇଦେଲେ ।

ରାଜା ଆଗେ ଆଗେ ଧୀରେ ଧୀରେ ଆସୁଅଛନ୍ତି । ମୁଖରେ ଅଣୁମାତ୍ର ବିଷାଦର ଚିହ୍ନନାହିଁ । ଫୁଟିଲା ଫୁଲପରି ମୁଖର ଜ୍ୟୋତିଃ ଫୁଟି ବାହାରୁଛି । ପଛେ ପଛେ ରାଣୀ ଉର୍ମ୍ମିଳାଦେବୀ ଓ ପୁତ୍ର ତାମ୍ରଧ୍ୱଜ ହାତରେ କରତ ଧରି ପ୍ରଫୁଲ୍ଲ ମୁଖରେ ଆସୁଅଛନ୍ତି । ସେ ଦୃଶ୍ୟ କି ଭୟଙ୍କର ! ପ୍ରାଣର ପତ୍ନୀ ଓ ପୁତ୍ର କରତ ଧରି ରାଜାଙ୍କର ଶରୀର ଚିରିବା ପାଇଁ ଆସୁଅଛନ୍ତି ! ଏହାଠାରୁ ବଳି କଠୋର ଦୃଶ୍ୟ ଆଉ କ’ଣ ଥାଇପାରେ ?

ସମସ୍ତେ ଆସି ସଭାସ୍ଥଳରେ ଉପସ୍ଥିତ ହେଲେ । ବ୍ରାହ୍ମଣ ସେହିପରି ଭାବରେ ଆସନରେ ବସି ରହି ଅଛନ୍ତି । ରାଜା ବ୍ରାହ୍ମଣଙ୍କୁ ନମସ୍କାର କରି ଜାନୁପାତ ପୂର୍ବକ ଉପବେଶନ କଲେ । ତତ୍ପରେ ଚକ୍ଷୁମୁଦ୍ରିତ କରି ଅନାଦିକାରଣ ଶ୍ରୀଭଗବାନଙ୍କୁ ମନେ ମନେ ଧ୍ୟାନ କରିବାକୁ ଲାଗିଲେ, ‘‘ହେ ଦୀନବନ୍ଧୋ, ହେ ପତିତପାବନ, ହେ ଦେବାଧିଦେବରାଜ, ଏ ଦୀନ ଦାସ ପ୍ରତି ଯେବେ କରୁଣା କରିଅଛ, ତେବେ ହୃଦୟରେ ସାହସ ଦିଅ । ଏ ଦାସ ଯେଉଁ କାର୍ଯ୍ୟ ନିମିତ୍ତ ଅଗ୍ରସର ହେଉଅଛି ତାହା ଯେପରି ନିର୍ବିଘ୍ନରେ ସମ୍ପାଦିତ ହୁଏ । ବ୍ରାହ୍ମଣ ସନ୍ତୁଷ୍ଟ ହୋଇ ମୋର ଦକ୍ଷିଣ ଅଙ୍ଗ ନେଇ ତାହାଙ୍କର ପୁତ୍ରର ଜୀବନ ରକ୍ଷା କରନ୍ତୁ । ମୋର ଧର୍ମ ରକ୍ଷା ହେଉ । ପ୍ରଭୋ ! ଜୀବନରେ ଥରେ ହେଲେ ଆପଣଙ୍କର ଦର୍ଶନ ପାଇବି ବୋଲି ମନରେ ବଡ଼ ଆକାଂକ୍ଷା ଥିଲା । ଯଦି ଦୟା ଥାଏ ଥରେ ହେଲେ ଏ ଦାସକୁ ଅନ୍ତିମ ସମୟରେ ଦେଖା ଦିଅ ।’’ ଏହି ପ୍ରକାରେ ଧ୍ୟାନକରି ପତ୍ନୀ ଓ ପୁତ୍ରଙ୍କୁ ସାଧନ ନିମିତ୍ତ ଆଦେଶ ଦେଲେ ।

ଓହୋ ! କି ସେ ନିଷ୍ଠୁର କାର୍ଯ୍ୟ ! ରାଣୀ ଓ ଯୁବରାଜ ଯେତେ ବେଳେ ରାଜାଙ୍କର ଦୁଇପାର୍ଶ୍ୱରେ ଠିଆହୋଇ କରତ ଧରି ମସ୍ତକ ଚିରିବାକୁ ଉଦ୍ୟତ ହେଲେ, ଦର୍ଶକମାନେ ତାହା ଚକ୍ଷୁରେ ଦେଖିନପାରି ବସନରେ ଆବୃତକଲେ । ପ୍ରତ୍ୟେକର ଚକ୍ଷୁରୁ ଲୋତକଧାର ବହିବାକୁ ଲାଗିଲା । ବ୍ରାହ୍ମଣ ଏହି ସମୟରେ ଦଣ୍ଡାୟମାନ ହୋଇ କହିବାକୁ ଲାଗିଲେ, ‘‘ଥାଉ, ଥାଉ, ବୃଥାରେ ବହୁମୂଲ୍ୟ ରାଜଅଙ୍ଗ କାହିଁକି ନଷ୍ଟ କରିବ ? ଅଶ୍ରଦ୍ଧା ଦାନ ମୋର ଲୋଡ଼ାନାହିଁ । ବିଶେଷତଃ ସିଂହ ତାହା ଭକ୍ଷଣ କରିବନାହିଁ । ମୋର ଯହିଁରେ କାର୍ଯ୍ୟ ସାଧନ ହେବ ନାହିଁ ମୁଁ କାହିଁକି ତାହା ବୃଥା ଗ୍ରହଣ କରିବି ? ଦେଖ, ନୃପତି, କାନ୍ଦୁଅଛନ୍ତି । ଥାଉ, ଥାଉ; ରାଣୀ, ଯୁବରାଜ, ତୁମ୍ଭେମାନେ କ୍ଷାନ୍ତହୁଅ । ମୁଁ ସ୍ପଷ୍ଟ ବୁଝିଲିଣି ଯେ, ତୁମ୍ଭେମାନେ ସମସ୍ତେ ଏକ ବିଚାର କରି ଉପରେ ଏକ କଥା ଓ ଭିତରେ ଏକ କଥା କରିବାକୁ ଯାଉଅଛ । ଆଉ ମୋର ଏ ଦାନରେ ପ୍ରୟୋଜନ ନାହିଁ । ମୁଁ ନିଜ କାର୍ଯ୍ୟରେ ଯାଉଅଛି ।’’ ବ୍ରାହ୍ମଣ ଧୀରେ ଧୀରେ ଚାଲିବାକୁ ଲାଗିଲେ ।

ରାଜା ଚକ୍ଷୁ ଫିଟାଇ ଦେଖିଲେ । ବ୍ରାହ୍ମଣ ଚାଲିଯାଉ ଅଛନ୍ତି । ସେ କହିଲେ, ‘‘ବିପ୍ରବର, ଆପଣ ବୃଥା ସନ୍ଦେହ କରୁଅଛନ୍ତି । ମୁଁ ମୋର ଦକ୍ଷିଣ ଅଙ୍ଗ ଦାନ କରିବାକୁ ତିଳେମାତ୍ର କୁଣ୍ଠିତ ନୁହେଁ । ମୁଁ ସତ୍ୟ କରି କହୁଅଛି ଯେ, ମୁଁ ତାହା ଆନନ୍ଦର ସହିତ ଆପଣଙ୍କୁ ପ୍ରଦାନ କରୁଅଛି । ମୋର ବାମ ଚକ୍ଷୁରୁ ଯେଉଁ ଲୋତକ ବହୁଅଛି ତାହାର କାରଣ ଭିନ୍ନ । ମୋର ବାମ ଅଙ୍ଗ ମନରେ ଭାବୁଅଛି, ‘‘ଦକ୍ଷିଣଅଙ୍ଗ ବଡ଼ ଭାଗ୍ୟବାନ୍‌, କି ସୁକୃତବଳରେ ସେ ବ୍ରାହ୍ମଣ କାର୍ଯ୍ୟରେ ଲାଗିଲା, କିନ୍ତୁ ମୁଁ କି ପାପୀ । ମୁଁ କାହାରି କୌଣସି କାର୍ଯ୍ୟରେ ଆସିଲି ନାହିଁ । ବ୍ରାହ୍ମଣ ମୋତେ ମଧ୍ୟ ଗ୍ରହଣ କରନ୍ତୁ-।’’ ଆପଣ ଯେ ମନେ କରୁଅଛନ୍ତି, ମୁଁ ମୋର ଦକ୍ଷିଣ ଅଙ୍ଗ ଦେବାକୁ କୁଣ୍ଠିତ ହୋଇ କ୍ରନ୍ଦନ କରୁଅଛି, ତାହା କଦାପି ନୁହେଁ । ସୁତରାଂ ଆପଣ କଦାପି ବିମୁଖ ହୋଇ ଫେରି ଯାଆନ୍ତୁ ନାହିଁ-। ତାହା ହେଲେ ମୋହର ଧର୍ମହାନି ହେବ ।’’

ରାଜା ଏହିପରି କହୁଅଛନ୍ତି, ଏପରି ସମୟରେ ବ୍ରାହ୍ମଣ ଚାହୁଁ ଚାହୁଁ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ । କେଉଁଆଡ଼େ ଚାଲିଗଲେ ତାହା କେହି ଜାଣି ପାରିଲେ ନାହିଁ । ବଡ଼ ଆଶ୍ଚର୍ଯ୍ୟଜନକ ଏ ଘଟଣା ! ଚାହୁଁ ଚାହୁଁ ରାଜପ୍ରସାଦ ଏକ ସ୍ୱର୍ଗୀୟ ଜ୍ୟୋତିରେ ଉଦ୍ଭାସିତ ହେବାକୁ ଲାଗିଲା । ରାଜା ଦେଖିଲେ, ସମ୍ମୁଖରେ ନବୀନ ନୀରଦତନୁ, ଶିଖୀପୁଚ୍ଛଚୂଡ଼ା, ଗୋପୀଜନବଲ୍ଲଭ, ପାଣ୍ଡବସହାୟ, ବ୍ରଜରାଜ ଶ୍ରୀକୃଷ୍ଣ ବଂଶୀ ଧରି ତ୍ରିଭଙ୍ଗିମା ଛନ୍ଦରେ ଠିଆ ହୋଇ ଶୋଭା ପାଉଅଛନ୍ତି-। ତାହାଙ୍କର ପାର୍ଶ୍ୱରେ ମଧ୍ୟ ପାଣ୍ଡବ ଅର୍ଜୁନ ହାତଯୋଡ଼ି ପ୍ରେମ ଗଦ୍‌ଗଦ ସ୍ୱରରେ ସ୍ତବପାଠ କରୁଅଛନ୍ତି । ରାଜାଙ୍କର ଯେପରି କି ସ୍ୱପ୍ନ ଭାଙ୍ଗିଗଲା । ସେ ତାହାଙ୍କର ଚିରପୋଷିତ ଅଭିଳାଷ ପୂର୍ଣ୍ଣ ହେବାର ଦେଖି ପ୍ରେମବିହ୍ୱଳ ହୋଇ ଭଗବାନଙ୍କ ଅପୂର୍ବ ରୂପମାଧୁରୀ ନିରୀକ୍ଷଣ କରିବାକୁ ଲାଗିଲେ । ତାହାଙ୍କର ହୃଦୟରେ ପ୍ରେମ-ସଙ୍ଗୀତର ଉଚ୍ଛ୍ୱାସ ଖେଳିଉଠିଲା । ସେ ଆତ୍ମବିସ୍ମୃତ ହୋଇ ଗାନ କରିବାକୁ ଲାଗିଲେ ।

 

‘‘ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ ।

କେଳିଚଳନ୍ମଣିକୁଣ୍ଡଳ ମଣ୍ଡିତ ଗଣ୍ଡଯୁଗସ୍ମିତଶାଳୀ ।

ଚନ୍ଦ୍ରକଚାରୁ ମୟୂର ଶିଖଣ୍ଡକ ମଣ୍ଡଳବଳୟିତ କେଶଂ,

ପ୍ରଚୁର ପୁରନ୍ଦର ଧନୁରନୁରଞ୍ଜିତ ମେଦୂର ମୂଦିରସୁବେଶଂ ।’’

 

ଭଗବାନ୍‌ ଶ୍ରୀକୃଷ୍ଣ ଭକ୍ତି ଓ ପ୍ରେମରେ ପରମ ସନ୍ତୁଷ୍ଟ ହୋଇ ସ୍ୱହସ୍ତରେ ରାଜାଙ୍କୁ ଭୂମିରୁ ଉଠାଇ କହିଲେ, ‘‘ବତ୍ସ ! ତୋହର ପରୀକ୍ଷା ଶେଷ ହୋଇଅଛି । ତୁ ତୋହର କଠୋର ସାଧନା ବଳରେ ଏଥିରେ ସମ୍ପୂର୍ଣ୍ଣ ଉତ୍ତୀର୍ଣ୍ଣ ହୋଇଅଛୁ । ତୋହର ଆଉ ଭୟ ବା ଚିନ୍ତା କରିବାର କାରଣ ନାହିଁ । ତୋହର ଉପଯୁକ୍ତ ପୁତ୍ର ତାମ୍ରଧ୍ୱଜ ଓ ସହଧର୍ମିଣୀ ଊର୍ମ୍ମିଳାଦେବୀ ମଧ୍ୟ କୌଣସି ଅଂଶରେ ନ୍ୟୂନ ନୁହନ୍ତି । ମୁଁ ତୁମ୍ଭମାନଙ୍କର ଦୃଢ଼ଭକ୍ତି ଓ ବିଶ୍ୱାସରେ ପରମପ୍ରୀତି ଲାଭ କରିଅଛି । ମୋର ପରମ ଭକ୍ତ ଅର୍ଜୁନ ତୁମ୍ଭମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଅଛି । ଆଜି ଏହି ଶୁଭ ମୁହୂର୍ତ୍ତରେ ତୁମ୍ଭେମାନେ ସମସ୍ତେ ଅର୍ଜୁନଙ୍କ ସହିତ ଆଳାପ କରି ସୁଖୀ ହୁଅ । ତୁମ୍ଭଙ୍କୁ ଏହି ଜଡ଼ ସଂସାରରେ ଆଉ କିଛିଦିନ ରହିବାକୁ ହେବ । ପରେ ଉପଯୁକ୍ତ ସମୟ ହେଲେ ମୋ ନିକଟକୁ ଯାଇ ଅନ୍ୟାନ୍ୟ ଭକ୍ତମାନଙ୍କ ପରି ବୈକୁଣ୍ଠରେ ବାସକରିବ । ଏଥି ମଧ୍ୟରେ ଆବଶ୍ୟକ ହେଲେ ମୋତେ ସ୍ମରଣ କରୁଥିବ । ମୁଁ ତୁମ୍ଭର ସ୍ମରଣମାତ୍ରେ ଉପସ୍ଥିତ ହୋଇ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରୁଥିବି ।’’

 

ଚାହୁଁ ଚାହୁଁ ହଠାତ୍‌ ଏକ ଜ୍ୟୋତି ଊର୍ଦ୍ଧ୍ୱକୁ ସଞ୍ଚାଳିତ ହେଲା । ଚତୁର୍ଦ୍ଦିଗ ଆଲୋକରେ ଉଜ୍ଜ୍ୱଳ ଦିଶିଲା । ମୁହୂର୍ତ୍ତକ ମଧ୍ୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଗୃହ ମଧ୍ୟରୁ ଅନ୍ତର୍ହିତ ହୋଇଗଲେ । ରାଜା, ସ୍ତ୍ରୀ ପୁତ୍ର ଓ ଅନ୍ୟାନ୍ୟ ପରିଷଦମାନଙ୍କ ସହିତ କେତେକ ସମୟ ହରିନାମ ସଂକୀର୍ତ୍ତନ କରି ଆନନ୍ଦରେ କାଳ କଟାଇବାକୁ ଲାଗିଲେ । ତତ୍ପରେ ସଭାଭଗ୍ନ ହେଲା । ସମସ୍ତେ ଭକ୍ତିପୂର୍ବକ ‘ଭକ୍ତବୀର’ ମୟୂରଧ୍ୱଜଙ୍କର ଚରଣ ବନ୍ଦନା କରି ବିଦାୟ ନେଲେ ।

 

ସେହିଦିନଠାରୁ ଆରମ୍ଭ କରି ସାତ ଦିନ ପର୍ଯ୍ୟନ୍ତ ନଗର ମଧ୍ୟରେ ହରି ସଂକୀର୍ତ୍ତନ ଓ ପ୍ରସାଦ ବଣ୍ଟନ ଆଦି ପବିତ୍ର କାର୍ଯ୍ୟମାନ କରା ଯାଇଥିଲା । ରାଜା ଓ ଅନ୍ୟାନ୍ୟ ନଗରବାସୀମାନେ କୃତାର୍ଥ ହୋଇଥିଲେ ।

Image

 

ଅତ୍ରିଙ୍କ ସ୍ୱର୍ଗ

 

ଅନେକେ ମହର୍ଷି ଅତ୍ରିଙ୍କର ନାମ ଶୁଣିଥିବେ । ସେ ଜଣେ ସିଦ୍ଧ ପୁରୁଷ ଥିଲେ । ସେ ଯୋଗବଳରେ ଯେ କୌଣସି ଆକାର ଧାରଣ କରିପାରୁଥିଲେ । ଇଚ୍ଛା କଲେ ଅତ୍ୟଳ୍ପ ସମୟ ମଧ୍ୟରେ ଯେ କୌଣସି ଦୂରବର୍ତ୍ତୀ ସ୍ଥାନରେ ଉପସ୍ଥିତ ହୋଇପାରୁଥିଲେ ।

 

ଦିନେ ତାହାଙ୍କ ମନରେ ଇନ୍ଦ୍ରଭୁବନ ଦେଖିବା ପାଇଁ ଇଚ୍ଛା ହେଲା । ସେ ନିଜର ଅସାଧାରଣ ଶକ୍ତି ବଳରେ ଅତିଶୀଘ୍ର ସ୍ୱର୍ଗରେ ଯାଇ ଉପସ୍ଥିତ ହେଲେ । ଦେବରାଜ ଇନ୍ଦ୍ର ସିଂହାସନରେ ବସିଅଛନ୍ତି ନିକଟରେ ଗନ୍ଧର୍ବ ଓ କିନ୍ନରମାନେ ଗୀତବାଦ୍ୟ କରୁଅଛନ୍ତି । ଅପ୍ସରାମାନେ ନାନାବିଧ ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ ହୋଇ ଅପୂର୍ବ ନୃତ୍ୟ କରି ଚିତ୍ତହରଣ କରୁଅଛନ୍ତି । ମହର୍ଷି ଇନ୍ଦ୍ରପୁରର ନାନା ସ୍ଥାନରେ ଭ୍ରମଣକରି ପରିଶେଷରେ ସଭାସ୍ଥଳରେ ଉପସ୍ଥିତ ହେଲେ । ଦେବରାଜ ମହର୍ଷିଙ୍କୁ ଦେଖି ଅତ୍ୟନ୍ତ ସମ୍ମାନପୂର୍ବକ ତାହାଙ୍କୁ ଅଭ୍ୟର୍ଥନା କରି ନେଇଗଲେ ଓ ମଣିମାଣିକ୍ୟଖଚିତ ଉଚ୍ଚ ଆସନରେ ବସାଇଲେ । ମହର୍ଷି ଆନନ୍ଦ ସହିତ ଉପବେଶନ କରି ସଭାସ୍ଥଳର ମନୋହର ଦୃଶ୍ୟ ଓ ଅପ୍ସରାମାନଙ୍କର ନୃତ୍ୟଗୀତାଦିରେ ଏକାବେଳକେ ତନ୍ମୟ ହୋଇ ଚିତ୍ର ପିତୁଳା ପରି ବସି ରହିଲେ ।

 

କିଛି ସମୟ ପରେ ସଭା ଭଗ୍ନ ହେଲା । ଉପସ୍ଥିତ ସଭାସଦ୍‌ମାନେ ବିଦାୟ ନେଇ ନିଜ ନିଜ ସ୍ଥାନକୁ ପ୍ରତ୍ୟାବୃତ୍ତ ହେଲେ । ଇନ୍ଦ୍ର ମହର୍ଷିଙ୍କ ନିକଟକୁ ଯାଇ ବିନୟପୂର୍ବକ ତାହାଙ୍କ ଆଗମନର କାରଣ ଜିଜ୍ଞାସା କଲେ । ମହର୍ଷି କହିଲେ, ‘‘ଦେବରାଜ, ମୋର ଆସିବାର ବିଶେଷ କିଛି କାରଣ ନାହିଁ । ଅନେକ ଦିନରୁ ଇଚ୍ଛା ଥିଲା, ଆପଣଙ୍କର ଅଳକାପୁରୀ ଥରେ ଦେଖି ତୃପ୍ତହେବି । ଏହାହିଁ ମୋର ଆସିବାର ଏକମାତ୍ର ଉଦ୍ଦେଶ୍ୟ । ବିଶେଷତଃ ଆପଣମାନଙ୍କ ସହିତ କିଞ୍ଚିତ୍‌ ମଧୁର ଆଳାପ କରି ମନକୁ ଟିକିଏ ପରିବର୍ତ୍ତିତ କରିବାକୁ ଇଚ୍ଛା ହେବାରୁ ଚାଲି ଆସିଲି । ବର୍ତ୍ତମାନ ଆପଣମାନଙ୍କର ଉତ୍ତମ ବ୍ୟବହାର ଓ ଆପଣଙ୍କ ଅଳକାପୁରର ସୌନ୍ଦର୍ଯ୍ୟରେ ମୁଁ ଅତ୍ୟନ୍ତ ପ୍ରୀତ ହୋଇଅଛି । ବିଦାୟ ଦେଲେ ନିଜ ସ୍ଥାନକୁ ଫେରିଯିବି ।’’ ଦେବରାଜ କହିଲେ, ‘‘ମହର୍ଷେ, ବହୁଦିନ ପରେ ଆପଣଙ୍କ ସହିତ ସାକ୍ଷାତ । ଆପଣଙ୍କ ସହିତ କିଛିକାଳ ମଧୁର ଆଳାପ କରିନାହିଁ । ଏତେ ଶୀଘ୍ର ବିଦାୟ ଦେବାକୁ ମୋର ମନ ବଳୁନାହିଁ । ଆଜିଦିନକ ଏଠାରେ ରହି ପାନାହାର କରନ୍ତୁ । ଆହୁରି ଯେତେ ଦର୍ଶନୀୟ ସ୍ଥାନ ରହିଅଛି ତାହାସବୁ ଦେଖି କାଲି ପ୍ରାତଃକାଳରେ ବିଦାୟ ନେବେ ।’’ ଏହା କହି ମହର୍ଷିଙ୍କ ହସ୍ତ ଧରି ଅନ୍ତଃପୁରକୁ ନେଇଗଲେ । ସେଠାରେ ମହର୍ଷିଙ୍କୁ ଦିବ୍ୟ ଆସନରେ ବସାଇ ନାନାବିଧ ଚର୍ବ୍ୟ, ଚୋଷ୍ୟ, ଲେହ୍ୟାଦି ସୁଖାଦ୍ୟ, ସୁବର୍ଣ୍ଣପାତ୍ରମାନଙ୍କରେ ପୂର୍ଣ୍ଣକରି ତାହାଙ୍କ ସମ୍ମୁଖରେ ସ୍ଥାପନ କଲେ । ମହର୍ଷି ବଡ଼ ସନ୍ତୁଷ୍ଟ ଚିତ୍ତରେ ସେହିସବୁ ଦିବ୍ୟଖାଦ୍ୟ ପଦାର୍ଥ ଭୋଜନ କରି ଇନ୍ଦ୍ରଙ୍କୁ ଆଶୀର୍ବାଦ କଲେ । ତତ୍‌ପରେ ମଣିମାଣିକ୍ୟଖଚିତ ରତ୍ନପଲଙ୍କ ଉପରେ ଶୟନ କରି ବିଶ୍ରାମସୁଖ ଉପଭୋଗ କରିବାକୁ ଲାଗିଲେ ।

 

ରାତ୍ରିଟି ସ୍ୱର୍ଗୀୟ ସୁଖରେ ଅତିବାହିତ ହେଲା । ପରଦିନ ପ୍ରାତଃକାଳରେ ଇନ୍ଦ୍ରଙ୍କ ନିକଟକୁ ବିଦାୟ ନେଇ ମହର୍ଷି ନିଜର ପର୍ଣ୍ଣକୁଟୀରରେ ଯାଇ ଉପସ୍ଥିତ ହେଲେ । ଆହା ! କାହିଁ ସେ ଇନ୍ଦ୍ରଭୁବନ, କାହିଁ ଅବା ଏହି ସାମାନ୍ୟ ପର୍ଣ୍ଣକୁଟୀର ! ମହର୍ଷିଙ୍କ ମନ ମଧ୍ୟରେ ବିଶେଷ କ୍ଷୋଭ ଜାତ ହେଲା । କିନ୍ତୁ ସେ ମନର ଏହି ଭାବକୁ ନିଜର ସ୍ତ୍ରୀଙ୍କ ନିକଟରେ ହଠାତ୍‌ ପ୍ରକାଶ କଲେନାହିଁ । ମହର୍ଷି ସ୍ନାନାହିକ ଶେଷକରି କ୍ଷୁଧା ଅନୁଭବ କରିବାରୁ ନିଜ ସ୍ତ୍ରୀଙ୍କୁ କହିଲେ, ‘‘ମୋ’ର କ୍ଷୁଧା ହେଉଅଛି କିଛି ଖାଇବାକୁ ଦିଅ ।’’ ବ୍ରାହ୍ମଣୀ ଅରଣ୍ୟ ମଧ୍ୟରୁ କେତେକ ଫଳମୂଳ ସଂଗ୍ରହ କରି ଆଣିଥିଲେ । ସେ ଗୁଡ଼ିକ ସିଦ୍ଧକରି ସ୍ୱାମୀଙ୍କୁ ଭୋଜନ ନିମିତ୍ତ ପ୍ରଦାନ କଲେ । କିନ୍ତୁ ଋଷିଙ୍କ ମନରୁ ପୂର୍ବ ଦିନର ସୁସ୍ୱାଦୁ ଭୋଜନ ପାଶୋର ହୋଇନଥିଲା । ସେ ଏହି ସାମାନ୍ୟ ଖାଦ୍ୟ ଦେଖି କହିଲେ, ‘‘ଏ କ’ଣ ? କାଲି ରାତିରେ ମୁଁ ଯେଉଁ ସୁମିଷ୍ଟ ଖାଦ୍ୟ ସବୁ ଭୋଜନ କରିଥିଲି ତାହା କ’ଣ ଆଉ ମିଳିବ ନାହିଁ ?’’

ତାହାଙ୍କର ସ୍ତ୍ରୀ କହିଲେ, ‘‘ପ୍ରିୟତମ ! ଆପଣ ପରା କାଲି ଇନ୍ଦ୍ରଭୁବନକୁ ଯାଇଥିଲେ ? ଆପଣ କ’ଣ ଏହା ଭୁଲିଗଲେଣି ? ବର୍ତ୍ତମାନ ତ ଆପଣ ଆଉ ସ୍ୱର୍ଗରେ ନାହାନ୍ତି । ଏ ଯେ ଆପଣଙ୍କର ଚିରକାଳର ଦୀନ କୁଟୀର । ଏଥିରେ ସ୍ୱର୍ଗରାଜ୍ୟର ସୁଖ କାହୁଁ ପାଇବେ ?’’

ମହର୍ଷି କହିଲେ, ‘‘ତାହା ହେଲେ ମୁଁ ଏ କୁଟୀରକୁ ସ୍ୱର୍ଗରେ ପରିଣତ କରିବି । ମୁଁ ଏହିକ୍ଷଣି ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଡକାଇ ତାହାଙ୍କ ଉପରେ ଏହି କାର୍ଯ୍ୟର ଭାର ନ୍ୟସ୍ତ କରିବି !’’

ମହର୍ଷି ଯୋଗବଳରେ ବିଶ୍ୱକର୍ମାଙ୍କ ନିକଟକୁ ସମ୍ୱାଦ ଦେଲେ । ବିଶ୍ୱକର୍ମା ଅତିଶୀଘ୍ର ଅତ୍ରିଙ୍କ ନିକଟରେ ଉପସ୍ଥିତ ହୋଇ ଭୟରେ ଥରି ଥରି ଡକାଇବାର କାରଣ ପଚାରିଲେ । ମହର୍ଷି କହିଲେ, ‘‘ବିଶ୍ୱକର୍ମା, ତୁମ୍ଭେ ବର୍ତ୍ତମାନ ଇନ୍ଦ୍ରଙ୍କ ସ୍ୱର୍ଗଭୁବନ ପରି ଗୋଟିଏ ସ୍ୱର୍ଗ ଏଠାରେ ନିର୍ମାଣ କରିଦିଅ । ସେଥିରେ ଗନ୍ଧର୍ବ, କିନ୍ନର ଓ ଅପ୍ସରାମାନେ ନୃତ୍ୟ ଗୀତ କରୁଥିବେ । ଇନ୍ଦ୍ରଙ୍କ ଭୁବନ ମଧ୍ୟରେ ଯେତେ ଯେତେ ଆଶ୍ଚର୍ଯ୍ୟ ପଦାର୍ଥ ରହିଅଛି, ଏ ପୁରରେ ଯେପରି ତହିଁରୁ ଗୋଟିଏ ମାତ୍ର ଊଣା ହୋଇନଥିବ । ବିଳାସ ଓ ସୁଖଭୋଗ ପାଇଁ ଯାହା କିଛି ଆବଶ୍ୟକ ଏଥିରେ ସେ ସମସ୍ତ ପୂର୍ଣ୍ଣ ଭାବରେ ରହିଥିବ ।’’

ମହର୍ଷିଙ୍କ କଥାର କୌଣସି ଉତ୍ତର ଦେବାପାଇଁ ବା ତାହାଙ୍କର ଅନୁରୋଧ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ବିଶ୍ୱକର୍ମାଙ୍କର ସାହସ ହେଲା ନାହିଁ । ଯଦି ସାମାନ୍ୟ ଅନିଚ୍ଛା ପ୍ରକାଶ କରନ୍ତି ମହର୍ଷି ରାଗାନ୍ୱିତ ହୋଇ ଶାପ ଦେବେ । ପୁଣି ଅନ୍ୟ କେହି ନୁହନ୍ତି, ଅତ୍ରି ମହର୍ଷି ! ବିଶ୍ୱକର୍ମା କୌଣସି ପ୍ରକାରେ ଅନିଚ୍ଛା ପ୍ରକାଶ ନକରି ଚାହୁଁ ଚାହୁଁ ଇନ୍ଦ୍ରଭୁବନ ପରି ଏକ ବିଚିତ୍ର ଭୁବନ ନିର୍ମାଣ କରିଦେଲେ ।

ମହର୍ଷିଙ୍କର ହୃଦୟ ବର୍ତ୍ତମାନ ମହା ଆନନ୍ଦରେ ପରିପୂର୍ଣ୍ଣ । ସେ ନୂତନ ସ୍ୱର୍ଗ ପ୍ରାପ୍ତ ହୋଇ ବିଶ୍ୱକର୍ମାଙ୍କୁ କାର୍ଯ୍ୟର ପୁରସ୍କାର ସ୍ୱରୂପ ଅଶେଷ ଧନ୍ୟବାଦ ଦେଲେ ଓ ତାହାଙ୍କୁ ଆନ୍ତରିକ ଆଶୀର୍ବାଦ କଲେ । ବିଶ୍ୱକର୍ମା ବିଦାୟ ନେଇ ସ୍ୱର୍ଗରୁ ଚାଲିଗଲେ । ଅତ୍ରି ବର୍ତ୍ତମାନ ଭୋଗ ବିଳାସର ବହୁବିଧ ସାମଗ୍ରୀ ପାଇ ମହାସୁଖରେ କାଳାତିପାତ କରିବାକୁ ଲାଗିଲେ ।

ଦେବତା ଓ ଅସୁରମାନଙ୍କ ମଧ୍ୟରେ ତ ସର୍ବଦା ବିବାଦ ଚାଲିଥାଏ । ଅସୁରମାନେ ଦେବରାଜ ଇନ୍ଦ୍ରଙ୍କ ନବରକୁ ବିଧ୍ୱସ୍ତ କରିବାପାଇଁ ସର୍ବଦା ଚେଷ୍ଟା କରୁଥାନ୍ତି । ଦିନେ ଦୈବାତ୍‌ ସେମାନେ ଅତ୍ରିଙ୍କ ସ୍ୱର୍ଗପୁର ଦେଖି ସେଠାରେ ଆସି ଏକତ୍ରିତ ହୋଇଗଲେ । ସେମାନେ କହିଲେ, ‘‘କି ଆଶ୍ଚର୍ଯ୍ୟ କଥା ? ଇନ୍ଦ୍ର ମର୍ତ୍ତ୍ୟରେ ମଧ୍ୟ ଏକ ନୂତନ ସ୍ୱର୍ଗ ନିର୍ମାଣ କଲାଣି ? ଆସ, ସମସ୍ତେ ମିଳି ଆଜି ଏପୁରକୁ ଧ୍ୱସ୍ତ କରିଦେବା ।’’ ଏହି ମନ୍ତ୍ରଣା କରି ଘୋର ଚିତ୍କାର ପୂର୍ବକ ସେମାନେ ଅତ୍ରିଙ୍କ ନବର ଆକ୍ରମଣ କଲେ । କିଏ ଆଣି ବଡ଼ ବଡ଼ ପଥରମାନ ଫୋପାଡ଼ିବାକୁ ଲାଗିଲା । କିଏ ମହାଦ୍ରୁମ ଉପାଡ଼ି ସେହି ସୁନ୍ଦର ପୁର ଉପରେ ପ୍ରହାର କଲା । ସମସ୍ତେ ରେରେକାର କରି ଭୟଙ୍କର ଗର୍ଜନ ଦ୍ୱାରା ପୃଥିବୀ କମ୍ପିତ କଲେ ।

ଅତ୍ରି ସେତେବେଳେ ସ୍ୱର୍ଣ୍ଣ ପଲଙ୍କ ଉପରେ ଶୟନ କରି ମନୋମୋହିନୀ ଅପ୍ସରାମାନଙ୍କର ନୃତ୍ୟଗୀତାଦିରେ ତନ୍ମୟ ହୋଇଥିଲେ । ହଠାତ୍‌ ଏହି ଗୋଳମାଳ ଶବ୍ଦ ତାହାଙ୍କର କର୍ଣ୍ଣରେ ପ୍ରବେଶ କଲା । ସେ ଚମକିପଡ଼ି ପଲଙ୍କ ଉପରେ ବସି, ଶବ୍ଦ ପ୍ରତି କର୍ଣ୍ଣ ଦେଲେ । ତତ୍ପରେ ବାହାରକୁ ଆସି ଦେଖିଲେ ଯେ, ଅସୁରମାନେ ଉନ୍ମତ୍ତ ହୋଇ ଭୟଙ୍କର ଚିତ୍କାର କରି ତାହାଙ୍କର ଅପୂର୍ବ ପୁରଟିକୁ ନଷ୍ଟକରି ଦେଉ ଅଛନ୍ତି । ସେ ନବରର ଦ୍ୱାରଦେଶରେ ଦଣ୍ଡାୟମାନ ହୋଇ ଅସୁରମାନଙ୍କୁ ନିବୃତ୍ତ କରାଇବାର ଚେଷ୍ଟା କଲେ । କିନ୍ତୁ ଦୁରାତ୍ମାମାନେ ସେମାନଙ୍କ ନିଷ୍ଠୁର କାର୍ଯ୍ୟରୁ କ୍ଷାନ୍ତ ହେଲେ ନାହିଁ । ମହର୍ଷି ତାହାଙ୍କର ଯଜ୍ଞୋପବୀତ ହସ୍ତରେ ଧରି ଉଚ୍ଚସ୍ୱରରେ କହିଲେ, ‘‘ହେ ରାକ୍ଷସମାନେ ! ମୋ ନବରକୁ ତୁମ୍ଭେମାନେ ଇନ୍ଦ୍ରପୁର ବୋଲି ଭାବି ଏକାବେଳକେ ନଷ୍ଟ କରିଦେଲଣି । ଯାହା କରିବାର କଲଣି, ଏବେ କ୍ଷାନ୍ତ ହୁଅ । ମୁଁ ଇନ୍ଦ୍ର ନୁହେଁ । ମୁଁ ଅତ୍ରି । ଦେବତାମାନଙ୍କ ସହିତ ତୁମ୍ଭର ବିବାଦ ଅଛି । ସେମାନଙ୍କର ଯାହା ଅନିଷ୍ଟ କରିବାର ଇଚ୍ଛା, କର । ତୁମ୍ଭମାନଙ୍କ ସହିତ ମୋର କୌଣସି ଶତ୍ରୁତା ନାହିଁ । ବୃଥା କାହିଁକି ମୋ ନବରଟିକୁ ନଷ୍ଟକରି ଦେଉଅଛ ? ଏହି ମୋର ଉପବୀତ ଦେଖ । ବ୍ରାହ୍ମଣର ଆଶୀର୍ବାଦ ଗ୍ରହଣ କରି ଫେରିଯାଅ ।’’

ରାକ୍ଷସମାନେ କ୍ଷାନ୍ତ ହେଲେ । କିନ୍ତୁ ମହର୍ଷିଙ୍କ ସ୍ୱର୍ଗ ସେତେ ବେଳକୁ ଭୂମିସାତ୍‌ ହୋଇ ଯାଇଥିଲା ।

ରାକ୍ଷସମାନେ ଚିତ୍କାର କରି କହିଲେ, ‘‘ହେ ଦ୍ୱିଜବର ! ଆପଣ ଏ କି ଖେଳ ଖେଳୁଅଛନ୍ତି ? ଯେ ଆମ୍ଭର ଶତ୍ରୁ ତାହାର ପରିଚ୍ଛଦ ପରିଧାନ କରିଅଛନ୍ତି କାହିଁକି ? ଆପଣ ନିଜର ବଳ୍କଳ ବସନ ପିନ୍ଧି ନିଜ ଅବସ୍ଥାର ସୀମା ମଧ୍ୟରେ ରହନ୍ତୁ । ନୋହିଲେ ଆପଣଙ୍କର ପଦେ ପଦେ ବିପଦ ଘଟିବ ।’’

ମହର୍ଷି କହିଲେ, ‘‘ତୁମ୍ଭେମାନେ ସତ୍ୟ କହିଅଛ । ମୁଁ ପ୍ରକୃତରେ ନିର୍ବୋଧର କାର୍ଯ୍ୟ କରିଅଛି । ସୁତରାଂ ମୁଁ ତୁମ୍ଭମାନଙ୍କ ହସ୍ତରେ ମୃତପ୍ରାୟ ହୋଇଗଲିଣି । ଯାହା ହେଉ, ଆଉ କେଭେଁ ଏପରି ସୀମା ଲଘଂନ କରି ନିଜେ ବିପଦକୁ ବରଣ କରିବି ନାହିଁ ।’’

ରାକ୍ଷସମାନେ ଚାଲିଗଲେ । ଅତ୍ରି ପୁନର୍ବାର ଯୋଗବଳରେ ବିଶ୍ୱକର୍ମାଙ୍କୁ ଡାକି କହିଲେ, ‘‘ବିଶ୍ୱକର୍ମା, ତୁମ୍ଭେ ମୋହପାଇଁ ଯେଉଁ ସୁନ୍ଦର ନବରଟି ନିର୍ମାଣ କରି ଦେଇଥିଲ ତାହାର ଅବସ୍ଥା କିପରି ହୋଇ ଅଛି, ଦେଖ ।’’

ବିଶ୍ୱକର୍ମା ପୁରଟିର ଏ ଦୁର୍ଦ୍ଦଶା ଦେଖି କହିଲେ, ‘‘ହାୟ ! ସେହି ପରମରମଣୀୟ ପୁରଟିର ଅବସ୍ଥା ଏପରି କାହିଁକି ହେଲା ? ଦେଖିଲେ ମନରେ ବଡ଼ କଷ୍ଟ ହେଉଅଛି ।’’

ମହର୍ଷି କହିଲେ, ‘‘ଦେଖ, ଅସୁରମାନେ ଏହି ନବରଟିକୁ ଇନ୍ଦ୍ରପୁର ମନେ କରି ଏକତ୍ର ଆସି ମୁହୂର୍ତ୍ତକ ମଧ୍ୟରେ ଏକାବେଳେକେ ଧ୍ୱସ୍ତ କରିଦେଲେ । ମୁଁ ପୁରମଧ୍ୟରୁ ଆସି ପରିଚୟ ଦେବାରୁ କ୍ଷାନ୍ତ ହୋଇ ଚାଲିଗଲେ । ତାହା ନ ହୋଇଥିଲେ ସେମାନେ ଆମ୍ଭମାନଙ୍କୁ ମଧ୍ୟ ବିନଷ୍ଟ କରି ଦେଇଥାନ୍ତେ ।’’

ବିଶ୍ୱକର୍ମା କିଞ୍ଚିତ ହାସ୍ୟ କରି କହିଲେ, ‘‘ତାହା ହେଲେ ମୁଁ ଆପଣଙ୍କ ପାଇଁ ସେହିପରି ଆଉ ଗୋଟିର ସୁନ୍ଦର ପୁର ନିର୍ମାଣ କରିଦେବି କି ? ଯଦି ଆଜ୍ଞା ହୁଏ, ଅବିଳମ୍ବେ ତାହା କରିବି ।’’

ମହର୍ଷି କହିଲେ, ‘‘ନା, ନା, ମୁଁ ଆଉ ସେପରି ସ୍ୱର୍ଗପୁର ଲୋଡ଼େ ନାହିଁ । ମୋର ଯେଉଁ ସାମାନ୍ୟ କୁଟୀର ଖଣ୍ଡିକ ଏଠାରେ ଥିଲା ସେହି ଖଣ୍ଡିକ ନିର୍ମାଣ କରିଦିଅ । ଯେପରି ତହିଁରେ କୌଣସି ଶତ୍ରୁର ହିଂସା ନ ହୁଏ, ସେହିପରି ନିର୍ମାଣ କରିଦେବ ।’’

ବିଶ୍ୱକର୍ମା ମହର୍ଷିଙ୍କର ଆଦେଶ ଅନୁସାରେ ତାହାଙ୍କର ପୂର୍ବ କୁଟୀର ଖଣ୍ଡିକ ନିର୍ମାଣ କରିଦେଇ ମନେ ମନେ ଏକ ପ୍ରକାର ଆମୋଦ ଅନୁଭବ କରି ସ୍ୱର୍ଗକୁ ଚାଲିଗଲେ ।

ଅତ୍ରି ତାହାଙ୍କର ସେହି କ୍ଷୁଦ୍ର କୁଟୀରଟିରେ ବାସ କରି ପୂର୍ବପରି ଫଳମୂଳ ପ୍ରଭୃତି ଭକ୍ଷଣ କରି ସରଳ ଭାବରେ ଜୀବନ ଯାପନ କରିବାକୁ ଲାଗିଲେ । ଆଉ ଜୀବନରେ କେବେହେଁ ଭୋଗବିଳାସ ପ୍ରତି ତାହାଙ୍କର ମନ ଆକୃଷ୍ଟ ହୋଇ ନଥିଲା ।

Image

 

କର୍ତ୍ତବ୍ୟନିଷ୍ଠ କୃଷକଭକ୍ତ

 

ଦେବର୍ଷି ନାରଦ ଦିନେ ପ୍ରାତଃସ୍ନାନ ଶେଷ କରି ଫେରି ଆସୁଥିବା ବେଳେ ଦେଖିଲେ ଯେ, ବୈକୁଣ୍ଠପତି ଶ୍ରୀଭଗବାନଙ୍କର ମନ୍ଦିର ପାର୍ଶ୍ୱରେ ଗୋଟିଏ ମନୋହର ଗୃହ ନିର୍ମିତ ହୋଇଅଛି-। ଏହି କଥା ପୂର୍ବରୁ ଜାଣି ନଥିବାରୁ ନାରଦଙ୍କ ମନରେ କୌତୁହଳ ଜାତ ହେଲା-। ଅବସର ସମୟରେ ସେ ଭଗବାନଙ୍କୁ ପଚାରି ବୁଝିବେ ବୋଲି ମନେ ମନେ ସ୍ଥିରକଲେ ।

 

ସନ୍ଧ୍ୟା ସମୟ । ଭଗବାନ ନାରଦଙ୍କୁ ନିକଟରେ ବସାଇ ନାନାବିଧ ସଦାଳାପ କରୁଅଛନ୍ତି । ନାରଦ ସୃଷ୍ଟିବିଷୟକ ନାନା ପ୍ରଶ୍ନ ଜିଜ୍ଞାସା କରି ଭଗବାନଙ୍କ ଶ୍ରୀମୁଖରୁ ତାହାର ଯଥୋଚିତ ଉତ୍ତର ପାଇଁ ପରିତୃପ୍ତ ହେଉଅଛନ୍ତି । ଏହିପରି ସମୟରେ ନାରଦ ପଚାରିଲେ, ‘‘ପ୍ରଭୋ-! ଆପଣଙ୍କ ମନ୍ଦିରକୁ ଲାଗି ଗୋଟାଏ ଅତି ମନୋହର ଗୃହ ନିର୍ମିତ ହୋଇଥିବାର ମୁଁ ଆଜି ଦେଖିଲି-। କିନ୍ତୁ ସେ ଗୃହଟି କାହିଁକି ନିର୍ମିତ ହୋଇ ଥିବାର ମୁଁ ଆଜି ଦେଖିଲି । କିନ୍ତୁ ସେ ଗୃହଟି କାହିଁକି ନିର୍ମିତ ହୋଇଅଛି ତାହାର କାରଣ ବୁଝିପାରିଲି ନାହିଁ । ଗୃହଟିର ଗଠନ ପ୍ରଣାଳୀ ଅତୀବ ମନୋମୁଗ୍ଧକର । ଭଗବାନ କହିଲେ, ‘‘ନାରଦ ମର୍ତ୍ତ୍ୟରେ ଆମ୍ଭର ଜଣେ ପ୍ରଧାନ ଭକ୍ତ ଅଛି-। ତାହାଙ୍କୁ ଆମ୍ଭେ ଆଉ ବେଶିଦିନ ସଂସାରର ବିଷୟଜଞ୍ଜାଳରେ ଆବଦ୍ଧ କରି ରଖିବାକୁ ଇଚ୍ଛା କରୁନାହିଁ । ସେ ଅଳ୍ପଦିନ ପରେ ଆମ୍ଭ ନିକଟକୁ ଆସିବେ । ଏହି ଗୃହଟି ତାହାଙ୍କ ପାଇଁ ପ୍ରସ୍ତୁତ ହୋଇଅଛି । ସେ ଆସି ଏହି ଗୃହରେ ଆମ୍ଭ ନିକଟରେ ବାସ କରିବେ ।’’

 

ଏକଥା ଶୁଣି ନାରଦଙ୍କ ମନରେ ଅଭିମାନ ଜାତ ହେଲା ତାହାଙ୍କର ଗର୍ବ ଥିଲା, ତାଙ୍କଠାରୁ ବଳି ଭକ୍ତ ଆଉ କେହି ନାହାନ୍ତି । ବର୍ତ୍ତମାନ ଭଗବାନ ସ୍ଵୟଂ କହୁଅଛନ୍ତି ଯେ, ମର୍ତ୍ତ୍ୟରେ ବାସ କରୁଥିବା ଭକ୍ତପାଇଁ ସେ ଗୃହଟି ନିର୍ମିତ ହୋଇଅଛି । ଏଥିରେ ତାହାଙ୍କର ଅଭିମାନ ହେବାର କଥା ଅବଶ୍ୟ । ସେ ଅଭିମାନମିଶ୍ରିତ ସ୍ୱରରେ କହିଲେ, ‘‘ପ୍ରଭୋ ! ମୋ ମନରେ ସନ୍ଦେହ ଜାତ ହେଉଅଛି । ମୁଁ ପ୍ରତି ମୁହୂର୍ତ୍ତରେ ଆପଣଙ୍କର ପବିତ୍ର ନାମ ଉଚ୍ଚାରଣ କରି ଦିବ୍ୟ ସନ୍ତୋଷ ଅନୁଭବ କରେ । କି ଜାଗ୍ରତ,କି ସୁପ୍ତ ସକଳ ଅବସ୍ଥାରେ ମୁଁ ଆପଣଙ୍କର ନାମୋଚ୍ଚୋରଣ କରିବାକୁ ଭୁଲିଯାଏ ନାହିଁ । ତଥାପି ପ୍ରଭୁ କ’ଣ ମୋ ପ୍ରତି କୃପା କଲେ ନାହିଁ ?’’ ନାରଦଙ୍କର ଏପ୍ରକାର ଖେଦୋକ୍ତି ଶୁଣି ଭଗବାନ ସସ୍ମିତ ମୁଖରେ ଉତ୍ତର କଲେ, ‘‘ନାରଦ, ତୁମ୍ଭେ ଯେ ସରଳ ଭାବରେ ମନର କଥା ବ୍ୟକ୍ତ କରିଅଛ, ଏଥି ନିମିତ୍ତ ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ମାତ୍ର ତୁମ୍ଭ ମନରେ ଯେତେବେଳେ ସନ୍ଦେହ ଜାତ ହୋଇଅଛି, ମୋର ତାହା ମୋଚନ କରିବା ଏକାନ୍ତ କର୍ତ୍ତବ୍ୟ । ସୁତରାଂ ତୁମ୍ଭେ ନିଜେ ମର୍ତ୍ତ୍ୟକୁ ଯାଇ ମୋର ସେହି ଭକ୍ତିଟିର ଦୈନିକ କାର୍ଯ୍ୟ କଳାପାଦି ସ୍ଵଚକ୍ଷୁରେ ପ୍ରତ୍ୟକ୍ଷ କରି ଆସିଲେ ନିଜେ ନିଜର ସନ୍ଦେହ ମୋଚନ କରିପାରିବ ।’’ ଦେବର୍ଷି ଏଥିରେ ସ୍ୱୀକୃତ ହୋଇ କହିଲେ, ‘‘ଦୀନବନ୍ଧୁ, ମୋତେ ସେହି ଭକ୍ତଙ୍କର ନାମ, ଧାମ ପ୍ରଭୃତି କହି ଦିଅନ୍ତୁ । ମୁଁ କାଲି ପ୍ରଭାତରୁ ଉଠି ତାଙ୍କ ନିକଟରେ ଉପସ୍ଥିତ ହୋଇ କର୍ଣ୍ଣ ଓ ଚକ୍ଷୁର ବିବାଦ ଭଞ୍ଜନ କରିବି ।’’ ଭଗବାନ କହିଲେ, ‘‘ତୁମ୍ଭେ ପ୍ରଭାତ ନ ହେଉଣୁଁ ନୈମିଷାରଣ୍ୟ ପାର ହୋଇ ତିନିଖଣ୍ଡ ଗ୍ରାମ ଅତିକ୍ରମ କରି ଚତୁର୍ଥ ଗ୍ରାମରେ ଉପସ୍ଥିତ ହେବ । ଉକ୍ତ ଗ୍ରାମର ଶେଷଗୃହଟି ମୋର ସେହି ଭକ୍ତର । ତୁମେ ଗୁପ୍ତ ଭାବରେ ରହି ତାହାଙ୍କର ସମସ୍ତ କାର୍ଯ୍ୟ ଦର୍ଶନକରି ପରଦିନ ତୁମ୍ଭର ମତାମତ ମୋହ ନିକଟରେ ବ୍ୟକ୍ତ କରିବ ।’’

 

ରାତ୍ରିରେ ନାରଦଙ୍କୁ ନିଦ୍ରା ହେଲା ନାହିଁ । ଅଭିମାନ ଓ ସଙ୍କୋଚରେ ତାହାଙ୍କର ହୃଦୟ ବିଷଣ୍ଣ ହୋଇ ପଡ଼ିଥିଲା । ଯାହା ହେଉ, ପ୍ରଭାତ ନ ହେଉଣୁ ସେ ଶଯ୍ୟାତ୍ୟାଗ କରି ଦୈବବଳରେ ଅଳ୍ପ ସମୟ ମଧ୍ୟରେ ନୈମିଷାରଣ୍ୟ ପାର ହୋଇ କ୍ରମେ କ୍ରମେ ତିନିଖଣ୍ଡ ଗ୍ରାମ ଅତିକ୍ରମ କଲେ । ଚତୁର୍ଥ ଗ୍ରାମର ଶେଷଗୃହ ନିକଟରେ ଉପସ୍ଥିତ ହୋଇ ଗୋଟିଏ ଅଶ୍ୱତ୍‍ଥ ବୃକ୍ଷ ମୂଳରେ ପ୍ରଭାତ ଅପେକ୍ଷାରେ ବସି ରହିଲେ ।

 

ପ୍ରଭାତ ହେଲା । ନାରଦ ଦେଖିଲେ, ଜଣେ ବ୍ୟକ୍ତି ଗୃହମଧ୍ୟରୁ ବାହାରି ହସ୍ତ ମୁଖାଦି ପ୍ରକ୍ଷାଳନ କରି ପୁନର୍ବାର ଗୃହ ମଧ୍ୟକୁ ଗଲେ । କିଛି ସମୟ ପରେ ଦୁଇ ହଳ ବଳଦ ଆଣି ଘର ଆଗରେ ଦାଣ୍ଡରେ ପୋତା ହୋଇଥିବା ଖୁଣ୍ଟରେ ବାନ୍ଧି ଦେଇ ସମାନଙ୍କ ଆଗରେ ଦୁଇକେରା କୁଟା ପକାଇ ଦେଲେ ଏବଂ ନିଜ ହାତରେ ସେମାନଙ୍କ ଦେହ ସବୁ ପରିଷ୍କାର କରିଦେଇ ମଳମୂନ୍ତ୍ର ତ୍ୟାଗ ଓ ଅନ୍ୟାନ୍ୟ ନିତ୍ୟକର୍ମ ଆଦି ଶେଷ କରି ଗୃହକୁ ଗଲେ । ଗୃହ ମଧ୍ୟରୁ ତୋରାଣୀ, ଭୂଷି, କୁଣ୍ଡା ପ୍ରଭୃତି ଆଣି ଗୋରୁଙ୍କୁ ଖାଇବାକୁ ଦେଲେ । ତତ୍ପରେ ନିଜେ କିଛି ଭାତଖାଇ ହଳ ଲଙ୍ଗଳ ଯୋଚି କ୍ଷେତ୍ରକୁ ଗଲେ । ଅନ୍ୟ ଏକ ବ୍ୟକ୍ତି ଆଉ ଗୋଟିଏ ହଳ ନେଇ ତାହାଙ୍କ ପଛରେ ଅନ୍ୟ କ୍ଷେତ୍ରକୁ ଗମନ କଲେ । କୃଷକ ସେଠାରେ ସାଧ୍ୟାନୁଯାୟୀ କ୍ଷେତ୍ରକର୍ଷଣ କରି ବିଶେଷ ରୌଦ୍ର ହେବାରୁ ପୁନର୍ବାର ଗୃହକୁ ଫେରି ଆସିଲେ । ଗୋରୁଙ୍କୁ ଫିଟାଇ ଶୀତଳ ଜଳରେ ସେମାନଙ୍କର ଦେହ ପରିଷ୍କାର କରିଦେଇ, ସେମାନଙ୍କ ଆଗରେ କିଛି କୁଟା ପକାଇ ଦେଲେ । ତତ୍ପରେ ନିଜେ ସ୍ନାନାଦି ଶେଷ କରି ଗୋରୁଙ୍କ ପାଇଁ ଗରମ ତୋରାଣୀ ଓ କୁଣ୍ଡା ପ୍ରଭୃତି ଆଣି ଖାଇବାକୁ ଦେଲେ । ସେମାନେ ଆଶ୍ୱସ୍ତ ହେଲାରୁ ନିଜେ ଭୋଜନ କରି, ପରେ ଗୃହର ହାନି, ଲାଭ, ଭଲମନ୍ଦ, ଥିବା ନଥିବା ପ୍ରଭୃତି କେତେକ ପ୍ରଧାନ ବିଷୟର ତତ୍ତ୍ୱ ନେଇ ପୁନର୍ବାର ହଳ ଲଙ୍ଗଳ ଧରି ବିଲକୁ ଗଲେ । ସନ୍ଧ୍ୟା ହେଲାରୁ ଗୃହକୁ ଆସି ଗାଈ ବଳଦଙ୍କୁ ଖାଇବାକୁ ଦେଇ, ଗୁହାଳ ପରିଷ୍କାର କରି, ମଶକ ନିବାରଣ ପାଇଁ ଧୂଆଁ ଦେଇ ଗୋରୁମାନଙ୍କୁ ନିଜ ନିଜ ସ୍ଥାନରେ ଯତ୍ନପୂର୍ବକ ବାନ୍ଧିଦେଲେ । ତତ୍ପରେ ଗୃହର ଅନ୍ୟାନ୍ୟ ଲୋକମାନଙ୍କର ସ୍ୱାସ୍ଥ୍ୟାସ୍ୱାସ୍ଥ୍ୟ ବୁଝି ଓ ଦୈନିକ ଆୟବ୍ୟୟର ହିସାବ ପତ୍ର ଲେଖି, ପିଲାମାନଙ୍କର ଖାଇବା ପିଇବା ବୁଝି ପରେ ଭୋଜନାଦି ଶେଷକରି ଶୋଇବାକୁ ଗଲେ । ସମସ୍ତ ଦିବସର କଠିନ ପରିଶ୍ରମ ପରେ ବିଶ୍ରାମ ସୁଖ ଅନୁଭବ କରିବା ପୂର୍ବରୁ କୃଷକ ଥରେ ମାତ୍ର ସରଳ ପ୍ରାଣରେ ଓ ହୃଦୟର ସହିତ ଡାକିଲେ, ‘‘ହରିହେ, ଦୀନବନ୍ଧୋ !’’ ସେ ଡାକରେ ଯେପରି କି ହୃଦୟର ସମସ୍ତ ନିବେଦନ, ପ୍ରାଣର ସମସ୍ତ ଦୁଃଖ ପ୍ରକାଶ ପାଉଥିଲା । ଜଣା ଯାଉଥିଲା ଯେପରି କି ସେହି ଭଗବତ୍‌ ପଦ ଲାଭ ଆଶା ହୃଦୟରେ ଅତି ଗୁପ୍ତଭାବରେ ପୋଷଣ କରି ତାହାର ସିଦ୍ଧି ନିମିତ୍ତ କୃଷକ କଠୋର ଗାର୍ହସ୍ଥ୍ୟ ଧର୍ମର କର୍ତ୍ତବ୍ୟମାନ ଅକୁଣ୍ଠିତ ଚିତ୍ତରେ ଓ ଅମ୍ଳାନ ବଦନରେ ପାଳନ କରୁଅଛନ୍ତି ।

 

କୃଷକ ଥରେ ମାତ୍ର ସେହି ଭଗବାନଙ୍କର ନାମ ନେଇ ଶୟନ କଲେ । ପରିଶ୍ରମ ପରେ ନିଦ୍ରା କିପରି ଗାଢ଼ ଓ ସୁଖକର ହୁଏ ତାହା ଅନୁଭବୀ ମାତ୍ରେ ଜାଣିଥିବେ । କୃଷକ ଅଳ୍ପକ୍ଷଣ ପରେ ଗାଢ଼ ନିଦ୍ରାଭିଭୂତ ହୋଇ ଶ୍ରମକ୍ଳେଶ ଦୂର କରି ପରଦିନ ପାଇଁ ପୁନର୍ବାର ନବଶକ୍ତି ସଞ୍ଚୟ କରିବାକୁ ଲାଗିଲେ ।

 

ଅବଶ୍ୟ, କୃଷକ ଯେପରି ଭାବରେ ନିଜର ଦୈନିକ କାର୍ଯ୍ୟମାନ ଶେଷ କଲେ, ସେଥିରୁ ତାହାଙ୍କର ଭକ୍ତିର ବିଶେଷ କୌଣସି ପରିଚୟ ପାଇବା ସାଧାରଣ ଚକ୍ଷୁ ପକ୍ଷରେ ସମ୍ଭବ ନୁହେଁ । କାରଣ ସେଥିରେ ପୂଜା, କର୍ମ, ଧ୍ୟାନ, ଧର୍ମପୁସ୍ତକ ଅଧ୍ୟୟନ ଅଥବା ନାମକୀର୍ତ୍ତନ ପ୍ରଭୃତି କାର୍ଯ୍ୟ ମଧ୍ୟରୁ କୌଣସିଟିର ଚିହ୍ନ ସୁଦ୍ଧା ନଥିଲା । ସାଧାରଣତଃ ଦେଖାଯାଏ, କୃଷକମାନେ ଏହିପରି ସେମାନଙ୍କର ଦୈନିକ କାର୍ଯ୍ୟମାନ କରିଥାନ୍ତି । କୌଣସି କୌଣସି କୃଷକ ସନ୍ଧ୍ୟା ସମୟରେ କାର୍ଯ୍ୟରୁ ଫେରିଆସି ହରି ନାମ ଶ୍ରବଣ ଅଥବା ଭାଗବତ ପୁରାଣ ଆଦି ପଠନରେ ସମୟ ଯାପନ କରି ଆନନ୍ଦ ଅନୁଭବ କରନ୍ତି । କିନ୍ତୁ ଏ ବ୍ୟକ୍ତିଙ୍କର ସେତକ ମଧ୍ୟ ନାହିଁ । ସେ ଘୋର ସଂସାରୀ ପରି ଅବିରତ ଗୃହଜଞ୍ଜାଳରେ ଲିପ୍ତରହି କେବଳ ଶୋଇଲା ବେଳେ ଥରେ ମାତ୍ର ଈଶ୍ୱରନାମ ସ୍ମରଣ କରିଅଛନ୍ତି । ଏଥିରେ ସେ ଯେ ଭକ୍ତ ଏ ବିଶ୍ୱାସ କାହିଁକି କାହାର ଅବା ହେବ ? ବିଶେଷତଃ ନାରଦଙ୍କ ଜୀବନଠାରୁ ଏ ଜୀବନ ଏକାବେଳକେ ପୃଥକ୍‌ । ସେ ମଧ୍ୟ ଯେଉଁ ଉଦ୍ଦେଶ୍ୟରେ ଆସିଅଛନ୍ତି କୃଷକର ପ୍ରତ୍ୟେକ କାର୍ଯ୍ୟ ତାହାଙ୍କ ଦୃଷ୍ଟିରେ ପଡ଼ୁଅଛି । ସୁତରାଂ ସେ ମଧ୍ୟ କୃଷକଙ୍କଠାରେ ଭକ୍ତିର କୌଣସି ଚିହ୍ନ ନ ଦେଖି ସମସ୍ତ ବୃତ୍ତାନ୍ତ ଭଗବାନଙ୍କୁ ଜଣାଇବା ପାଇଁ ବୈକୁଣ୍ଠକୁ ଚାଲିଗଲେ ।

 

ନାରଦ ତତ୍‌ପରଦିନ ପ୍ରାତଃକର୍ମାଦି ଶେଷ କରି ଭଗବାନଙ୍କୁ ଦର୍ଶନ କରି ଗଲେ । ନାରଦଙ୍କୁ ଦେଖିବା ମାତ୍ରେ ଭଗବାନ ପଚାରିଲ, ‘‘କି ନାରଦ, ଯେଉଁ କାର୍ଯ୍ୟ ପରୀକ୍ଷା କରିବା ପାଇଁ ତୁମ୍ଭେ ମର୍ତ୍ତ୍ୟକୁ ଯାଇଥିଲ, ସେ ବିଷୟରେ କି ମତାମତ ସ୍ଥିର କଲ ? ଭକ୍ତ କୃଷକଙ୍କର ଭକ୍ତି ବିଷୟରେ ତୁମ୍ଭର କିଛି ସନ୍ଦେହ ରହିଲା କି ?’’

 

ନାରଦ ଉତ୍ତର କଲେ, ‘‘ଭଗବାନ୍‌, ଆପଣ ମୋହଠାରେ କପଟ କରୁଅଛନ୍ତି । ଆପଣ ମୋତେ ଯାହାଙ୍କଠାକୁ ପଠାଇଥିଲେ, ମୁଁ ତାହାଙ୍କଠାରେ ତ ଭକ୍ତିର କୌଣସି ଚିହ୍ନ ଦେଖିପାରିଲି ନାହିଁ । ସେ ଏକ ଘୋର ସଂସାରୀ । ପ୍ରଭାତରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ କେବଳ ଗୃହଜଞ୍ଜାଳ ଓ ସଂସାର ମାୟାରେ ଆବଦ୍ଧ । ଆପଣଙ୍କ ନାମ କୀର୍ତ୍ତନ ବା ଧର୍ମପୁସ୍ତକ ଅଧ୍ୟୟନ ଅଥବା ଧର୍ମ ଉପଦେଶ ଶ୍ରବଣ ପ୍ରଭୃତି ଭକ୍ତି ବିଷୟକ ସମାଲୋଚନା ସେ କେବେ ହେଲେ କରନ୍ତି ନାହିଁ । ସୁତରାଂ ସେ କିପରି ଯେ ଆପଣଙ୍କର ପ୍ରଧାନ ଭକ୍ତ ହେଲେ, ତାହା ମୁଁ ଆଦୌ ବୁଝିପାରୁ ନାହିଁ । କେତେ କେତେ ଯୋଗୀ ଋଷି ଆପଣଙ୍କୁ ଧ୍ୟାନ କରି ସେ ପଦର ଅଧିକାରୀ ହୋଇପାରୁ ନାହାନ୍ତି । ସେ ସାମାନ୍ୟ କୃଷକ । ଆପଣଙ୍କର କିପରି ଏତେ ଦୂର ଦୟାର ପାତ୍ର ହେଲେ ?’’

 

ଭଗବାନ କହିଲେ, ‘‘ହଁ, ସେପରି ସ୍ଥାନେ ସ୍ଥାନେ ଘଟିଥାଏ । ତାହା ତୁମ୍ଭେ ସମୟରେ ବୁଝିପାରିବ । ଦିନେ ତାହା ମୁଁ ତୁମ୍ଭଙ୍କୁ ଭଲରୂପେ ବୁଝାଇଦେବି । ବର୍ତ୍ତମାନ ତୃଷା ହେଉଅଛି । ସେହି ନୂତନ ଗୃହଟିର ଗୋଟିଏ କୋଣରେ ଯେଉଁ ଦୁଗ୍ଧପାତ୍ରଟି ଅଛି ତାହା ନେଇ ଆସ । ଦୁଗ୍ଧପାନ କରି ତୃଷା ନିବାରଣ କରିବି ।’’

 

ପ୍ରଭୁଙ୍କର ପିପାସା ହୋଇଅଛି ଶୁଣି ନାରଦ ମୁହୂର୍ତ୍ତ ମାତ୍ର ବିଳମ୍ବ ନ କରି ଦୁଗ୍ଧ ପାତ୍ରଟି ଆଣିବା ପାଇଁ ସେହି ସ୍ଥାନରୁ ଶୀଘ୍ର ଉଠିଗଲେ । ନୂତନ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ଯେ, ପାତ୍ରଟି ଦୁଗ୍ଧରେ ଏକାବେଳକେ ପୂର୍ଣ୍ଣ ହୋଇଅଛି । ତାହାକୁ ଧରି ଆଣିଲେ ଦୁଗ୍ଧ ଚହଲି ଯାଇ ତଳେ ଇଡ଼ିଯିବ । ଯାହା ହେଉ, ନାରଦ ଶୀଘ୍ର ସେହି ଦୁଗ୍ଧ ପାତ୍ରଟି ଧରି ଧୀରେ ଧୀରେ ଅଗ୍ରସର ହେଲେ । ବଡ଼ ସାବଧାନ ପୂର୍ବକ ପାତ୍ରଟି ହାତରେ ଧରିଥାନ୍ତି, ଯେପରି ବିନ୍ଦୁମାତ୍ର ତଳେ ପଡ଼ି ନ ଯାଏ । ତାହାଙ୍କର ସମସ୍ତ ଦୃଷ୍ଟି ଓ ଚିନ୍ତା କେତେକ ସମୟ ପାଇଁ ସେହି ପାତ୍ରସ୍ଥିତ ଦୁଗ୍ଧରେ ଲାଗି ରହିଲା । ସେ ଏକ ଅତ୍ୟଳ୍ପ ମାତ୍ର ପଥ ଆସିବା ପାଇଁ ଉଚିତ ସମୟ ଅପେକ୍ଷା ବହୁତ ବିଳମ୍ବ କଲେ-। ଶେଷରେ ପାତ୍ରଟି ଧରି ପ୍ରଭୁଙ୍କ ନିକଟରେ ଯାଇ ଉପସ୍ଥିତ ହେଲେ । ନାରଦଙ୍କୁ ଦେଖିବା ମାତ୍ରେ ଭଗବାନ କହିଲେ, ‘‘ନାରଦ, ଏତେ ବିଳମ୍ବ ହେଲା କାହିଁକି ? ଅନ୍ୟ କୌଣସି ବିଶେଷ କାର୍ଯରେ ଟିକିଏ ଲାଗିଗଲ କି ?’’ ନାରଦ ଉତ୍ତର କଲେ, ‘‘ପ୍ରଭୋ ! ମୁଁ ତ ଅନ୍ୟ କୌଣସି କାର୍ଯ୍ୟରେ ଟିକିଏ ଯାଇନାହିଁ । କେବଳ ପ୍ରଭୁଙ୍କର ଆଦେଶ ପାଳନ କରୁଥିଲି । ପାତ୍ରଟି ଦୁଗ୍ଧରେ ପୂର୍ଣ୍ଣ ଥିଲା । କାଳେ ତଳେ ଇଡ଼ିଯିବ ଏହି ଆଶଙ୍କାରେ ମୋତେ ଧୀରେ ଧୀରେ ଆସିବାକୁ ପଡ଼ିଲା-। ଏଥିଯୋଗୁଁ ଯାହା ବିଳମ୍ବ ହୋଇଯାଇଅଛି । ପ୍ରଭୁଙ୍କର ତୃଷା ହେଉଥିଲା; ମୋର ଏହି ବିଳମ୍ବ ନିମିତ୍ତ କ୍ଷମା ଦିଅନ୍ତୁ-।’’ ଭଗବାନ କହିଲେ, ‘‘ନାରଦ, ତୁମ୍ଭେ ତ ନିଜ ଦୋଷରୁ ବିଳମ୍ବ କରି ନାହଁ-। ଏଥିରେ ଏତେ ଦୁଃଖିତ କାହିଁକି ?’’ ଏତିକି ମାତ୍ର କହି ଭଗବାନ ଦୁଗ୍ଧପାନ କରି ତୃଷା ନିବାରଣ କଲେ ।

 

ନାରଦ ନିକଟରେ ବସି ପ୍ରଭୁଙ୍କର ପଦାରବିନ୍ଦ ଧ୍ୟାନ କରୁଥାନ୍ତି । ଅଳ୍ପ ସମୟ ପରେ ଭଗବାନ କହିଲେ, ‘‘ନାରଦ, ତୁମ୍ଭେ ଏହି ଦୁଗ୍ଧପାତ୍ରଟି ଏଠାକୁ ଆଣୁଥିବା ସମୟରେ କେତେଥର ମୋହର ନାମ ସ୍ମରଣ କରିଅଛ ?’’ ଏହି ପ୍ରଶ୍ନରେ ନାରଦ ବିସ୍ମିତ ହେଲେ । ପ୍ରକୃତରେ ସେ ପ୍ରଭୁଙ୍କର ନାମ ଉଚ୍ଚାରଣ କରିବାକୁ ଏକାବେଳକେ ଭୁଲିଯାଇଥିଲେ । ସେ ଏକପ୍ରକାର ଲଜ୍ଜିତ ହୋଇ କହିଲେ, ‘‘ଆପଣ ଅନ୍ତର୍ଯ୍ୟାମୀ ମୁଁ ଛାର ଆପଣଙ୍କୁ କି ପରୀକ୍ଷା ଦେବି ? ଅଥବା ଆପଣଙ୍କର କାର୍ଯ୍ୟ କ’ଣ ବୁଝିପାରିବି ? ମୁଁ ସତ୍ୟ ସତ୍ୟ ଆପଣଙ୍କର ନାମ ଧ୍ୟାନ କରିବାକୁ ଏକାବେଳକେ ଭୁଲିଯାଇଅଛି । ମୋର ସମସ୍ତ ଦୃଷ୍ଟି ଓ ଭାବନା କେବଳ ସେହି ପାତ୍ରସ୍ଥିତ ଦୁଗ୍ଧ ଉପରେ ଥିଲା । ଯେପରି ଦୁଗ୍ଧ ଇଡ଼ି ନଯାଏ ଏଥିପାଇଁ ମୁଁ ସାବଧାନ ପୂର୍ବକ ଆସୁ ଆସୁ ମୋ ହୃଦୟର ମନ୍ତ୍ର ସ୍ମରଣ କରିପାରି ନାହିଁ । ଆପଣତ କ୍ଷମାନିଧି । ଏହି ଦାସାନୁଦାସର ଅପରାଧ କ୍ଷମା କରନ୍ତୁ, ଚରଣ ସେବା ସୁଖରୁ ବଞ୍ଚିତ କରନ୍ତୁ ନାହିଁ, ପ୍ରଭୋ !’’ ସସ୍ମିତ ମୁଖରେ ଭଗବାନ କହିଲେ, ‘‘ନାରଦ, ଏଥିରେ ତୁମ୍ଭର ଦୋଷ ଅଛି ବୋଲି ମୁଁ ଅନୁମାନ କରିପାରୁ ନାହିଁ । ତୁମ୍ଭେ ମୋର ନାମ ସ୍ମରଣ ନ କଲେ ମଧ୍ୟ, ମୋତେ ଧ୍ୟାନ ନ କଲେ ମଧ୍ୟ, ମୋର ଆଦେଶ ପାଳନ କରୁଥିଲ । ଏହା କ’ଣ ତୁମ୍ଭର କର୍ତ୍ତବ୍ୟ ନୁହେଁ ? ଅବଶ୍ୟ । ଯାହାହେଉ, ସେଥିପ୍ରତି କୌଣସି ଚିନ୍ତା କରନାହିଁ । ଏତ ସାମାନ୍ୟ କଥା । ତୁମ୍ଭ ଉପରେ ଯେବେ ଆହୁରି ଗୁରୁତର ଭାର ଦେଇଥାନ୍ତି, ତୁମ୍ଭେ ସେହି କାର୍ଯ୍ୟ ସମାଧାନ ହିଁ ନିଜର କର୍ତ୍ତବ୍ୟ ବୋଲି ମନେ କଲେ ମୋତେ ଏତେ ଧ୍ୟାନ କରିବାକୁ ଅବସର ପାଆନ୍ତ ନାହିଁ । ମୋତେ ଧ୍ୟାନ ନ କଲ ବୋଲି ଯେ ମୁଁ ତୁମ୍ଭଙ୍କୁ ତ୍ୟାଗ କରନ୍ତି ଏହା କଦାପି ନୁହେଁ । ଏହା ମୋ ସୃଷ୍ଟିର ନିୟମ ନୁହେଁ । ମୁଁ ଏହି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିକରି ପ୍ରତ୍ୟେକ ଜୀବ ଉପରେ କିଛି କିଛି କାର୍ଯ୍ୟର ଭାର ଦେଇଅଛି । ଯେ ଅକୁଣ୍ଠିତ ଚିତ୍ତରେ ସେହି କାର୍ଯ୍ୟମାନ ସାଧନ କରୁଅଛି ସେ ମୋର ଯେପରି ପ୍ରିୟ ଭକ୍ତ, ଯେ ସଂସାର ତ୍ୟାଗ କରି କେବଳ ମୋହଠାରେ ସକଳ କର୍ମ ନ୍ୟସ୍ତକରି ସରଳ ଭାବରେ ମୋହରି ଚିନ୍ତାରେ ଜୀବନ ଯାପନ କରି ପରମ ସନ୍ତୋଷ ଲାଭ କରୁଅଛି ସେ ମଧ୍ୟ ସେହି ପରି ପ୍ରିୟ । ମୁଁ ଦେଖେଁ କିଏ ନିଜର ଅବସ୍ଥା ବୁଝି, ମୋ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ପରମ ଆନନ୍ଦ ସହିତ ତାହାର କର୍ତ୍ତବ୍ୟ କର୍ମ ସାଧନ କରୁଅଛି । କପଟତା ଓ ଅବାଧ୍ୟତା ମୋ ନୀତିଠାରୁ ବହୁତ ଦୂରରେ । ତୁମ୍ଭେ ଯେଉଁ କୃଷକଙ୍କର ଦୈନିକ କାର୍ଯ୍ୟ ସବୁ ସ୍ଵଚକ୍ଷୁରେ ଦେଖି ଆସିଲ, ତାହାଙ୍କ ଉପରେ ମୁଁ କେତେ ଭାର ଅର୍ପଣ କରିନାହିଁ ? ତାଙ୍କର ତ ସେହି କର୍ତ୍ତବ୍ୟଗୁଡ଼ିକ ପାଳନ କରିବା ଉଚିତ । ତାହାଙ୍କ ଉପରେ ସ୍ତ୍ରୀ, ପୁତ୍ର, କନ୍ୟା, ପରିବାର, ଜମି, ବାଡ଼ୀ, ଘର ଇତ୍ୟାଦି ନାନା ଚିନ୍ତାର ବିଷୟ ରହିଅଛି । ସେ ସେହିଗୁଡ଼ିକ ନିଜର କର୍ତ୍ତବ୍ୟ ମନେ କରି ନିଷ୍କପଟ ଭାବରେ ଓ ସରଳ ପ୍ରାଣରେ ସାଧନ କରୁଅଛନ୍ତି । ଏହା ତୁମ୍ଭେ ଅବଶ୍ୟ ବୁଝିପାରୁଥିବ । ଆଉ ମଧ୍ୟ କର୍ମ ଶେଷରେ ସେ ଯେ ବ୍ୟାକୁଳ ହୋଇ ମୋତେ ଚିନ୍ତା କରି, ମୋର ନାମ ଉଚ୍ଚାରଣ କରି ନିଶ୍ଚିନ୍ତରେ ଶୟନ କରନ୍ତି ସେଥିରେ ତୁମ୍ଭେ ସହଜରେ ଅନୁମାନ କରିପାରୁଥିବ, ତାହାଙ୍କର ମୋଠାରେ କି ଦୃଢ଼ ଭକ୍ତି ଓ ବିଶ୍ୱାସ ! ଅତଏବ ସେ ସର୍ବଦା ମୋର ନାମ ଉଚ୍ଚାରଣ କରନ୍ତି ନାହିଁ ବୋଲି ଯେ ମୋର ଭକ୍ତ ନୁହନ୍ତି ଏପରି ବୁଝିବା ଭ୍ରମ । ସେ ପ୍ରତ୍ୟେକ କାର୍ଯ୍ୟକୁ ମୋର ଆଦେଶ ବୋଲି ସ୍ମରଣ କରି ଅକୁଣ୍ଠିତ ଚିତ୍ତରେ କର୍ମ କରନ୍ତି । ତାହାଙ୍କର ସକଳ କର୍ମ ନିର୍ଦ୍ଦୋଷ । ମୁଁ ତାହାଙ୍କର ନିରଳସ ସ୍ୱଭାବ, ସତ୍ୟନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସାଧୁତାରେ ଅତ୍ୟନ୍ତ ପ୍ରୀତ ହୋଇଅଛି । ସେ ଜଣେ ଆର୍ଦଶ କୃଷକ ଓ ଗୃହସ୍ଥ ।’’

 

ନାରଦ ଭଗବାନଙ୍କ ଶ୍ରୀମୁଖରୁ ଏହି ସବୁ ଉପଦେଶ ଶୁଣି ନିଜର ଭ୍ରମ ବୁଝିପାରି ମନେ ମନେ ବଡ଼ ଲଜ୍ଜିତ ହେଲେ । ସେ ଗଦ୍‌ଗଦ ସ୍ୱରରେ କହିଲେ, ‘‘ପ୍ରଭୋ, ଆପଣଙ୍କର ଉପଦେଶାମୃତ ପାନ କରି ମୋର ଅଜ୍ଞାନ ଦୂର ହୋଇଅଛି । ଆଜ୍ଞା ହେଲେ ମୁଁ ଅତିଶୀଘ୍ର ସେହି ଭକ୍ତଙ୍କୁ ଏଠାକୁ ଘେନି ଆସିବି ।’’ ଭଗବାନ କହିଲେ, ‘‘ନାରଦ, ଯେଉଁ ଦିନ ତାହାଙ୍କର ଏଠାକୁ ଆସିବାର କଥା, ସେ ଦିନ ମୁଁ ନିଜେ ଯାଇଁ ତାହାଙ୍କୁ ସାଙ୍ଗରେ ନେଇ ଆସିବି । ତୁମ୍ଭେ ସେହି ଦିନ ମୋ ସାଙ୍ଗେ ଯାଇ ତୁମ୍ଭର ବନ୍ଧୁଙ୍କୁ ଅଭ୍ୟର୍ଥନା କରି ନେଇଆସିବ ।’’

 

କିଛି କାଳ ଗଲା । ଭଗବାନ ଦିନେ ନାରଦଙ୍କୁ ଡାକି ମର୍ତ୍ତ୍ୟପୁରକୁ ଗମନ କଲେ । କୃଷକ ଭଗବାନଙ୍କୁ ଦର୍ଶନ କରି କୃତାର୍ଥ ହେଲେ । ସେ ଏତେ ଦିନ ନୀରବ ଭାବରେ ଓ ସରଳ ପ୍ରାଣରେ ଯେଉଁ ସାଧନା କରୁଥିଲେ ଆଜି ତାହା ଫଳବତୀ ହେଲା । ଭଗବାନଙ୍କ ଆଦେଶକ୍ରମେ ସେ ସଂସାରର ଭାର ପୁତ୍ର ପୌତ୍ତ୍ରାଦିଙ୍କ ଉପରେ ଅର୍ପଣ କରି ମହାନନ୍ଦରେ ଭଗବାନଙ୍କ ସହିତ ବୈକୁଣ୍ଠକୁ ଗମନକଲେ । ସେଠାରେ ଅନ୍ୟାନ୍ୟ ଭକ୍ତମାନେ ଯେପରି ଆଦର ଓ ସ୍ନେହରେ ସ୍ଥାନ ପାଆନ୍ତି, ସେ ମଧ୍ୟ ସେହି ପରି ସ୍ଥାନ ପାଇ ପରମ ଆନନ୍ଦରେ ବାସ କଲେ ।

Image

 

ଗୁରୁଭକ୍ତି

 

ପୂର୍ବେ ଛାତ୍ରମାନେ ଗୁରୁଗୃହରେ ରହି କିପରି ବିଦ୍ୟାଭ୍ୟାସ କରୁଥିଲେ ତାହା ପ୍ରାୟ ସମସ୍ତଙ୍କୁ କିଞ୍ଚିତ ଜଣାଅଛି । କୌଣସି ନବାଗତ ବ୍ୟକ୍ତି ଛାତ୍ରତ୍ୱ ଗ୍ରହଣ ଅଭିଳାଷରେ ଉପସ୍ଥିତ ହେଲେ ଗୁରୁ କେତେକ ବର୍ଷ ତାହାର ଆଚରଣ, ବ୍ୟବହାର, ଜ୍ଞାନଲିପ୍ସା, ଆଦେଶାନୁବର୍ତ୍ତିତା ପ୍ରଭୃତି ଯାବତୀୟ ଛାତ୍ରୋଚିତ ସଦ୍‌ଗୁଣ ପରୀକ୍ଷା କରି ତତ୍‌ପରେ ତାହାକୁ ଛାତ୍ରରୂପେ ଗ୍ରହଣ କରୁଥିଲେ । ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗୁରୁ ନିଜର ଯୋଗବଳରେ ବେଦ ବେଦାଙ୍ଗ ପ୍ରଭୃତି ଶାସ୍ତ୍ରମାନଙ୍କର ସାରଭୂତ ଦିବ୍ୟଜ୍ଞାନ ତାହାକୁ ପ୍ରଦାନ କରୁଥିଲେ । ଉକ୍ତ ଶିଷ୍ୟ ଅଳ୍ପକାଳ ମଧ୍ୟରେ ପରମଜ୍ଞାନୀ ରୂପେ ପରିଣତ ହେଉଥିଲେ ।

 

ଆରୁଣୀନାମକ ଜନୈକ ଶିଷ୍ୟ କୌଣସି ଏକ ମହର୍ଷିଙ୍କ ଅଧୀନରେ ରହି ଏହିରୂପେ ଶତ ଶତ କଠୋର ସାଧନାରେ ପରୀକ୍ଷିତ ହୋଇଥିଲେ । ଦିନେ ଧାନ୍ୟ କ୍ଷେତ୍ରରେ ଦୃଢ଼ ବନ୍ଧ ଅଭାବରୁ ଜଳ ରହି ନପାରି ଗଡ଼ି ଆସୁଥିବାର ଶୁଣି ଗୁରୁ ମହାଶୟ ଆରୁଣୀଙ୍କୁ ଆଦେଶ କଲେ, ‘‘ଆରୁଣୀ, ବନ୍ଧ ନ ଥିବାରୁ କ୍ଷେତ୍ରରେ ଜଳ ରହିପାରୁନାହିଁ । ତୁମ୍ଭେ ଯାଅ, ଚେଷ୍ଟାକରି ବନ୍ଧ ଦେଇ ବିଲରେ ପାଣି ଅଟକାଇ ରଖ । ଗୁରୁଆଜ୍ଞା ଶିରୋଧାର୍ଯ୍ୟ କରି ଆରୁଣୀ କ୍ଷେତ୍ର ନିକଟକୁ ଗମନ କଲେ ସେ ସେଠାରେ ବହୁକଷ୍ଟରେ ଗୋଟିଏ ବନ୍ଧ ନିର୍ମାଣ କଲେ; କିନ୍ତୁ ତାହା ରହିଲା ନାହିଁ । ବହୁ ଚେଷ୍ଟା କରି ମଧ୍ୟ ସେ କୌଣସି ପ୍ରକାରେ ଜଳ ଅଟକାଇ ରଖିପାରିଲେ ନାହିଁ । ଗୁରୁଙ୍କର ଆଦେଶ ଅବା ଲଙ୍ଘନ କରବେ କିପରି ? ଭାବି ଭାବି ଶେଷକୁ ଏକ ଉପାୟ ଉଦ୍ଭାବନ କଲେ । ଅନ୍ୟ ଗତି ନ ଦେଖି ନିଜେ ସେହି କ୍ଷୁଦ୍ର ବନ୍ଧ ଉପରେ ଶୟନ କରି ଜଳନିର୍ଗମ ଅବରୋଧ କଲେ ।

 

ଦିବା ଅବସାନ ହେଲା । ରାତ୍ରି ଉପସ୍ଥିତ ହେଲା । ତଥାପି ଆରୁଣୀ ଫେରିଲେ ନାହିଁ । ବିଳମ୍ବ ହେବାର ଦେଖି ଗୁରୁମହାଶୟ ଅନ୍ୟାନ୍ୟ ଶିଷ୍ୟମାନଙ୍କ ସହିତ କ୍ଷେତ୍ରରେ ଉପସ୍ଥିତ ହୋଇ ଆରୁଣୀଙ୍କର ଅନୁସନ୍ଧାନ କଲେ । କିନ୍ତୁ ତାହାଙ୍କୁ କୌଣସିଠାରେ ପ୍ରାପ୍ତ ନ ହୋଇ ନାମ ଧରି ଉଚ୍ଚସ୍ୱରରେ ଆହ୍ୱାନ କଲେ । ତାହାଙ୍କର ସସ୍ନେହ ଆହ୍ୱାନରେ ଆହ୍ଲାଦିତ ହୋଇ ଆରୁଣୀ ସହସା ଉତ୍ଥାନ କରି ଗୁରୁଙ୍କର ପାଦଦେଶ ବନ୍ଦନା କଲେ । ତତ୍ପରେ ଗୁରୁଦେବ ପ୍ରଶ୍ନ କରନ୍ତେ ସେ ଧୀର ଧୀରେ କହିଲେ, ‘‘ଗୁରୁଦେବ, ବହୁବାର ଚେଷ୍ଟାକରି ଅକୃତକାର୍ଯ୍ୟ ହେବାରୁ ଏହି ସ୍ଥୂଳଶରୀର ପାତନ କରି ଜଳ ଅବରୋଧ କଲି । ବର୍ତ୍ତମାନ କି କାର୍ଯ୍ୟ କରିବି ଆଜ୍ଞା ଦିଅନ୍ତୁ ।’’ ଗୁରୁଆଜ୍ଞା ପାଳନରେ ଏତାଦୃଶ ଦୃଢ଼ନିଷ୍ଠା ଦେଖି ଗୁରୁ ମହାଶୟ ଶିଷ୍ୟ ପ୍ରତି ଯତ୍ପରୋନାସ୍ତି ସନ୍ତୁଷ୍ଟ ହୋଇ କହିଲେ, ‘‘ବତ୍ସ ! ତୁମ୍ଭେ ଶିଷ୍ୟର ଉପଯୁକ୍ତ କର୍ମ କରିଅଛ । ଆଜିଠାରୁ ତୁମ୍ଭର ପରୀକ୍ଷା ଶେଷ ହେଲା । ତୁମ୍ଭର ଏହି କାର୍ଯ୍ୟ ହେତୁ ମୁଁ ତୁମ୍ଭଙ୍କୁ ‘ଉଦ୍ଦାଳକ’ ନାମ ଦେଲି । ତୁମ୍ଭେ ଅତିଶୀଘ୍ର ଦିବ୍ୟଜ୍ଞାନ ଲାଭକରି ଜୀବନ ସାର୍ଥକ କରିବ ।’’

 

ଗୁରୁଙ୍କର ଏହି ଅପାର ସନ୍ତୋଷ ଓ ଅନୁଗ୍ରହ ହେତୁରୁ ଉଦ୍ଦାଳକ ଅଳ୍ପକାଳ ମଧ୍ୟରେ ଜଣେ ପରମଜ୍ଞାନୀ ଓ ଋଷି ହୋଇ ଉଠିଲେ ।

Image

 

ବିଶ୍ୱାମିତ୍ରଙ୍କର ତପସ୍ୟା

 

ପ୍ରତ୍ୟେକେ ବିଶ୍ୱାମିତ୍ରଙ୍କ ନାମ ଶୁଣିଥିବେ । ବିଶ୍ୱାମିତ୍ର ପ୍ରଥମେ ଋଷି ନଥିଲେ । ସେ ପ୍ରଥମେ ଜଣେ ବଡ଼ ରାଜା ଥିଲେ । ସେ ଏପରି ଉତ୍ତମ ରୂପେ ରାଜ୍ୟ ଶାସନ କରୁଥିଲେ ଯେ, ତାଙ୍କ ରାଜ୍ୟ ମଧ୍ୟରେ ସର୍ବତ୍ର ସୁଖ ଓ ଶାନ୍ତି ବିରାଜିତ ଥିଲା । ଲୋକେ ସତ୍ୟବାଦୀ,ବିଶ୍ୱସ୍ତ ଓ ନ୍ୟାୟବାନ୍‌ ଥିଲେ । କେତେକ ଦିନ ଏହିପରି ଶାନ୍ତିରେ ରାଜତ୍ୱ କଲାପରେ ଦିନେ ତାହାଙ୍କର ଯୁଦ୍ଧ କରିବାପାଇଁ ପ୍ରବୃତ୍ତି ହେଲା । କିନ୍ତୁ ତାହାଙ୍କର ତ ଶତ୍ରୁ କେହି ନାହାନ୍ତି; କାହା ସଙ୍ଗେ ଯୁଦ୍ଧ କରିବେ-? କେହି ତାହାଙ୍କ ସହିତ ଯୁଦ୍ଧ କରିବାକୁ ସାହସ କରୁ ନ ଥିଲେ । ବିଶ୍ୱାମିତ୍ର ଅନେକ ସୈନ୍ୟ ସଂଗ୍ରହ କରି ରାଜ୍ୟରୁ ବାହାରିଲେ । ସୈନ୍ୟମାନେ ବଶିଷ୍ଠ ନାମକ ମହର୍ଷିଙ୍କ ଆଶ୍ରମରେ ଯାଇ ଉପସ୍ଥିତ ହେଲେ । ଆଶ୍ରମଟି ଅତ୍ୟନ୍ତ ରମଣୀୟ ଥିଲା । ଦେବତାମାନେ ମଧ୍ୟ ସେହି ଆଶ୍ରମର ସୌନ୍ଦର୍ଯ୍ୟରେ ମୁଗ୍ଧ ହେଉଥିଲେ ।

 

ବିଶ୍ୱାମିତ୍ର, ବଶିଷ୍ଠ ଉଭୟେ ଉଭୟଙ୍କୁ ସାକ୍ଷାତ୍‌ କରିବା ଦ୍ୱାରା ଅତ୍ୟନ୍ତ ପ୍ରୀତ ହୋଇଥିଲେ । ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ଅରଣ୍ୟ ମଧ୍ୟରେ ତାହାଙ୍କ ଆଶ୍ରମରେ ରହିବା ପାଇଁ ଅନୁରୋଧ କଲେ । ବଶିଷ୍ଠ ଦରିଦ୍ର ବ୍ରାହ୍ମଣ । ଅରଣ୍ୟ ମଧ୍ୟରେ ଏତେ ସୈନ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି କିପରି ଯେ ସତ୍କାର କରିବେ, ଏହା ବିଶ୍ୱାମିତ୍ରଙ୍କୁ ପ୍ରଥମରେ ଅତ୍ୟନ୍ତ ଅସମ୍ଭବ ପରି ବୋଧ ହେଲା । କିନ୍ତୁ ପ୍ରକୃତରେ ବଶିଷ୍ଠଙ୍କ ପକ୍ଷରେ ଏହା ଆଦୌ କଷ୍ଟକର ନୁହେଁ । ତାହାଙ୍କ ଆଶ୍ରମରେ ନନ୍ଦିନୀ ନାମକ ଗୋଟିଏ ସର୍ବସୁଲଷଣଯୁକ୍ତା ଗାଭୀ ଥିଲେ । ସେ ସ୍ୱର୍ଗର ଗାଭୀ । ତାହାଙ୍କଠାରେ ଏହି ଅସାଧାରଣ ଶକ୍ତି ଥିଲା ଯେ, ତାହାଙ୍କୁ ଯାହା ମାଗିବ ସେ ତାହା ଅବିଳମ୍ବେ ପ୍ରଦାନ କରିବେ । ନନ୍ଦିନୀଙ୍କର ରକ୍ଷକ ମହର୍ଷି ବଶିଷ୍ଠ, ବିଶ୍ୱାମିତ୍ର ଓ ତାହାଙ୍କର ସୈନ୍ୟମାନଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରିବାପାଇଁ ନନ୍ଦିନୀଙ୍କୁ ପ୍ରାର୍ଥନା କଲେ । ଦେଖୁଁ ଦେଖୁଁ ଦିବ୍ୟ ଅନ୍ନ, ନାନାବିଧ ବ୍ୟଞ୍ଜନ ଓ ଅନ୍ୟାନ୍ୟ ସୁଖାଦ୍ୟମାନ ଆସି ପାତ୍ରମାନଙ୍କରେ ସଜ୍ଜିତ ହୋଇ ରହିଗଲା ।

 

ରାଜା ଏହା ଦେଖି ଏକାବେଳକେ ସ୍ତମ୍ଭୀଭୂତ । କାହିଁ କିଛି ଆୟୋଜନ ନାହିଁ । ଅଥଚ ଯାହା ସବୁ ସେ ରାଜା ହୋଇ ମଧ୍ୟ କେବେହେଁ ଆସ୍ୱାଦନ କରିନାହାନ୍ତି ତାହାଠାରୁ ବଳି ଉତ୍କୃଷ୍ଟ ରୁଚିକର ପଦାର୍ଥମାନ ଆସି ତାହାଙ୍କ ନିକଟରେ ବଢ଼ା ହୋଇଅଛି । ବଶିଷ୍ଠ ବୋଧହୁଏ କୌଣସି ମନ୍ତ୍ରବଳରେ ଏପରି ଐନ୍ଦ୍ରଜାଲିକ କାର୍ଯ୍ୟମାନ କରୁଅଛନ୍ତି । ବିଶ୍ୱାମିତ୍ର ଧୈର୍ଯ୍ୟରକ୍ଷା କରିନପାରି ବଶିଷ୍ଠଙ୍କୁ ଜିଜ୍ଞାସା କରିବାରୁ ବଶିଷ୍ଠ କହିଲେ, ‘‘ମହାରାଜ, ଆପଣ ଯାହା ଦେଖୁଅଛନ୍ତି ତାହା କୌଣସି ମନୁଷ୍ୟର ଆୟତ୍ତାଧୀନ ନୁହେଁ । ମୋର ଆଶ୍ରମରେ ନନ୍ଦିନୀ ବୋଲି ଏକ ସ୍ୱର୍ଗଗାଭୀ ଅଛନ୍ତି । ତାହାଙ୍କ ଅନୁଗ୍ରହରୁ ମୁଁ ଆପଣମାନଙ୍କୁ ଯତ୍‌କିଞ୍ଚିତ୍‌ ଆହାର ପ୍ରଦାନ କରିବାକୁ ସମର୍ଥ ହୋଇଅଛି । ଆପଣ ଅନୁଗ୍ରହ ପୂର୍ବକ ଭୋଜନାଦି ଶେଷ କରି ବିଶ୍ରାମ କଲେ ମୋର ଅପୂର୍ବ ଆନନ୍ଦ ହେବ ।’’

 

ବିଶ୍ୱାମିତ୍ର ଏଥିରେ ଆନନ୍ଦିତ ନ ହୋଇ ବରଂ ହିଂସାରେ ଜଳି ଉଠିଲେ । ସେ ମନେ ମନେ ଭାବିଲେ, ‘‘କ’ଣ ! ମୁଁ ରାଜା; ଏ ଜଣେ ସାମାନ୍ୟ ବ୍ରାହ୍ମଣ ! ଯାହା ମୋ ଦ୍ୱାରା ଅସମ୍ଭବ ତାହା ଏ ଅନାୟାସାରେ ପ୍ରାପ୍ତ ହୋଇଅଛି । ଯଦି ଏହି ବ୍ରାହ୍ମଣଠାରୁ କୌଣସି ପ୍ରକାରେ ଏହି ଦିବ୍ୟ ଗାଭୀଟିକୁ ନେଇଯାଇ ପାରିବି, ତେବେ ଏହାର ଦର୍ପ ଚୂର୍ଣ୍ଣ ହେବ । ଆଉ ମଧ୍ୟ ମୋର କୌଣସି ବିଷୟରେ ଆଶଙ୍କା ରହିବ ନାହିଁ ।’’ ଏହିପରି ଭାବି ସେ କହିଲେ, ‘‘ମହର୍ଷେ, ଆପଣ ଯଦି କିଛି ମନେ ନ କରନ୍ତି ତେବେ ଏହି ଗୌଟି ଦେବାପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଅଛି । ମୁଁ ଏହାଙ୍କ ପରିବର୍ତ୍ତରେ ଆପଣଙ୍କୁ ଅସଂଖ୍ୟ ଧନରତ୍ନ ପ୍ରଦାନ କରିବି । ତଦ୍ୱାରା ଆପଣ ଅନାୟାସରେ ଓ ମହାସୁଖରେ କାଳାତିପାତ କରିପାରିବେ ।’’ ବଶିଷ୍ଠ ଏ ପ୍ରସ୍ତାବରେ ଆଦୌ ସମ୍ମତ ହେଲେ ନାହିଁ । ନନ୍ଦିନୀ ତାହାଙ୍କର ସର୍ବସ୍ୱ । ନନ୍ଦିନୀକୁ ହସ୍ତାନ୍ତର କରି ସେ କିପରି ରହିବେ ? ବିଶ୍ୱାମିତ୍ର ମନେ ମନେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଭାବିଲେ, ‘‘ଯେପରି ଅନୁମାନ କରୁଅଛି, ବଶିଷ୍ଠ ଶାନ୍ତିରେ ଗାଭୀଟିକୁ ଦେବେ ନାହିଁ । ସୁତରାଂ ଯୁଦ୍ଧ କରି ଏହାଙ୍କଠାରୁ ନନ୍ଦିନୀଙ୍କୁ ନେଇଯିବି ।’’ ଏହା ସ୍ଥିର କରି ସେ ଅବିଳମ୍ବେ ସେହି ଗାଭୀଟିକୁ ଧରିବାପାଇଁ ନିଜର ସୈନ୍ୟମାନଙ୍କୁ ଆଦେଶ ଦେଲେ । ସୈନ୍ୟମାନେ ଯାଇ ନନ୍ଦିନୀଙ୍କୁ ଆକ୍ରମଣ କଲେ । କିନ୍ତୁ ନନ୍ଦିନୀ ସହଜରେ ଧରାଦେଲେ ନାହିଁ । ସେ ଶୀଘ୍ର ଦୌଡ଼ିଯାଇ ବଶିଷ୍ଠଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ତାହାଙ୍କ ପଦତଳେ ପଡ଼ି କହଲେ, ‘‘ପ୍ରଭୁ ମୁଁ ଆପଣଙ୍କର କି ଅପରାଧ କଲି ଯେ, ଆପଣ ମୋ ପ୍ରତି କ୍ରୁଦ୍ଧ ହୋଇ ଅଛନ୍ତି । ଆପଣଙ୍କର କୌଣସି ଆଦେଶ କେବେ ଲଙ୍ଘନ କଲି କି ? ଯଦି କରିଥାଏଁ, ଅନୁଗ୍ରହ ପୂର୍ବକ ମୋତେ କ୍ଷମା କରନ୍ତୁ । ଆପଣଙ୍କ ନିକଟରୁ ମୋତେ କୌଣସି ପ୍ରକାରେ ତ୍ୟାଗ କରନ୍ତୁ ନାହିଁ । ମୁଁ ଆପଣଙ୍କ ନିକଟରୁ ଗଲେ ଅନ୍ୟଠାରେ କେବେହେଁ ସୁଖୀ ହୋଇପାରିବି ନାହିଁ ।’’ ବଶିଷ୍ଠ କହିଲେ, ‘‘ନନ୍ଦିନୀ, ତୁମ୍ଭର କୌଣସି ଦୋଷ ନାହିଁ । ମୁଁ ମଧ୍ୟ ତୁମ୍ଭ ଉପରେ ବିରକ୍ତ ହୋଇନାହିଁ । ତୁମ୍ଭଠାରୁ ବଳି ପରମବନ୍ଧୁ ମୋର ଏ ସଂସାରରେ କିଏ ଅଛି ? ତୁମ୍ଭେ ମୋହ ନିକଟରୁ ଚାଲିଗଲେ ଯେ ମୁଁ ଗଭୀର ଯାତନା ଭୋଗ କରିବି, ଏଥିରେ ଆଦୌ ସନ୍ଦେହ ନାହିଁ । ତୁମ୍ଭେ କ’ଣ ମନେ କରୁଅଛ ଯେ, ତୁମ୍ଭଙ୍କୁ ତ୍ୟାଗ କରିବା ମୋର ଇଚ୍ଛା ? କଦାପି ନୁହେଁ । ରାଜା ବିଶ୍ୱାମିତ୍ର ଆମ୍ଭ ଆଶ୍ରମରେ ସୈନ୍ୟ ଘେନି ରହିଛନ୍ତି, ତାହାର ତୁମ୍ଭଙ୍କୁ ନେବାପାଇଁ ଲୋଭ ହୋଇଅଛି । ସେ ମୋତେ ପ୍ରଥମେ ମାଗିଲା; କିନ୍ତୁ ମୁଁ ଅସ୍ୱୀକୃତ ହେବାରୁ ସେ ତୁମ୍ଭଙ୍କୁ ବଳାତ୍କାରରେ ମୋ ଆଶ୍ରମରୁ ନେଇଯିବା ପାଇଁ ନିଜ ସୈନ୍ୟମାନଙ୍କୁ ଆଦେଶ ଦେଇଅଛି । ସେ ରାଜା । ତାହାର ଅସୀମ ସୈନ୍ୟ । ତା’ ବିରୁଦ୍ଧରେ ଠିଆ ହେବାପାଇଁ ମୋର ଅବା କି ଶକ୍ତି ଅଛି ? ସୁତରାଂ ସେ ତୁମ୍ଭଙ୍କୁ ମୋହ ନିକଟରୁ ନେଇଗଲେ ମୁଁ ବାଧ୍ୟ ହୋଇ ନୀରବ ରହିବି ଏବଂ ତୁମ୍ଭଙ୍କୁ ମୋହ ନିକଟରୁ ପୃଥକ୍‌ ରହିବାକୁ ହେବ ।’’

 

ନନ୍ଦିନୀ କହିଲେ, ‘‘ପ୍ରଭୁ, ଆପଣ କ’ଣ ମୋର ଶକ୍ତି ଜାଣନ୍ତି ନାହିଁ ? ଆପଣ ଯେତେବେଳେ ଯାହା ଇଚ୍ଛା କରିବେ ମୁଁ ତତ୍‌କ୍ଷଣାତ୍‌ ତାହା ଆଣି ଆପଣଙ୍କୁ ଦେଇପାରିବି । ଆପଣ ଭୀତ ନ ହୋଇ ରାଜାଙ୍କର ସୈନ୍ୟମାନଙ୍କୁ ଏଠାରୁ ବିତାଡ଼ିତ କରିବାର ଉପାୟ କରନ୍ତୁ ।’’

 

ବଶିଷ୍ଠ ଅସଂଖ୍ୟ ସୈନ୍ୟ କାମନା କରି ନନ୍ଦିନୀଙ୍କୁ ଦୋହନ କଲେ । ଚାହୁଁ ଚାହୁଁ ଅପରିମିତ ସୈନ୍ୟ ଆବିର୍ଭୂତ ହୋଇ ବିଶ୍ୱାମିତ୍ରଙ୍କ ସୈନ୍ୟମାନଙ୍କୁ ଆକ୍ରମଣ କଲେ । ସେମାନେ ମୁହୂର୍ତ୍ତକେ ଇତସ୍ତତଃ ହୋଇ ପଳାୟନ କଲେ । ତତ୍‌ପରେ ବିଶ୍ୱାମିତ୍ରଙ୍କର ଶତପୁତ୍ର ଆସି ଯୁଦ୍ଧ ସ୍ଥଳରେ ଉପସ୍ଥିତ ହେଲେ । ସେମାନେ ବଶିଷ୍ଠଙ୍କୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କରି ତାହାଙ୍କୁ ଭୀଷଣ ଭାବରେ ଆକ୍ରମଣ କଲେ । କିନ୍ତୁ ବଶିଷ୍ଠ ନିଜର ତପସ୍ୟା ପ୍ରଭାବରେ ସେମାନଙ୍କୁ ଏକ ନିଶ୍ୱାସରେ ଛିନ୍ନଭିନ୍ନ କରିଦେଲେ । ବିଶ୍ୱାମିତ୍ର ହତାଶ ହୋଇ ଅଗତ୍ୟା ପ୍ରତ୍ୟାବର୍ତ୍ତନ କଲେ ।

 

କିନ୍ତୁ ତାହାଙ୍କ ହୃଦୟରେ ସର୍ବଦା ଘୋର ଅଶାନ୍ତି ଉପସ୍ଥିତ ହେଲା । ରାଜ୍ୟଶାସନ ଓ ରାଜଭୋଗ ତାହାଙ୍କୁ ଆଉ ତିଳେମାତ୍ର ପ୍ରୀତିକର ବୋଧ ହେଲା ନାହିଁ । ବିଶ୍ୱାମିତ୍ର ରାଜ୍ୟତ୍ୟାଗ କରି ତପସ୍ୟାର୍ଥ ଅରଣ୍ୟଗମନ କଲେ । ସେଠାରେ ଘୋର ସଂଯମ ଅବଲମ୍ବନ କରି ଆହାର ନିଦ୍ରା ସମସ୍ତ ବର୍ଜନ କରି ମହାତପସ୍ୟାରେ ନିମଗ୍ନ ହେଲେ । ତତ୍‌ପରେ ଦେବଦେବ ମହାଦେବ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାହାଙ୍କୁ କହିଲେ, ‘‘ବତ୍ସ, ମୁଁ ତୁମ୍ଭର କଠୋର ତପସ୍ୟାରେ ସନ୍ତୁଷ୍ଟ ହେଇଅଛି । ତୁମ୍ଭର ଯେଉଁ ବର ଇଚ୍ଛା ମାଗିନିଅ ।’’ ବିଶ୍ୱାମିତ୍ର ମହାଦେବଙ୍କ ପଦତଳରେ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ, ‘‘ପ୍ରଭୋ ! ଆପଣ ଯେବେ ମୋହପ୍ରତି ସନ୍ତୁଷ୍ଟ ହୋଇଅଛନ୍ତି, ତେବେ ଦୟାକରି ମୋତେ ଏହି ବର ଦିଅନ୍ତୁ ଯେ, ଦେବତା ଓ ଅସୁରମାନଙ୍କର ଯେତେ ଅସ୍ତ୍ରଶସ୍ତ୍ର ଅଛି ସେ ସମସ୍ତ ମୋତେ ପ୍ରାପ୍ତ ହେଉ ।’’

 

ମହାଦେବ ବିଶ୍ୱାମିତ୍ରଙ୍କୁ ସେହିସବୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରି ଅନ୍ତର୍ହିତ ହେଲେ । ବିଶ୍ୱାମିତ୍ର ସେହିସବୁ ଶକ୍ତିଶାଳୀ ଅସ୍ତ୍ରମାନ ପ୍ରାପ୍ତ ହୋଇ ବଶିଷ୍ଠଙ୍କୁ ଆକ୍ରମଣ କରିବାକୁ ଗଲେ । ଦେବତାମାନେ ଯେଉଁ ଅସ୍ତ୍ର ବ୍ୟବହାର କରନ୍ତି ବିଶ୍ୱାମିତ୍ର ବଶିଷ୍ଠଙ୍କ ଉପରକୁ ସେହି ଅସ୍ତ୍ରସବୁ ନିକ୍ଷେପ କଲେ । କିନ୍ତୁ ବଶିଷ୍ଠ ନିଶ୍ଚଳ ଭାବରେ ସେ ସମସ୍ତ ସହ୍ୟକରି ଅଟଳ ରହିଲେ । ବିଶ୍ୱାମିତ୍ର ଅନନ୍ୟୋପାୟ ହୋଇ ପରିଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ । କିନ୍ତୁ ତାହା ମଧ୍ୟ ବଶିଷ୍ଠଙ୍କ ଶରୀରରେ କୌଣସି ମାତ୍ର ଆଘାତ କରିପାରିଲା ନାହିଁ ।

 

ଏଥିରେ ବିଶ୍ୱାମିତ୍ର ଅତ୍ୟନ୍ତ ହତାଶ ଓ ବିରକ୍ତ ହେଲେ । ସେ ମନେ ମନେ ଭାବିଲେ, ‘‘ବ୍ରାହ୍ମଣର ଶକ୍ତି ତୁଳନାରେ କ୍ଷତ୍ରିୟର ଶକ୍ତି ଅତି ସାମାନ୍ୟ ମାତ୍ର । ବ୍ରାହ୍ମଣ ନ ହେବାଯାଏଁ ମୋର ଶାନ୍ତି ନାହିଁ ।’’

 

ବିଶ୍ୱାମିତ୍ର ବ୍ରାହ୍ମଣତ୍ୱ ଲାଭ କରିବା ପାଇଁ ବହୁବର୍ଷବ୍ୟାପି କଠୋର ତପସ୍ୟା କରିବାକୁ ଲାଗିଲେ । ତତ୍‌ପରେ ବ୍ରହ୍ମା ତାହାଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କ ତପସ୍ୟାର ଫଳସ୍ୱରୂପ ତାହାଙ୍କୁ ‘ରାଜର୍ଷି’ ପଦ ପ୍ରଦାନ କରି ଅନ୍ତର୍ହିତ ହେଲେ । କିନ୍ତୁ ଏଥିରେ ବିଶ୍ୱାମିତ୍ର ସନ୍ତୁଷ୍ଟ ହେଲେ ନାହିଁ । ସେ ବ୍ରାହ୍ମଣତ୍ୱ ପାଇବାପାଇଁ ଏକାନ୍ତ କୃତସଙ୍କଳ୍ପ ।

 

ଏହି ସମୟରେ ତ୍ରିଶଙ୍କୁ ନାମରେ ଜଣେ ରାଜା ଥିଲେ । ତାହାଙ୍କର ଏକ ପ୍ରଧାନ ଦୁର୍ବଳତା ଥିଲା । ସେ ତାହାଙ୍କର ଏହି ପାର୍ଥିବ ଶାରୀରଟିକୁ ଅତ୍ୟନ୍ତ ଲୋଭ କରୁଥିଲେ । ତାହା କିପରି ଜରାମରଣରହିତ ହୋଇ ଚିରଦିନ ମର୍ତ୍ତ୍ୟରେ ରହୁ ତାହାଙ୍କର ଏହାହିଁ ଏକମାତ୍ର ଚିନ୍ତାର ବିଷୟ ଥିଲା । ମୃତ୍ୟୁକୁ ସେ ପ୍ରତିମୁହୂର୍ତ୍ତ ଭୟ କରୁଥିଲେ । ତାହାଙ୍କର ଏକ ଯଜ୍ଞ କରିବାର ବାସନା ହେବାରୁ ସେ ବଶିଷ୍ଠଙ୍କ ନିକଟକୁ ଯାଇ ତାହାଙ୍କର ସାହାଯ୍ୟ ଲୋଡ଼ିଥିଲେ । ସେ ମନେ କରିଥିଲେ ଯେ, ଏପରି ଗୋଟିଏ ଯଜ୍ଞ କରିଦେଲେ ସେ ସ୍ୱର୍ଗକୁ ଯାଇ ମଧ୍ୟ ଏହି ପାର୍ଥିବ ଶରୀରକୁ ଅକ୍ଷୁର୍ଣ୍ଣ ରଖିପାରିବେ । କିନ୍ତୁ ବଶିଷ୍ଠ କହିଲେ ଯେ, ସେ ଏ ପ୍ରକାର ଗୋଟିଏ ଅସଙ୍ଗତ କାର୍ଯ୍ୟରେ ଯୋଗଦାନ କରିବେ ନାହିଁ । ତତ୍‌ପରେ ତ୍ରିଶଙ୍କୁ ବଶିଷ୍ଠଙ୍କର ପୁତ୍ରମାନଙ୍କ ନିକଟକୁ ଯାଇ ସେମାନଙ୍କର ସାହାଯ୍ୟ ମାଗିଲେ । ସେମାନେ ମଧ୍ୟ ଏଥିରେ ନାରାଜ ହେଲେ । ତ୍ରିଶଙ୍କୁ ସେମାନଙ୍କୁ ବଡ଼ କର୍କଶ ବାକ୍ୟ ପ୍ରୟୋଗ କଲେ । ସେମାନେ ତ୍ରିଶଙ୍କୁଙ୍କୁ ଶାପ ଦେଲେ ଯେ, ସେ ନିଜର ସୁନ୍ଦର ଶରୀରଟି ହରାଇ ଗୋଟିଏ ଚଣ୍ଡାଳର ଶରୀର ଧାରଣ କରନ୍ତୁ ।

 

ତ୍ରିଶଙ୍କୁ ଅବିଳମ୍ବେ ଏକ କୃଷ୍ଣକାୟ ଚଣ୍ଡାଳର ରୂପ ଧାରଣ କଲେ । କିପରି ଶାପମୁକ୍ତ ହେବେ ଏହି ଚିନ୍ତା ସର୍ବଦା ତାହାଙ୍କୁ ବ୍ୟସ୍ତ କରୁଥାଏ । ସଶରୀରରେ ସ୍ୱର୍ଗକୁ ଯିବେ ବୋଲି ଯେଉଁ ଚିରପୋଷିତ ବାଞ୍ଛା ହୃଦୟରେ ଧାରଣ କରିଥିଲେ ତାହା କ’ଣ ଏହିଠାରେ ଶେଷ ହେଲା ? ତ୍ରିଶଙ୍କୁ ଅନ୍ୟ ଉପାୟ ନଦେଖି ବଶିଷ୍ଠଙ୍କର ପରମଶତ୍ରୁ ବିଶ୍ୱାମିତ୍ରଙ୍କ ନିକଟକୁ ଯାଇ ତାହାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ବିଶ୍ୱାମିତ୍ର ତ୍ରିଶଙ୍କୁଙ୍କୁ ଦୁଃଖର କାରଣମାନ ପଚାରନ୍ତେ, ସେ ଆମୂଳଚୂଳ ସମସ୍ତ ଘଟଣା ବର୍ଣ୍ଣନା କରିଗଲେ । ବିଶ୍ୱାମିତ୍ର ତାହାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ହେଲେ । ସେ ଏକ ଅଶ୍ୱମେଧ ଯଜ୍ଞର ଆୟୋଜନ କରି ସମସ୍ତ ଋଷି ଓ ସନ୍ନ୍ୟାସୀଙ୍କୁ ଉକ୍ତ ଅନୁଷ୍ଠାନରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ । ବଶିଷ୍ଠଙ୍କର ପୁତ୍ରମାନେ ତାହାଙ୍କର ଏହି ଆୟୋଜନର ସମ୍ବାଦ ଶୁଣି ତାହାଙ୍କୁ ପରିହାସ କଲେ । ଏହି ପରିହାସରେ କ୍ରୁଦ୍ଧ ହୋଇ ବିଶ୍ୱାମିତ୍ର ସେମାନଙ୍କୁ ନରକରେ ସେବା କରିବାପାଇଁ ଶାପ ଦେଲେ । ବିଶ୍ୱାମିତ୍ର ବହୁକାଳ ତପସ୍ୟା କରି ଯେଉଁ ଶକ୍ତି ସଞ୍ଚୟ କରିଥିଲେ ତାହାର ପ୍ରଭାବରୁ ଶାପ ନିଷ୍ଫଳ ହେଲା ନାହିଁ । ତତ୍‌ପରେ ସାଧୁ, ସନ୍ନ୍ୟାସୀ, ବ୍ରାହ୍ମଣ ପ୍ରଭୃତି ମହାଜନମାନେ ଆସି ଯଜ୍ଞ କାର୍ଯ୍ୟରେ ଯୋଗଦାନ କଲେ । କିନ୍ତୁ ଦେବତାମାନେ ଏଠାକୁ ଆସିବା ଦୂରେ ଥାଉ ଏ ନିମନ୍ତ୍ରଣରେ କର୍ଣ୍ଣପାତ ସୁଦ୍ଧା କଲେ ନାହିଁ । ବିଶ୍ୱାମିତ୍ର କହିଲେ, ‘‘ମୁଁ କଠୋର ତପସ୍ୟା କରି ପ୍ରଚୁର ଶକ୍ତି ଉପାର୍ଜନ କରିଅଛି । ଦେବତାମାନଙ୍କ ବିନା ଉପସ୍ଥିତିରେ ମୁଁ ତୁମ୍ଭଙ୍କୁ ଏକାକୀ ସାହାଯ୍ୟ କରିବି । ହେ ତ୍ରିଶଙ୍କୁ, ମୁଁ ଆଦେଶ ଦେଉଅଛି, ତୁମ୍ଭେ ତୁମ୍ଭର ପାର୍ଥିବ ଶରୀର ଧାରଣ କରି ସ୍ୱର୍ଗଙ୍କୁ ଆରୋହଣ କର ।’’ ତ୍ରିଶଙ୍କୁ ଆରୋହଣ କରିବାକୁ ଲାଗିଲେ । କିନ୍ତୁ ଯେତେବେଳେ ତାହାଙ୍କର ମସ୍ତକ ସ୍ୱର୍ଗ ରାଜ୍ୟକୁ ସ୍ପର୍ଶ କଲା, ଦେବରାଜ ଇନ୍ଦ୍ର ତାହାଙ୍କୁ ଅବରୋହଣ କରିବାକୁ ଆଦେଶ ଦେଲେ । ତ୍ରିଶଙ୍କୁ ଅବରୋହଣ କରିବାକୁ ଲାଗିଲେ । ସେ ତଳକୁ ଖସି ଆସୁଥିବା ବେଳେ ବିଶ୍ୱାମିତ୍ରଙ୍କୁ ଡାକି ତାହାଙ୍କର ସାହାଯ୍ୟ ଭିକ୍ଷା କଲେ । ବିଶ୍ୱାମିତ୍ର ତପଃ ପ୍ରଭାବରେ ତ୍ରିଶଙ୍କୁଙ୍କୁ ଊର୍ଦ୍ଧ୍ୱରେ ଟେକି ଧରି ରଖିଲେ । ତ୍ରିଶଙ୍କୁ ସ୍ୱର୍ଗ ଓ ମର୍ତ୍ତ୍ୟ ଉଭୟ ମଧ୍ୟରେ ଝୁଲି ରହିଲେ । ତତ୍‍ପରେ ବିଶ୍ୱାମିତ୍ର ମନେ ମନେ ଭାବିଲେ, ‘‘ମୁଁ ତପସ୍ୟା ପ୍ରଭାବରେ ନୂତନ ଦେବତା, ନୂତନ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ପ୍ରଭୃତି ସୃଷ୍ଟି କରିବି । ଏ ପୁରାତନ ସ୍ୱର୍ଗ ଓ ଦେବତାରେ କି ପ୍ରୟୋଜନ ଅଛି ? ଏ ଦେବତାମାନେ ନିତାନ୍ତ ଅଳସୁଆ, ଶକ୍ତିହୀନ ଓ ନିର୍ଦ୍ଦୟସ୍ୱଭାବ ହୋଇଗଲେଣି ।’’ ଏହାଭାବି ସେ ତପଃ ପ୍ରଭାବରେ ନୂତନ ସ୍ୱର୍ଗ, ଦେବତା, ଚନ୍ଦ୍ର, ତାରା, ଗ୍ରହ ଉପଗ୍ରହ ପ୍ରଭୃତି ଗୋଟି ଗୋଟି କରି ସୃଷ୍ଟି କରିଗଲେ ।

 

ଦେବରାଜ ଇନ୍ଦ୍ର ଏହା ଶୁଣି ଅତ୍ୟନ୍ତ ଭୀତ ହେଲେ । ସେ ସ୍ୱୟଂ ବିଶ୍ୱାମିତ୍ରଙ୍କ ନିକଟକୁ ଯାଇ କ୍ଷମା ପ୍ରାର୍ଥନା କଲେ । କିନ୍ତୁ ବିଶ୍ୱାମିତ୍ରଙ୍କୁ ଭକ୍ତିପୂର୍ବକ ସମ୍ମାନ ଦେଖାଇଲେ ସୁଦ୍ଧା ସେ ସଶରୀର ସ୍ୱର୍ଗକୁ ଯିବାପାଇଁ ତ୍ରିଶଙ୍କୁଙ୍କୁ ଅନୁମତି ଦେଇପାରିଲେ ନାହିଁ ।

 

ବିଶ୍ୱାମିତ୍ର ଇନ୍ଦ୍ରଙ୍କପ୍ରତି ସନ୍ତୁଷ୍ଟ ହୋଇ ତାହାଙ୍କର ପ୍ରାର୍ଥନାମତେ ପୁରାତନ ସ୍ୱର୍ଗ, ପୁରାତନ ଦେବତା, ସୂର୍ଯ୍ୟ, ଚନ୍ଦ୍ର ପ୍ରଭୃତିଙ୍କ ଅନିଷ୍ଟ ନିମିତ୍ତ କୌଣସି ପ୍ରକାରେ ଚେଷ୍ଟା କରିବେ ନାହିଁ ବୋଲି ଅଙ୍ଗୀକାର କଲେ । ମାତ୍ର ତ୍ରିଶଙ୍କୁଙ୍କୁ ତ ସାହାଯ୍ୟ କରିବାକୁ ହେବ । କିପରି ଭାବରେ ତାହାଙ୍କର ଇଚ୍ଛା ପୂରଣ ହୋଇପାରେ ? ବିଶ୍ୱାମିତ୍ର ମନେ ମନେ ଭାବିଲେ, ‘‘ଆଚ୍ଛା ! ମର୍ତ୍ତ୍ୟର ଉପରିଭାଗରେ ଓ ସ୍ୱର୍ଗର ତଳେ ତାହାଙ୍କୁ ସ୍ଥାନ ଦିଆଯାଇ ପାରିବ ନାହିଁ ?’’ ଇନ୍ଦ୍ରଙ୍କୁ ଏହି ପ୍ରସ୍ତାବ ଶୁଣାଇବାରୁ ସେ ଏଥିରେ ସ୍ୱୀକୃତ ହେଲେ । ତ୍ରିଶଙ୍କୁ ଆକାଶରେ ଏକ ତାରକା ରୂପେ ଅବସ୍ଥାନ କଲେ ।

 

ବିଶ୍ୱାମିତ୍ର କଠୋର ତପସ୍ୟା କରିବାଦ୍ୱାରା ଯେଉଁ ସବୁ ଶକ୍ତି ସଞ୍ଚୟ କରିଥିଲେ, ତାହା ଏହି ସବୁକାର୍ଯ୍ୟ କରିବାଦ୍ୱାରା କ୍ରମେ କ୍ରମେ ଶେଷ ହେବାକୁ ବସିଲା । କିନ୍ତୁ ତାହାଙ୍କର ଲକ୍ଷ୍ୟସିଦ୍ଧ ହେଲା ନାହିଁ । ସୁତରାଂ ସେ ପୁନର୍ବାର ଗଭୀର ତପସ୍ୟା କରିବାକୁ ଲାଗିଲେ । ବହୁବର୍ଷ ତପସ୍ୟା ପରେ ବ୍ରହ୍ମା ତାହାଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବର ଯାଚିଲେ । ବ୍ରହ୍ମା କହିଲେ, ‘‘ତୁମ୍ଭେ କ’ଣ ‘ରାଜର୍ଷି’ ପଦ ପାଇ ସନ୍ତୁଷ୍ଟ ହୋଇ ନାହଁ ?’’ ବିଶ୍ୱାମିତ୍ର ମୌନ ରହିଲେ । ତାହାଙ୍କର ଏହାଠାରୁ ଆହୁରି ଶ୍ରେଷ୍ଠ ପଦଲାଭ କରିବାକୁ ଇଚ୍ଛା । କିନ୍ତୁ ତାହାଙ୍କର ତପସ୍ୟା ଏ ପର୍ଯ୍ୟନ୍ତ କେବଳ ସେହି ରାଜର୍ଷି ପଦପ୍ରାପ୍ତିର ଉପଯୁକ୍ତ ହୋଇଥିବାରୁ ବ୍ରହ୍ମା ଅନ୍ୟ ପଦ ପ୍ରଦାନ ନ କରି ପ୍ରତ୍ୟାଗମନ କଲେ ।

 

କିନ୍ତୁ ବିଶ୍ୱାମିତ୍ର ଏଥିରେ ବ୍ୟଥିତ ବା ବିଚଳିତ ନ ହୋଇ କେବଳ ତପସ୍ୟାକୁହିଁ ସାର କଲେ । ତାହାଙ୍କର ତପସ୍ୟାରେ ଦେବତାମାନେ ମଧ୍ୟ ଭୀତ ଓ ତ୍ରସ୍ତ ହୋଇ କି ପ୍ରକାରେ ତାହାଙ୍କର ତପସ୍ୟା ଭଗ୍ନ ହେବ ତାହାର ବିଚାର କରିବାକୁ ଲାଗିଲେ । ନାନା ପ୍ରସ୍ତାବ ପରେ ସେମାନେ ମେନକା ନାମକ ସ୍ୱର୍ଗ ଅପ୍ସରାଙ୍କୁ ବିଶ୍ୱାମିତ୍ରଙ୍କ ନିକଟକୁ ପ୍ରେରଣ କଲେ । ମେନକା ସୌନ୍ଦର୍ଯ୍ୟ ଓ ଚତୁରତାରେ ବିଶ୍ୱାମିତ୍ରଙ୍କର ମନକୁ ମୁଗ୍ଧ କରି ତାହାଙ୍କୁ ପ୍ରେମପାଶରେ ଆବଦ୍ଧ କରିଦେଲା । ବିଶ୍ୱାମିତ୍ର ମେନକାର ପ୍ରେମରେ ପଡ଼ି ସମସ୍ତ କର୍ତ୍ତବ୍ୟ ବିସ୍ମୃତ ହୋଇ ପ୍ରାୟ ପାଞ୍ଚବର୍ଷ କାଳ ତାହା ସହିତ ନଷ୍ଟ କଲେ । ତତ୍‍ପରେ ସେ ଅନୁଭବ କରିପାରିଲେ ଯେ, ତାହାଙ୍କର ତପଃଶକ୍ତି ନଷ୍ଟ ହୋଇଅଛି ।

 

ବିଶ୍ୱାମିତ୍ର ହତାଶ ନ ହୋଇ ପୁନର୍ବାର କଠୋର ତପସ୍ୟା ଆରମ୍ଭ କଲେ । କେତେକ ବର୍ଷ ତପସ୍ୟା ପରେ ବ୍ରହ୍ମା ପୁନର୍ବାର ଉପସ୍ଥିତ ହୋଇ ତାହାଙ୍କୁ ‘‘ମହର୍ଷି’’ ପଦ ପ୍ରଦାନ କଲେ । କିନ୍ତୁ ବିଶ୍ୱାମିତ୍ର ଏଥିରେ ମଧ୍ୟ ସନ୍ତୁଷ୍ଟ ନୁହନ୍ତି । ସେ ବ୍ରହ୍ମର୍ଷି ହେବାକୁ ଇଚ୍ଛୁକ । ବ୍ରହ୍ମର୍ଷି ହେବାକୁ ହେଲେ ମାନବର କାମ, କ୍ରୋଧ, ଲୋଭ, ମୋହ ପ୍ରଭୃତି ଷଡ଼୍‍ରିପୁମାନଙ୍କୁ ଜୟ କରିବା ଆବଶ୍ୟକ । ଏକେ ବ୍ରାହ୍ମଣତ୍ୱ ଲାଭ କରିବା ଅତି କଠିନ; ତହିଁରେ ପୁଣି ବ୍ରାହ୍ମଣମାନଙ୍କ ମଧ୍ୟରେ ଋଷି ହେବା ତଦପେକ୍ଷା ଅଧିକତର କଠିନ । ବିଶ୍ୱାମିତ୍ର ଏହି ରିପୁମାନଙ୍କୁ ଜୟ କରି ବ୍ରହ୍ମର୍ଷି ପଦ ଲାଭ କରିବା ଉଦ୍ଦେଶ୍ୟରେ ଘୋର ନିଷ୍ଠା ସହିତ ତପସ୍ୟା କରିବାକୁ ଲାଗିଲେ । ଏଥର ମଧ୍ୟ ଦେବତାମାନେ ଅତ୍ୟନ୍ତ ଭୀତ ହୋଇ ରମ୍ଭା ନାମକ ଏକ ଅପ୍ସରାକୁ ପଠାଇ ବିଶ୍ୱାମିତ୍ରଙ୍କ ତପସ୍ୟା ଭଗ୍ନ କରିବାର ଉଦ୍‍-ଯୋଗ କଲେ । ବିଶ୍ୱାମିତ୍ର ଦେଖିଲେ ଯେ, ପୁନର୍ବାର ଏକ ମହାବିପଦ ଉପସ୍ଥିତ । ମାତ୍ର ପୂର୍ବଥର ତାହାଙ୍କର ଯେଉଁ ସ୍ଖଳନ ହୋଇଥିଲା ତାହା ମନରେ ଭାବି ସେ ଆଉ କୌଣସି ପ୍ରକାରେ ରମ୍ଭାର ପ୍ରେମରେ ପଡ଼ିଲେ ନାହିଁ । ତାହାର ପ୍ରେମରେ ପଡ଼ିବା ଦୂରେ ଥାଉ ସେ ତାହା ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇ ତାହାକୁ ଶାପ ଦେଲେ । ଏଥିରେ ଇନ୍ଦ୍ରାଦି ଦେବତାମାନେ ଆନନ୍ଦିତ ହେଲେ, କାରଣ ବିଶ୍ୱାମିତ୍ର କ୍ରୋଧକୁ ଜୟ କରି ନପାରି ତାହାର ବଶୀଭୂତ ହୋଇ ଅଛନ୍ତି । ସୁତରାଂ ତାହାଙ୍କର ତପସ୍ୟା ଭଗ୍ନ ହେଲା ।

 

କିନ୍ତୁ ବିଶ୍ୱାମିତ୍ର ତପସ୍ୟାରୁ କ୍ଷାନ୍ତ ହେଲେ ନାହିଁ । ସେ ପୁନର୍ବାର ତପସ୍ୟା କରିବାକୁ ଲାଗିଲେ । ବହୁବର୍ଷ ତପସ୍ୟା କଲା ପରେ ବ୍ରହ୍ମା ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଏହି ଥର ସେ ବିଶ୍ୱାମିତ୍ରଙ୍କର ଘୋର ଅଧ୍ୟବସାୟ ଓ ଏକାଗ୍ରତାରେ ପରମ ସନ୍ତୁଷ୍ଟ ହୋଇ କହିଲେ, ‘‘ବତ୍ସ, ମୁଁ ତୁମ୍ଭର କଠୋର ତପସ୍ୟା ଓ ଆତ୍ମସଂଯମରେ ଯତ୍‍ପରୋନାସ୍ତି ପରିତୃପ୍ତ ହୋଇ ଅଛି । ତୁମ୍ଭର ମନସ୍କାମନା ଆଜିଠାରୁ ପୂର୍ଣ୍ଣ ହେଉ । ମୁଁ ତୁମ୍ଭଙ୍କୁ ଆଜିଠାରୁ ‘‘ମହର୍ଷି’’ ପଦ ପ୍ରଦାନ କଲି । ଆଉ କ୍ଷୋଭ କର ନାହିଁ ।’’

 

ବିଶ୍ୱାମିତ୍ର ଏହି ରୂପେ କଠୋର ତପସ୍ୟା କରି ବ୍ରହ୍ମର୍ଷି ହେଲେ । ତାହାଙ୍କର ଗର୍ବ, ଅଭିମାନ, କ୍ରୋଧ, ଲୋଭ ପ୍ରଭୃତି ଦୁଷ୍ପ୍ରବୃତ୍ତିମାନ ଆଉ ରହିଲା ନାହିଁ । ସେ ଲୋକମାନଙ୍କର ପୂଜନୀୟ ହେଲେ ।

Image

 

ଜନକ ଓ ବ୍ୟାସ

 

ବୈକୁଣ୍ଠପୁର । ଦେବରାଜ ଇନ୍ଦ୍ର ସିଂହାସନରେ ଉପବେଶନ କରିଅଛନ୍ତି । ଅନ୍ୟାନ୍ୟ ପାତ୍ରମନ୍ତ୍ରୀମାନେ ମଧ୍ୟ ଯଥାସ୍ଥାନରେ ବସିଅଛନ୍ତି । ବ୍ୟାସ, ବଶିଷ୍ଠ, ନାରଦ ପ୍ରଭୃତି ତ୍ରିକାଳଦର୍ଶୀ ମହାତ୍ମାମାନେ ଉପଯୁକ୍ତ ଦିବ୍ୟାସନମାନ ଅଳଙ୍କୃତ କରି ସଭାସ୍ଥଳକୁ ପବିତ୍ର କରୁଅଛନ୍ତି । ଦେବତାମାନେ ନିଜ ନିଜର ସ୍ୱର୍ଗୀୟ ପ୍ରଭାରେ ଚତୁର୍ଦ୍ଦିଗ ଆଲୋକିତ କରି ଶୋଭା ପାଉଅଛନ୍ତି ।

 

ଇନ୍ଦ୍ର ଦେବତାମାନଙ୍କର ରାଜା ହେଲେ କ’ଣ ହେବ ତାଙ୍କର ନିଜ ପଦ ପାଇଁ ସର୍ବଦା ଚିନ୍ତା । କିଏ କିପରି ଭାବରେ ମର୍ତ୍ତ୍ୟରେ ତପସ୍ୟା କରୁଅଛି, କି ଉପାୟ କଲେ ତାହାର ତପସ୍ୟାରେ ବିଘ୍ନ ଘଟିବ-ଇନ୍ଦ୍ର ସବୁବେଳେ କେବଳ ଏହି ବିଷୟ ଚିନ୍ତା କରିବାରେ ବ୍ୟସ୍ତ । ଆବଶ୍ୟକ ହେଲେ ରମ୍ଭା, ମେନକା ପ୍ରଭୃତି ଅପ୍ସରାମାନଙ୍କୁ ମର୍ତ୍ତ୍ୟକୁ ପଠାଇ ଯେ ଇନ୍ଦ୍ରପଦ ପାଇବା ପାଇଁ ତପସ୍ୟା କରୁଥାନ୍ତି, ତାଙ୍କ ତପସ୍ୟା ଭଗ୍ନ କରିବାର ଉଦ୍‍-ଯୋଗ କରନ୍ତି । ତାଙ୍କର ଏହାହିଁ ନିତ୍ୟ ବ୍ୟବସାୟ ।

 

ଆଜି ମଧ୍ୟ କଥା ପ୍ରସଙ୍ଗରେ ମର୍ତ୍ତ୍ୟର କେତେକ ବିଷୟରେ ସମାଲୋଚନା ହେଉଁ ହେଉଁ ବଶିଷ୍ଠ କହିଲେ, ‘‘ମର୍ତ୍ତ୍ୟରେ ଜନକଙ୍କର ସ୍ଥାନ ଆମ୍ଭମାନଙ୍କ ଅପେକ୍ଷା ଅତ୍ୟନ୍ତ ଉଚ୍ଚରେ । ସେ ସଂସାରୀ ହୋଇ ମଧ୍ୟ ଯେଉଁ ପରମ ଆଦର୍ଶରେ ଜୀବନ ଗଠନ କରୁଅଛନ୍ତି ତାହା ଆମ୍ଭମାନଙ୍କର ଏକାନ୍ତ ଅନୁକରଣୀୟ ।’’ ଏଥିରେ ଅବଶ୍ୟ ଇନ୍ଦ୍ରଙ୍କର କୌଣସି ଭୟର କାରଣ ନଥିଲା । କାରଣ ବଶିଷ୍ଠ ଯେପରି ଭାବରେ ଜନକଙ୍କର ବିଷୟ ବର୍ଣ୍ଣନା କରିଥିଲେ, ତହିଁରୁ ଜନକଙ୍କର ନିଷ୍କାମ ଜୀବନର ସଙ୍କେତ ମିଳିଥିଲା ମାତ୍ର । ସେ ଇନ୍ଦ୍ରପଦ ଲାଳସାରେ ଯଦି ତପସ୍ୟା କରୁଥାନ୍ତେ, ତେବେ ଇନ୍ଦ୍ରଙ୍କର ଭୟ ହୋଇଥାନ୍ତା । ମାତ୍ର ତାହା ନ ହୋଇଥିବାରୁ ଇନ୍ଦ୍ର ସେଥିରେ ବିଚଳିତ ହେଲେ ନାହିଁ-

 

ବଶିଷ୍ଠ ଜନକଙ୍କୁ ଏପରି ଭାବରେ ବିଶେଷ ପ୍ରଶଂସା କରିବାରୁ ବ୍ୟାସଦେବଙ୍କ ମନରେ ସନ୍ଦେହ ଜାତ ହେଲା । ସେ କହିଲେ, ‘‘ବ୍ରହ୍ମର୍ଷେ, ଆପଣଙ୍କ କଥା କେତେଦୂର ସତ୍ୟ ତାହା ଆମ୍ଭେ ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିପାରିବୁ ନାହିଁ । ଆମ୍ଭେ ନିଜେ ଯାଇ ଜନକଙ୍କର ନିର୍ଲିପ୍ତ ଜୀବନର ପରୀକ୍ଷା କଲେ ଆମ୍ଭର ପ୍ରତ୍ୟୟ ହେବ । ଅତଏବ ଦେବରାଜ ଇନ୍ଦ୍ରଙ୍କୁ ଏହି ମାତ୍ର ପ୍ରାର୍ଥନା ଯେ ସେ ଅଗ୍ନି, ବାୟୁ ଓ ବୃଷ୍ଟିଙ୍କୁ ମୋହ ସହିତ ପଠାଇବେ; ମୁଁ ସେମାନଙ୍କ ସାହାଯ୍ୟରେ ଜନକଙ୍କର ଆଦର୍ଶ ଜୀବନ ପରୀକ୍ଷା କରିପାରିବି ।’’ ବ୍ୟାସଦେବଙ୍କ ଅନୁରୋଧରେ ଦେବରାଜ ଅଗ୍ନି, ବାୟୁ ଓ ବରୁଣଙ୍କୁ ଡକାଇ ତାହାଙ୍କୁ ସାହାଯ୍ୟ କରିବା ପାଇଁ ସାଙ୍ଗରେ ପଠାଇଲେ । ବ୍ୟାସଦେବ ଧୀରେ ଧୀରେ ସଭାସ୍ଥଳରୁ ନିଷ୍କ୍ରାନ୍ତ ହୋଇ ନିଜର କମଣ୍ଡଳୁ ଓ ଆସନ ଖଣ୍ଡି ଧରି ମର୍ତ୍ତ୍ୟକୁ ଗଲେ ।

 

ବ୍ୟାସଦେବ ଜନକଙ୍କ ରାଜପ୍ରାସାଦ ସମ୍ମୁଖରେ ଉପସ୍ଥିତ ହେଲେ । ଦ୍ୱାରଦେଶରେ ପ୍ରହରୀମାନେ ରହିଥିଲେ । ମହର୍ଷି କହିଲେ, ‘‘ମହାରାଜାଙ୍କୁ ସମ୍ୱାଦ ଦିଅ ଯେ, ବ୍ୟାସ ତାହାଙ୍କୁ ସାକ୍ଷାତ୍‌ କରିବା ପାଇଁ ଦ୍ୱାରଦେଶରେ ଅପେକ୍ଷା କରିଅଛନ୍ତି ।’’ ଜନୈକ ଦ୍ୱାରୀ ଏହି ସମ୍ୱାଦ ଘେନି ପୁର ମଧ୍ୟକୁ ଗଲା । ସେତେବେଳେ ମହର୍ଷି ଜନକ ଦେବାର୍ଚ୍ଚନା କରୁଅଛନ୍ତି । ଦ୍ୱାରୀ ସମ୍ୱାଦ ଦେଲା ମାତ୍ରେ ରାଜର୍ଷି ଜନକ ମୁହୂର୍ତ୍ତ ମାତ୍ର ବିଳମ୍ୱ ନକରି ଅମାତ୍ୟମାନଙ୍କଠାରେ କିଛିକ୍ଷଣ ପାଇଁ ସଭାକାର୍ଯ୍ୟ ନ୍ୟସ୍ତ କରି ଅର୍ଘ୍ୟ, ପୁଷ୍ପ, ଚନ୍ଦନ ପ୍ରଭୃତି ପୂଜା ସାମଗ୍ରୀମାନ ସ୍ୱହସ୍ତରେ ଧରି ଆଗେ ଆଗେ ଗଲେ । ଏଣେ ରାଜୋଚିତ ସମ୍ମାନ ସହ ମହର୍ଷିଙ୍କୁ ଅଭ୍ୟର୍ଥନା କରିବାପାଇଁ ଛତ୍ର, ଚାମର, କାହାଳୀ, ଶଙ୍ଖ ପ୍ରଭୃତି ଉପକରଣମାନ ପଠାଇଦେବାକୁ ମନ୍ତ୍ରୀଙ୍କୁ ଆଦେଶ ଦେଲେ । ଜନକ ବ୍ୟାସଦେବଙ୍କୁ ଦେଖି ପୂଜାସାମଗ୍ରୀମାନ ନିକଟସ୍ଥ କୌଣସି ଭୃତ୍ୟକୁ ଦେଇ ପ୍ରଥମେ ସାଷ୍ଟାଙ୍ଗ ପ୍ରଣାମ କଲେ । ବ୍ୟାସଦେବ ନିଜ ହସ୍ତରେ ଜନକଙ୍କୁ ଉଠାଇଦେଇ ତାହାଙ୍କୁ ଆଶୀର୍ବାଦ କଲେ । ତତ୍ପରେ ଜନକ ପୁଷ୍ପଚନ୍ଦନାଦି ଦ୍ୱାରା ମହର୍ଷିଙ୍କୁ ପୂଜା କରି ଗୃହମଧ୍ୟକୁ ଆସିବାପାଇଁ ପ୍ରାର୍ଥନା କଲେ-। ମହର୍ଷି ସ୍ୱୀକୃତ ହେବାରୁ ଛତ୍ରଧାରୀ ତାହାଙ୍କର ମସ୍ତକ ଉପରେ ଛତ୍ର ଉତ୍ତୋଳନ କଲେ-। କେହି ଚାମର, କେହି ତ୍ରାସ, କେହି କାହାଳୀ, କେହି ଅବା ଶଙ୍ଖ ପ୍ରଭୃତି ଧରି ମହର୍ଷିଙ୍କୁ ରାଜସମାରୋହରେ ସଭାସ୍ଥଳକୁ ଘେନିଗଲେ । ବ୍ୟାସଦେବ ଉପଯୁକ୍ତ ଆସନରେ ଉପବେଶନ କଲାପରେ ଜନକ ତାହାଙ୍କ ସମ୍ମୁଖକୁ ଆସି ଦଣ୍ଡାୟମାନ ହୋଇ ବିନୟ ପୂର୍ବକ କହିଲେ, ‘‘ପ୍ରଭୋ-! ମୋର ଆଜି କି ସୌଭାଗ୍ୟର ଦିନ ! ଆପଣଙ୍କର ଦର୍ଶନ ଲାଭ କରି ମୋର ମନ ଯେ କି ଅପୂର୍ବ ଆନନ୍ଦ ଅନୁଭବ କରୁଅଛି, ତାହା ମୁଁ ବାକ୍ୟରେ ପ୍ରକାଶ କରିପାରୁ ନାହିଁ ! ଏ ଦୀନ କୁଟୀରରେ ପଦାର୍ପଣ କରି ଆପଣ ମୋତେ କାହିଁକି, ସମସ୍ତ ପୁରବାସୀଙ୍କୁ କୃତାର୍ଥ କରିଅଛନ୍ତି-। ବର୍ତ୍ତମାନ ଆପଣ ସ୍ନାନ ଓ ଆହ୍ନିକାଦି ଶେଷ କରି କିଞ୍ଚିତ୍‌ ଭୋଜନ କଲେ ଆମ୍ଭେମାନେ ସମସ୍ତେ କୃତାର୍ଥ ହେବୁଁ ।’’

 

ବ୍ୟାସଦେବ ଏଥିରେ ସମ୍ମତ ହେଲେ । ସଭା ଭଗ୍ନ ହେଲା । କେବଳ ପାତ୍ର ମନ୍ତ୍ରୀ ପ୍ରଭୃତି କେତେକ ରାଜକର୍ମଚାରୀ ବ୍ୟତୀତ ଅନ୍ୟାନ୍ୟମାନେ ନିଜ ନିଜ ଗୃହକୁ ଗମନ କଲେ । ରାଜର୍ଷି ନିଜେ ବ୍ୟାସଦେବଙ୍କ ସହିତ ରହି ସ୍ନାନାହ୍ନିକ ପ୍ରଭୃତି ଶେଷ କରାଇ ଭୋଜନାଦିର ବ୍ୟବସ୍ଥା କରି ଦେଲେ । ବ୍ୟାସଦେବ ଭୋଜନାଦି ଶେଷ କରି ଜନକଙ୍କୁ କହିଲେ, ‘‘ମହାରାଜ ! ଆପଣ ମୋ ପାଇଁ ଅନେକ କଷ୍ଟ ପାଇଲେଣି, ଆପଣ ଯାଇ ମୁଣୋହି କରି ବିଶ୍ରାମ କରନ୍ତୁ । ମୁଁ ମଧ୍ୟ ପଥଶ୍ରାନ୍ତ ହୋଇ ଅଛି । କିଞ୍ଚିତ୍‌ ବିଶ୍ରାମ କରେଁ । ବିଶ୍ରାମ ପରେ ଅନୁଗ୍ରହ କରି ଆସିବେ । ମୁଁ କୌଣସି ବିଶେଷ ଉଦ୍ଦେଶ୍ୟରେ ଆପଣଙ୍କ ନିକଟକୁ ଆସି ନାହିଁ । ଅନେକ ଦିନରୁ ଆପଣଙ୍କ ସହିତ ମୋର ସାକ୍ଷାତ୍‍ଓ ଆଳାପ ହୋଇ ନଥିଲା । କେବଳ ସେହି ଆଳାପସୁଖ ଆଶାରେ ମୁଁ ଏଠାକୁ ଆସିଅଛି ।’’ ଜନକ ବ୍ୟାସଦେବଙ୍କଠାରୁ ବିଦାୟ ଗ୍ରହଣ କରି ନିଜେ ଆହାରାଦି କରିବାପାଇଁ ଗମନ କଲେ ।

 

ବ୍ୟାସଦେବ ବିଶ୍ରାମ କରିବା ସମୟରେ ମନେ ମନେ ଜନକଙ୍କର ଭଦ୍ର ବ୍ୟବହାର ଓ ନମ୍ରତା ବିଷୟରେ ବିଶେଷ ପ୍ରଶଂସା କରିବାକୁ ଲାଗିଲେ । କିନ୍ତୁ ତାହାଙ୍କୁ ଅଧିକତର କଠୋର ଭାବରେ ପରୀକ୍ଷା କରିବା ପାଇଁ ମନେ ମନେ ଉପାୟ ଉଦ୍ଭାବନ କରିବାକୁ ଲାଗିଲେ । ଏହିପରି ଭାବରେ କିଛି ସମୟ ଚାଲିଗଲା । ଜନକ ତାହାଙ୍କର ଆହାରାଦି ଶେଷ କରି କିଞ୍ଚିତ୍‌ ବିଶ୍ରାମ ପରେ ବ୍ୟାସଦେବଙ୍କ ନିକଟରେ ଯାଇ ଉପସ୍ଥିତ ହେଲେ । ଉଭୟେ ତନ୍ମୟ ହୋଇ ଧର୍ମ, ଅର୍ଥ, କାମ ଓ ମୋକ୍ଷ ସମ୍ୱନ୍ଧୀୟ ତତ୍ତ୍ୱ ବିଷୟରେ ନାନାବିଧ ଆଳାପ କରିବାକୁ ଲାଗିଲେ । ବ୍ୟାସଦେବଙ୍କ ପରି ମହାପୁରୁଷଙ୍କ ସହିତ ଆଳାପ କରି ଏବଂ ତାହାଙ୍କଠାରୁ ନାନାବିଧ ସଦୁପଦେଶ ଲାଭ କରି ଜନକ ଗଭୀର ଆହ୍ଲାଦ ଅନୁଭବ କଲେ । ନିଜେ ନିଜକୁ ଧନ୍ୟ ମନେ କଲେ । ଉଭୟେ କେତେକ ସମୟ ଏହିପରି ଭାବରେ ଆଳାପ କଲାପରେ ବ୍ୟାସଦେବ ଅଗ୍ନିଦେବଙ୍କୁ ସ୍ମରଣ କରି ଜନକଙ୍କ ଉଆସର ତଳ ମହଲାକୁ ଦଗ୍ଧ କରିବାପାଇଁ ପ୍ରାର୍ଥନା କଲେ । ଚାହୁଁ ଚାହୁଁ ହଠାତ୍‌ ତଳ ମହଲାରେ ଅଗ୍ନି ଦେଖାଗଲା । ତାହା କ୍ରମେ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରି ଚତୁର୍ଦ୍ଦିଗ ବ୍ୟାପିଗଲା । ଅହୋ ! କି ଭୟଙ୍କର ସେ ଦୃଶ୍ୟ ! ଦାସ, ଦାସୀ, ପୋଇଲୀ, ପରିବାରୀ ଏପରି କି ରାଜମହିଷୀମାନେ ମଧ୍ୟ ଇତସ୍ତତଃ ହୋଇ ପ୍ରାଣରକ୍ଷା ପାଇଁ ମଝି ମହଲାରେ ଥିବା ଘରକୁ ଚାଲି ଆସିଲେ । କ୍ରମେ ଏହି ସମ୍ୱାଦ ଜନକଙ୍କ ନିକଟରେ ପହୁଞ୍ଚିଲା । ରାଜା ମନ୍ତ୍ରୀଙ୍କୁ ଡକାଇ କର୍ମଚାରୀମାନଙ୍କ ଦ୍ୱାରା ଅଗ୍ନି ନିର୍ବାପନର ଉପାୟ କରିବା ପାଇଁ ଆଦେଶ ଦେଇ ବ୍ୟାସଦେବଙ୍କ ସହିତ ଯଥାବତ୍‌ କଥୋପକଥନ କରିବାକୁ ଲାଗିଲେ ।

 

ମନ୍ତ୍ରୀ ଓ ଅନ୍ୟାନ୍ୟ ରାଜକର୍ମଚାରୀମାନେ ଉକ୍ତ ଅଗ୍ନି ନିର୍ବାପନ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । କିନ୍ତୁ ଅଗ୍ନି କୌଣସି ପ୍ରକାରେ ଶାନ୍ତ ନ ହୋଇ ବରଂ କ୍ରମେ କ୍ରମେ ଅଧିକତର ପ୍ରବଳ ହେବାକୁ ଲାଗିଲା । ତଳ ମହଲାର ସମସ୍ତ କୋଠାଘର ଭସ୍ମସାତ୍‌ ହୋଇଗଲା ପରେ ମଝି ମହଲାରେ ଅଗ୍ନି ଲାଗିଲା । ମନ୍ତ୍ରୀ ଏହି ସମ୍ୱାଦ ଆଣି ରାଜାଙ୍କ ନିକଟରେ ଦେଲେ । ଏଥିରେ ଜନକ କିଞ୍ଚିନ୍ମାତ୍ର ବିଚଳିତ ନ ହୋଇ କେବଳ ମାତ୍ର କହିଲେ, ‘‘ଭଣ୍ଡାର ଘରୁ ଯଥେଷ୍ଟ ନବ ବସ୍ତ୍ର, ଘୃତ, ଅଗୁରୁ ଓ ଚନ୍ଦନକାଷ୍ଠ ପ୍ରଭୃତି ଅଗ୍ନିଭୋଜ୍ୟ ଦିବ୍ୟ ପଦାର୍ଥମାନ ଆଣି ଅଗ୍ନିଦେବଙ୍କୁ ପ୍ରଦାନ କର । ଉଆସର ସ୍ତ୍ରୀଲୋକମାନଙ୍କୁ ତୁମ୍ଭ ଗୃହକୁ ଘେନି ଯିବାର ବନ୍ଦୋବସ୍ତ କର ।’’ ଏତିକି ମାତ୍ର କହି ପୁନର୍ବାର ବ୍ୟାସଦେବଙ୍କ ସହିତ ଗଳ୍ପ କରିବାକୁ ଲାଗିଲେ । ମନ୍ତ୍ରୀ ରାଜାଜ୍ଞ ଶିରୋଧାର୍ଯ୍ୟ କରି ଯଥେଷ୍ଟ ନବ ବସ୍ତ୍ର, ଘୃତ, ଚନ୍ଦନକାଷ୍ଠ ପ୍ରଭୃତି ଅଗ୍ନିଦେବଙ୍କୁ ପ୍ରଦାନ କଲେ ଏବଂ ଅବିଳମ୍ୱେ ମହିଷୀ ଓ ତାହାଙ୍କର ପରିଚାରିକାମାନଙ୍କୁ ନିଜ ଉଆସ ମଧ୍ୟକୁ ଘେନି ଗଲେ । ଅଗ୍ନି ନିର୍ବାପନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ମଧ୍ୟ କୃତକାର୍ଯ୍ୟ ହୋଇ ନପାରି ଅତ୍ୟନ୍ତ ଦୁଃଖିତ ହୋଇ ପୁନର୍ବାର ଜନକଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ–

 

‘‘ମହାରାଜ ! ଆପଣଙ୍କ ଆଦେଶମତେ ଆମ୍ଭେମାନେ ସମସ୍ତ ଉପାୟ କଲୁଁ । ମାତ୍ର ଅଗ୍ନି ଶାନ୍ତ ହେଉ ନାହାନ୍ତି । ଦେଖନ୍ତୁ, ଏହି ସୁବର୍ଣ୍ଣ ମିଥିଳା ରାଜନବର କ୍ରମେ କ୍ରମେ ଭସ୍ମୀଭୂତ ହୋଇଗଲାଣି । ମହାରାଜ ଯେଉଁ ମହଲାରେ ବସିଅଛନ୍ତି, ସେଥିରେ ମଧ୍ୟ ଅଗ୍ନି ସଂଯୋଗ ହେବାକୁ ବସିଲାଣି । ଏ ଦୁଃସମୟରେ କି ଉପାୟ ଅବଲମ୍ୱନ କରିବାକୁ ହେବ ତାହା ଆମ୍ଭମାନଙ୍କୁ ଜଣା ଯାଉନାହିଁ ।’’ ଜନକ ଏଥିରେ ମଧ୍ୟ ବିଚଳିତ ନ ହୋଇ କହିଲେ, ‘‘ମନ୍ତ୍ରି ! ଏ ପ୍ରଳୟାଗ୍ନି ନିର୍ବାପତି କରିବା ମନୁଷ୍ୟ ଚେଷ୍ଟାର ଅସାଧ୍ୟ । ଏଥିରେ ଦୈବକୂଟ ଥିଲା ପରି ବୋଧ ହୁଏ । ତୁମ୍ଭେ ଅଚିରେ ସହସ୍ର ବ୍ରାହ୍ମଣଙ୍କୁ ନବବସ୍ତ୍ର, ସ୍ୱର୍ଣ୍ଣ ଓ ଗୌ ଆଦି ଦାନ କର । ଅଗ୍ନି ନିର୍ବାପନ ଉଦ୍ଦେଶ୍ୟରେ ବ୍ରାହ୍ମଣମାନଙ୍କୁ ଦେବତାମାନଙ୍କ ନିକଟରେ ବରଣ କରାଅ । ଅନ୍ୟାନ୍ୟ ସାଧାରଣ ଉପାୟ ଦ୍ୱାରା, ଯାହା ତୁମ୍ଭେ ଉଚିତ ମନେ କର, ଅଗ୍ନି ନିର୍ବାପନର ବ୍ୟବସ୍ଥା କର । ବିଚଳିତ ନ ହୋଇ କର୍ତ୍ତବ୍ୟ ସ୍ଥିର କର । ବିପଦ ସମୟରେ ଅଧୀର ହେବା କୌଣସିମତେ ଉଚିତ ନୁହେଁ ।’’ ଏତିକି ମାତ୍ର କହି ରାଜା ମନ୍ତ୍ରୀଙ୍କୁ ବିଦାୟ ଦେଲେ । ମନ୍ତ୍ରୀ ଚାଲିଗଲେ । ରାଜାଙ୍କର ଆଦେଶ ଅନୁଯାୟୀ ବ୍ରାହ୍ମଣମାନଙ୍କୁ ଦେବତା ନିକଟରେ ବରଣ କରାଇଲେ ଓ ସେମାନଙ୍କୁ ଯଥେଷ୍ଟ ନବବସ୍ତ୍ର ଓ ସ୍ୱର୍ଣ୍ଣ ପ୍ରଭୃତି ଦାନ କଲେ । କିନ୍ତୁ କୌଣସି ପ୍ରକାରେ ଅଗ୍ନିଦେବ ଶାନ୍ତ ହେଲେ ନାହିଁ ।

 

ଯେଉଁ ସ୍ଥାନରେ ବ୍ୟାସଦେବ ଓ ଜନକ ଉଭୟେ ବସି କଥୋପକଥନ କରୁଥିଲେ କ୍ରମେ ସେ ସ୍ଥାନରେ ଅଗ୍ନି ପ୍ରବେଶ କଲେ । କୋଠାଘର ଛାତ ଉପରୁ ଅଗ୍ନିଖଣ୍ଡମାନ ତଳକୁ ଖସିବାକୁ ଲାଗିଲା । ବ୍ୟାସଦେବ ନିଜ ଆସନରୁ ଉଠିଯାଇ ନିଜର କମଣ୍ଡଳୁ ଖଣ୍ଡିକ ଘେନି ଆସିବାକୁ ଗଲେ-। ଜନକ ଏଥିରେ ଦୁଃଖିତ ହୋଇ କହିଲେ, ‘‘ପ୍ରଭୋ ! ଆପଣ ଖଣ୍ଡିଏ ମାତ୍ର କମଣ୍ଡଳୁ ପାଇଁ ଏତେଦୂର ଉଦ୍‍ବିଗ୍ନ ହୋଇ ଆଳାପ ସୁଖରୁ ରହିତ କରୁ ଅଛନ୍ତି କାହିଁକି ?’’ ବ୍ୟାସଦେବ କହିଲେ, ଆପଣ ତ ରାଜା, ଆପଣଙ୍କର କି ଚିନ୍ତା ଅଛି ? ଆଜି ଘର ପୋଡ଼ିଗଲେ କାଲିକି ପୁଣି ଏହା ଅପେକ୍ଷା ଆହୁରି ସୁନ୍ଦର କରି ଘର ତୋଳାଇ ଦେଇପାରିବେ । ଆମେ ତ ସନ୍ନ୍ୟାସୀ ଲୋକ, ଆମର ଧନ କାହୁଁ ଆସିବ ଯେ ଖଣ୍ଡିଏ କମଣ୍ଡଳୁ ଗଲେ ଆଉ ଖଣ୍ଡିଏ କିଣିପାରିବୁ ?’’

 

ଜନକ କହିଲେ, ‘‘ପ୍ରଭୋ, ଆପଣ ସନ୍ନ୍ୟାସୀ । ଆପଣଙ୍କର ସଂସାର ପ୍ରତି ଏପରି ମମତା ଥିବ ବୋଲି ମୋର ଆଦୌ ବିଶ୍ୱାସ ନଥିଲା । ଯାହା ହେଉ, ଆପଣ ପରମ ଗୁରୁ । ଆପଣଙ୍କର ଉପଦେଶ ଓ ଉଦାହରଣ ଆମ୍ଭମାନଙ୍କର ଅବଶ୍ୟ ପାଳନୀୟ । ଆଶା କରେଁ, ଅପରାଧ କ୍ଷମା କରିବେ ।’’ ବ୍ୟାସଦେବ କହିଲେ, ‘‘ହେ ରାଜର୍ଷି ଜନକ, ବର୍ତ୍ତମାନ ଆପଣଙ୍କର ପରୀକ୍ଷା ଶେଷ ହେଲା । ମୁଁ ଆପଣଙ୍କ ଅପେକ୍ଷା ଅଧିକ ଜ୍ଞାନୀ ଓ ବିବେକୀ ବୋଲି ମୋର ଯେଉଁ ଗର୍ବ ଥିଲା, ତାହା ବର୍ତ୍ତମାନ ଦୂର ହେଲା । ଆମ୍ଭମାନଙ୍କର ଆପଣଙ୍କ ଠାରୁ ଶିଖିବାର ବହୁତ ଅଛି । ବର୍ତ୍ତମାନ ଦେଖନ୍ତୁ, ମୁଁ ଅଗ୍ନିଦେବଙ୍କୁ ପ୍ରାର୍ଥନା କରି ଉପଶମ କରିଦେଉଅଛି । କେବଳ ମୋର ଅନୁରୋଧରେ ସେ ଏହି ନଅର ମଧ୍ୟରେ ଏପରି ତାଣ୍ଡବ ଦେଖାଉ ଥିଲେ । କିନ୍ତୁ ପ୍ରକୃତରେ ଏ ସମସ୍ତ ମାୟା । ଚାହିଁ ଦେଖନ୍ତୁ, ନବରଟି ଯେପରି ଥିଲା ସେହିପରି ରହିଅଛି । କେବଳ ଆପଣଙ୍କ ମନ ପରୀକ୍ଷା କରିବା ପାଇଁ ଆମ୍ଭେମାନେ ଏହି ଉପାୟ ଉଦ୍ଭାବନ କରିଥିଲୁଁ । ଆପଣ ପ୍ରକୃତରେ ଜଗତ ମଧ୍ୟରେ ଆଦର୍ଶ ଜ୍ଞାନୀ ଓ ସାଧୁପୁରୁଷ । ସଂସାରୀ ହୋଇ ମଧ୍ୟ ଆପଣ ସଂସାର ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ । ଆପଣଙ୍କର ଶିକ୍ଷା, ଜ୍ଞାନ ଓ ଧୈର୍ଯ୍ୟ ଅତୀବ ପ୍ରଂଶସନୀୟ । ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ । ପୂର୍ବପରି ଜୀବନଯାପନ କରି ସୁଖରେ ରହନ୍ତୁ । ଏହି ଆଦର୍ଶ ନିର୍ଲିପ୍ତ ଜୀବନ ଭବିଷ୍ୟତ୍‍କୁ ଆପଣଙ୍କ ପାଇଁ ମୁକ୍ତିର ପଥ ପ୍ରଶସ୍ତ କରିଦେବ । ଆପଣ ଭଗବାନଙ୍କ ନିକଟରେ ଅବଶ୍ୟ ସ୍ଥାନ ପାଇବେ ।’’

 

ଜନକ କହିଲେ, ‘‘ପ୍ରଭୋ ! ମୁଁ ତ ସଂସାରର ମାୟାରେ ଏକାନ୍ତ ଆବଦ୍ଧ । ଆପଣଙ୍କୁ କିପରି ସମ୍ମାନ ଓ ଭକ୍ତି ଦେଖାଇବା ଉଚିତ ତାହା ଆଦୌ ଜାଣେ ନାହିଁ । କିନ୍ତୁ ଆପଣ ସନ୍ନ୍ୟାସୀ; ତ୍ରିକାଳଦର୍ଶୀ ମହାତ୍ମା । ମୋର ସମସ୍ତ ଅପରାଧ କ୍ଷମା କରିବେ । ମୋର ଏକାନ୍ତ ଅନୁରୋଧ ଯେ, ଅବସର ଦେଖି ସମୟେ ସମୟେ ଏ ଦୀନ କୁଟୀରରେ ପଦାର୍ପଣ କରି ଆମ୍ଭମାନଙ୍କୁ କୃତାର୍ଥ କରୁଥିବେ ।’’

 

ବ୍ୟାସଦେବ ନିଜର ଆସନ ଓ କମଣ୍ଡଳୁ ଧରି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲେ । ଜନକ ମଧ୍ୟ ଆସନ ତ୍ୟାଗ କରି ବ୍ୟାସଦେବଙ୍କ ସହିତ କିଛି ଦୂର ଗମନ କରି ଭକ୍ତି ପୂର୍ବକ ବିଦାୟ ନେଇ ପ୍ରତ୍ୟାଗମନ କଲେ । ବ୍ୟାସଦେବ ପଥ ମଧ୍ୟରେ ଯାଉଁ ଯାଉଁ ମନେ ମନେ ଜନକଙ୍କୁ ଅତ୍ୟନ୍ତ ପ୍ରଶଂସା କରିବାକୁ ଲାଗିଲେ ।

Image

 

ସୁନ୍ଦ ଓ ଉପସୁନ୍ଦ

 

କୌଣସି ରାକ୍ଷସର ସୁନ୍ଦ ଓ ଉପସୁନ୍ଦ ନାମରେ ଦୁଇ ପୁତ୍ର ଥିଲେ । ଦୁହେଁ ଯେପରି ବଳବାନ୍‍, ଦୁର୍ଦ୍ଧର୍ଷ ଓ ଭୀଷଣକାୟ ସେହିପରି ଅତ୍ୟାଚାରୀ ଓ ନିଷ୍ଠୁର ଥିଲେ । ଉଭୟେ ପରସ୍ପରକୁ ଅତ୍ୟନ୍ତ ସ୍ନେହ କରୁଥିଲେ । ସେମାନଙ୍କ ମନ ଏକ ଥିଲା । କୌଣସି ବିଷୟରେ ସେମାନଙ୍କର ମତଭେଦ ହେଉନଥିଲା । ପ୍ରତ୍ୟେକେ ପ୍ରତ୍ୟେକର ସୁଖ ଦୁଃଖରେ ଭାଗୀ ହେଉଥିଲେ । କେହି କାହାକୁ ନ ଦେଖିଲେ ଦଣ୍ଡେ ମାତ୍ର ରହିପାରୁ ନଥିଲେ । ଶୟନ, ଭୋଜନ, ସ୍ନାନ ପ୍ରଭୃତି ଯାବତୀୟ କାର୍ଯ୍ୟରେ ଉଭୟେ ଏକତ୍ର ରହୁଥିଲେ । ମୋଟ ଉପରେ କହିବାକୁ ଗଲେ, ବୋଧ ହେଉଥିଲା ଯେପରି କି, ଦୁହିଁଙ୍କର ଏକ ଆତ୍ମା, କେବଳ ଶରୀରଟା ଦୁଇ ଅଂଶରେ ବିଭକ୍ତ ହୋଇଅଛି ମାତ୍ର ।

 

କ୍ରମେ ସେମାନେ ପ୍ରାପ୍ତବୟସ୍କ ହୋଇଗଲେ । ବାଲ୍ୟକାଳୀନ କ୍ରୀଡ଼ା କୌତୁକ ଓ ଆମୋଦ ପ୍ରମୋଦରୁ ସେମାନଙ୍କର ମନ ଆସ୍ତେ ଆସ୍ତେ କମିଗଲା । ଦୁହିଁଙ୍କ ମନରେ ବର୍ତ୍ତମାନ ଏକ ଉଦ୍ଦେଶ୍ୟ–କିପରି ତ୍ରିଭୁବନ ଜୟ କରିବେ । କିନ୍ତୁ ଏହା ତ ସହଜ ନୁହେଁ । ବିନା ତପସ୍ୟାରେ ଭଗବାନଙ୍କୁ ସନ୍ତୁଷ୍ଟ କରି ତାହାଙ୍କଠାରୁ ବର ନ ପାଇଲେ ଏ କାର୍ଯ୍ୟ ସାଧିତ ହେବା ଅସମ୍ଭବ । ସୁତରାଂ ଦୁହେଁ ଏକମନ ହୋଇ ବିନ୍ଧ୍ୟ ପର୍ବତକୁ ଗମନ କଲେ । ସେଠାରେ କାଳ ବିଳମ୍ୱ ନ କରି ଉଭୟେ ଘୋର ତପସ୍ୟା ଆରମ୍ଭ କଲେ । ସେମାନେ ଯାହା ଯାହା କରୁଥିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହେବ । ସେମାନେ ଖାଦ୍ୟ ଏକପ୍ରକାର ପରିତ୍ୟାଗ କଲେ । କେବଳ ପବନ ଆହାର କରି ଜୀବନ ରକ୍ଷା କଲେ । ନିଜ ନିଜ ଶରୀରରୁ ମାଂସଖଣ୍ଡମାନ କାଟି ଅଗ୍ନି କୁଣ୍ଡରେ ନିକ୍ଷେପ କଲେ । ଊର୍ଦ୍ଧ୍ୱକୁ ବାହୁ ଟେକି ଏକ ଦୃଷ୍ଟିରେ ଗଭୀର ତପସ୍ୟା କରିବାକୁ ଲାଗିଲେ ।

 

ସେମାନଙ୍କ ତପସ୍ୟା ଓ ଯଜ୍ଞାହୁତିରେ ବିନ୍ଧ୍ୟପର୍ବତ ଉତ୍ତପ୍ତ ହୋଇଗଲା । ସେଥିରୁ ଉତ୍ତପ୍ତ ବାଷ୍ପ ସବୁ ଉଠି ଚତୁର୍ଦ୍ଦିଗ ବ୍ୟାପିଗଲା । ଦେବତାମାନେ ଅତ୍ୟନ୍ତ ଭୀତ ହେଲେ । ସେମାନେ ନାନାବିଧ ଉପାୟରେ ଦୁଇଭାଇଙ୍କର ତପସ୍ୟା ଭାଙ୍ଗିବାକୁ ଚେଷ୍ଟା କଲେ । ସୁନ୍ଦରୀ ଯୁବତୀ ରମଣୀମାନଙ୍କୁ ତାହାଙ୍କ ନିକଟକୁ ପ୍ରେରଣ କଲେ । ସେମାନେ ରସ, ରଙ୍ଗ, ଅପାଙ୍ଗ ପ୍ରଭୃତି ଅନଙ୍ଗର ଅସ୍ତ୍ରମାନ ପ୍ରାୟୋଗ କରି ଓ ବହୁ ପ୍ରଲୋଭନ ଦେଖାଇ ଦୁଇଭାଇଙ୍କର ତପସ୍ୟା ଭଗ୍ନ କରିବାକୁ ଚେଷ୍ଟା କଲେ । ମାତ୍ର ଶେଷରେ ପରାସ୍ତ ହୋଇ ଦେବତାମାନଙ୍କୁ ଜଣାଇଲେ । ଦେବତାମାନେ ପୁନର୍ବାର ମାୟାବଳରେ ନାନାପ୍ରକାର ଭୀଷଣ ଓ ଅଦ୍ଭୁତ ରୂପମାନ ସୃଷ୍ଟି କରି ସେମାନଙ୍କ ସମ୍ମୁଖରେ ଦେଖାଇଲେ । କିନ୍ତୁ କୌଣସି ଭାଇ ସେ ଭୟରେ କିଞ୍ଚିନ୍ମାତ୍ର ବିଚଳିତ ନ ହୋଇ ପୂର୍ବପରି ତପସ୍ୟାରେ ମଗ୍ନ ରହିଲେ ।

 

ପରିଶେଷରେ ବ୍ରହ୍ମା ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ‘‘ମୁଁ ତୁମ୍ଭମାନଙ୍କର କଠୋର ତପସ୍ୟାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତୁମ୍ଭମାନଙ୍କୁ ବର ପ୍ରଦାନ କରିବାକୁ ଆସିଅଛି । ବର୍ତ୍ତମାନ ଅଭିଳଷିତ ବର ମାଗି ନିଅ ।’’

 

ଦୁଇ ଭାଇ କୃତାଞ୍ଜଳିପୁଟରେ ବ୍ରହ୍ମାଙ୍କୁ ସ୍ତବ କରି କହିଲେ, ‘‘ହେ ବିଶ୍ୱବିଧାତା, ଆପଣ ଯେବେ ଆମ୍ଭମାନଙ୍କ ଉପରେ ସନ୍ତୁଷ୍ଟ ହୋଇଅଛନ୍ତି ତେବେ ଅନୁଗ୍ରହ କରି ଏହି ବର ଦିଅନ୍ତୁ ଯେ, ସଂସାର ମଧ୍ୟରେ ଯେତେ ପ୍ରକାର ଅସ୍ତ୍ର ଶସ୍ତ୍ର ଅଛି ତାହାର ବ୍ୟବହାର ଯେପରି ଆମ୍ଭମାନଙ୍କର ଅଜ୍ଞାତ ନ ରହେ । ଜଗତର ସକଳ ପ୍ରକାର ଐନ୍ଦ୍ରଜାଲିକ ବିଦ୍ୟା ଆମ୍ଭମାନଙ୍କୁ ବିଦିତ ହେଉ । ଆମ୍ଭମାନଙ୍କ ଶରୀରରେ ଅପରିମିତ ବଳ ଓ ଅସୀମ ସାହସ ହେଉ । ଆମ୍ଭେମାନେ ଯେତେବେଳେ ଯେଉଁ ରୂପ ଧାରଣ କରିବାକୁ ଇଚ୍ଛା କରିବୁଁ, ସେତେବେଳେ ସେ ରୂପ ଧାରଣ କରିପାରିବୁଁ । ପରିଶେଷରେ ଏତିକି ମାତ୍ର ପ୍ରାର୍ଥନା ଯେ, ଆମ୍ଭେମାନେ ଅମର ହେବୁଁ ।’’

 

ବ୍ରହ୍ମା କହିଲେ, ‘‘ତୁମ୍ଭେମାନେ ଯେତେ ଗୁଡ଼ିଏ ବର ପ୍ରାର୍ଥନା କଲ ମୁଁ ସେ ସମସ୍ତ ଦେଇ ପାରିବି; ମାତ୍ର ଶେଷ ବରଟି ପ୍ରଦାନ କରିବା ମୋ ପକ୍ଷରେ ଅସମ୍ଭବ । ତୁମ୍ଭେମାନେ ଯେ କଠୋର ତପସ୍ୟା କରୁଅଛ ତାହାର ଉଦ୍ଦେଶ୍ୟ ଭିନ୍ନ । ତୁମ୍ଭେମାନେ କିପରି ତ୍ରିଭୁବନ ଜୟ କରିବ ଏହାହିଁ ତୁମ୍ଭମାନଙ୍କର ଏକମାତ୍ର ଆକାଂକ୍ଷା । ଏହା ସ୍ୱାର୍ଥରେ ପରିପୂର୍ଣ୍ଣ । ସୁତରାଂ ଅମର ହେବା ପାଇଁ ବର ମାଗିବାର ଅଧିକାର ତୁମ୍ଭମାନଙ୍କର ନାହିଁ । ତେବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ ଏତିକି ମାତ୍ର ଉପଦେଶ ଦେଇପାରେ ଯେ, ଯେଉଁ ପ୍ରକାରେ ପ୍ରାଣତ୍ୟାଗ କରିବା ପାଇଁ ତୁମ୍ଭେମାନେ ଏହି ମୁହୂର୍ତ୍ତରେ ପ୍ରାର୍ଥନା କରିଥିବ, ତାହା ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ତୁମ୍ଭମାନଙ୍କର ପ୍ରାଣନାଶ ହୋଇ ପାରିବ ନାହିଁ । ସୁତରାଂ କି ପ୍ରକାରେ ତୁମ୍ଭମାନଙ୍କର ମରିବାକୁ ଇଚ୍ଛା ତାହା ମାଗି ନିଅ ।’’

 

ଦୁଇଭାଇ ଏଥିରେ ଅସନ୍ତୁଷ୍ଟ ନ ହୋଇ କହିଲେ, ‘‘ଜଗତପିତା, ଆମ୍ଭମାନଙ୍କୁ ଆପଣ ଏହି ବର ପ୍ରଦାନ କରନ୍ତୁ ଯେ, ଏ ସଂସାର ମଧ୍ୟରେ ଆମ୍ଭେମାନେ କାହାକୁ ଭୟ କରିବୁ ନାହିଁ । କେବଳ ଦୁହିଁଙ୍କ ପ୍ରତି ଦୁହିଁଙ୍କର ଭୟ ରହିଥିବ । ଯଦି ଆମ୍ଭମାନଙ୍କୁ ଅମର ପଦ ମିଳିବା ଏକାନ୍ତ ଅସମ୍ଭବ, ଯଦି ଅବଶ୍ୟ ଦିନେ ଆମ୍ଭମାନଙ୍କୁ ମରିବାକୁ ହେବ, ତେବେ ଏତିକି ଅନ୍ତତଃ ହେଉ ଯେ, ଆମ୍ଭମାନଙ୍କର ପରସ୍ପର ବ୍ୟତୀତ ଅନ୍ୟ କାହାରି ଦ୍ୱାରା ଆମ୍ଭମାନଙ୍କର ମୃତ୍ୟୁ ହେବ ନାହିଁ ।’’

 

ବ୍ରହ୍ମା ‘ତଥାସ୍ତୁ’ କହି ଚାଲିଗଲେ । ଦୁଇଭାଇ ତପସ୍ୟାସ୍ଥଳରୁ ଉଠି ରାଜ୍ୟମଧ୍ୟକୁ ଗମନ କଲେ । ସେମାନେ ମସ୍ତକରେ ରାଜମୁକୁଟମାନ ପରିଧାନ କରି, ନାନାରତ୍ନଖଚିତ ବହୁମୂଲ୍ୟ ବସ୍ତ୍ରମାନ ପରିଧାନ ପୂର୍ବକ ସୁସଜ୍ଜିତ ହେଲେ । ପ୍ରତ୍ୟହ କେବଳ ଚର୍ଜ୍ୟ, ଚୋଷ୍ୟ ଲେହ୍ୟାଦି ନାନା ପ୍ରକାର ଖାଦ୍ୟ ଭକ୍ଷଣ କରି କ୍ରୀଡ଼ା, ଆମୋଦ ଓ ବିଳାସରେ ସମୟ ଯାପନ କରିବାକୁ ଲାଗିଲେ । ଏହା ବ୍ୟତୀତ ଅନ୍ୟ ଚିନ୍ତା ସେମାନଙ୍କ ହୃଦୟରେ କେତେକ ଦିନ ପାଇଁ ସ୍ଥାନ ପାଇଲା ନାହିଁ ।

 

ଏହିପରି ଆମୋଦ ପ୍ରମୋଦରେ କେତେକ ଦିନ ଚାଲିଗଲା । ଦିନେ ସେମାନେ ତିନି ଭୁବନ ସହିତ ଯୁଦ୍ଧ କରିବା ପାଇଁ ଚତୁର୍ଦ୍ଦିଗରେ ଘୋଷଣା ପ୍ରଚାର କରିଦେଲେ । ସେମାନେ ଅଳ୍ପ ସମୟ ମଧ୍ୟରେ ବହୁସଂଖ୍ୟକ ରାକ୍ଷସ ସୈନ୍ୟ ସଂଗ୍ରହ କରି ପ୍ରଥମେ ଦେବତାମାନଙ୍କୁ ଜୟ କରିବା ଉଦ୍ଦେଶ୍ୟରେ ସ୍ୱର୍ଗରାଜ୍ୟ ଆକ୍ରମଣ କରିବା ପାଇଁ ବହିର୍ଗତ ହେଲେ । ବ୍ରହ୍ମା ସେମାନଙ୍କୁ କି ବର ପ୍ରଦାନ କରି ଅଛନ୍ତି ତାହା ଦେବତାମାନେ ପୂର୍ବରୁ ଜାଣିଥିଲେ । ସୁତରାଂ ସେମାନେ ଭାବିଲେ ଯେ, ଏମାନଙ୍କ ସହିତ ଯୁଦ୍ଧ କରିବା ଏକାବେଳକେ ଅସମ୍ଭବ । ସେମାନେ ଯୁଦ୍ଧ ନ କରି ପ୍ରାଣଭୟରେ ବ୍ରହ୍ମାଙ୍କ ନିକଟରେ ଉପସ୍ଥିତ ହେଲେ । ସୁନ୍ଦ ଓ ଉପସୁନ୍ଦ ବର୍ତ୍ତମାନ କୌଣସି ବାଧା ନ ପାଇ ନିର୍ବିଘ୍ନରେ ସ୍ୱର୍ଗରାଜ୍ୟ ଜୟ କଲେ । ସେମାନେ ଇନ୍ଦ୍ରଭୁବନ ଛାରଖାର କରି ସେଠାରୁ ନାନାବିଧ ମୂଲ୍ୟବାନ ଓ ଅପୂର୍ବ ପଦାର୍ଥମାନ ନିଜ ରାଜ୍ୟକୁ ଘେନି ଆସିଲେ । ତତ୍‍ପରେ ସେମାନେ ପାତାଳପୁର ଜୟ କରିବା ପାଇଁ ବାହାରିଲେ । ସେଠାରେ ସେମାନେ ଅକ୍ଳେଶରେ ନାଗମାନଙ୍କୁ ପରାସ୍ତ କଲେ । ନାନାବିଧ ମଣିମାଣିକ୍ୟଖଚିତ ସୁନ୍ଦର ପଦାର୍ଥମାନ ଜୟ କରି ପାତାଳକୁ ଛାରଖାର କରିଦେଇ ସ୍ୱରାଜ୍ୟକୁ ଫେରି ଆସିଲେ । ମର୍ତ୍ତ୍ୟକୁ ଆସି ପ୍ରଥମେ ସାଗରମାନଙ୍କୁ ଜୟ କରି ତତ୍ପରେ ସମସ୍ତ ସ୍ଥଳ ପ୍ରଦେଶ ଆକ୍ରମଣ କରିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ; କହିଲେ, ‘‘ଦେଖ, ବ୍ରାହ୍ମଣମାନେ ଯଜ୍ଞ କରି ଉତ୍କୃଷ୍ଟ ବଳୀମାନ ସମର୍ପଣ କରୁ ଅଛନ୍ତି । ସେମାନେ କଠୋର ତପସ୍ୟା କରି ନିଜ ନିଜର ତଥା ଦେବତାମାନଙ୍କର ଶକ୍ତି ବର୍ଦ୍ଧନ କରୁ ଅଛନ୍ତି । ସୁତରାଂ ସେମାନେ ରାକ୍ଷସମାନଙ୍କର ପ୍ରଧାନ ଶତ୍ରୁ ଅଟନ୍ତି । ସେମାନଙ୍କୁ ପୃଥିବୀପୃଷ୍ଠରୁ ଏକାବେଳକେ ବିଲୁପ୍ତ କରିବା ଏକାନ୍ତ କର୍ତ୍ତବ୍ୟ । ସେମାନେ ପୃଥିବୀରେ ଥିବା ପର୍ଯ୍ୟନ୍ତ ଆମ୍ଭମାନଙ୍କର କୌଣସି ମଙ୍ଗଳ ହେବ ନାହିଁ । ଅତଏବ ସମସ୍ତେ ସେମାନଙ୍କୁ ହତ୍ୟା କରିବାର ଚେଷ୍ଟା କର ।’’

 

ଏହି ଆଦେଶ ଅତ୍ୟନ୍ତ ନିଷ୍ଠୁର ହେଲେ ସୁଦ୍ଧା, ତାହା ପାଳନ ନ କରିବାକୁ କାହାର ସାଧ୍ୟ ଅଛି ? ସୈନ୍ୟମାନେ ଚତୁର୍ଦ୍ଦିଗରେ ବୁଲି ଯେଉଁଠାରେ ବ୍ରାହ୍ମଣ, ବୈଷ୍ଣବ, ସନ୍ନ୍ୟାସୀ ଆଦି ଧାର୍ମିକ ଲୋକଙ୍କୁ ଦେଖିଲେ ସେହିଠାରେ ସେମାନଙ୍କୁ ବଧ କଲେ । ସେମାନେ ମୃତ୍ୟୁ ସମୟରେ ଯେଉଁ ଶାପମାନ ଦେଲେ ତଦ୍ୱାରା ଅସୁରମାନଙ୍କର କୌଣସି ଅନିଷ୍ଟ ହୋଇ ନଥିଲା । କାରଣ ଯେଉଁଠାରେ ସ୍ୱୟଂ ବ୍ରହ୍ମାଙ୍କର ବର କାର୍ଯ୍ୟ କରୁଅଛି, ସେଠାରେ ଅନ୍ୟର ଶାପ କି ଅନିଷ୍ଟ କରିପାରେ ? ଯଜ୍ଞକୁଣ୍ଡମାନ ଭଗ୍ନ କରି ଅସୁରମାନେ ତାହା ଜଳରେ ନିକ୍ଷେପ କଲେ । ଦେବାଳୟମାନ ଚୂର୍ଣ୍ଣକରି ଭୂମିସାତ୍‌ କରି ପକାଇଲେ ।

 

ଋଷିମାନଙ୍କ ମଧ୍ୟରୁ କେହି କେହି ନିଜକୁ ଯେ କୌଣସି ପ୍ରକାର ରୂପରେ ପ୍ରକାଶିତ କରିବାର ଶକ୍ତି ଉପାର୍ଜନ କରିପାରିଥିଲେ । କେବଳ ସେହିମାନେ ଇତସ୍ତତଃ ହୋଇ ଯେ କୌଣସି ପ୍ରକାରେ ଯାହାର ଯେଉଁ ଆଡ଼େ ଇଚ୍ଛା ହେଲା ସେହିଆଡ଼େ ପଳାୟନ କଲେ । କିନ୍ତୁ ସେମାନଙ୍କର ସଂଖ୍ୟା ଅତ୍ୟଳ୍ପ ମାତ୍ର । ସ୍ଥୂଳତଃ କହିବାକୁ ଗଲେ ସମଗ୍ର ପୃଥିବୀ ଜନଶୂନ୍ୟ ହେବାକୁ ବସିଲା । କି ବ୍ରାହ୍ମଣ, କି ଶୂଦ୍ର, କି ରାଜା, କି ପ୍ରଜା, କି କୋଟିଶ୍ୱର, କି ବଳବାନ, କି ବୁଦ୍ଧିମାନ, କି ପଣ୍ଡିତ-ସମସ୍ତେ ଅକ୍ଳେଶରେ ଅସୁରମାନଙ୍କ ଦ୍ୱାରା ନିଧନ ପ୍ରାପ୍ତ ହେଲେ । ପ୍ରତ୍ୟେକର ମନରେ ସର୍ବଦା ଭୟ । କ୍ରୟ ବିକ୍ରୟ ବନ୍ଦ ହୋଇଗଲା । ବିବାହ, ଉପନୟନ ପ୍ରଭୃତି ସମସ୍ତ ଶୁଭ କାର୍ଯ୍ୟମାନ ବନ୍ଦ ହୋଇଗଲା । କ୍ଷେତ୍ରମାନ ଶସ୍ୟହୀନ ହୋଇ ପଡ଼ି ରହିଲା । ଗୋ ମହିଷାଦି ପଶୁମାନେ ପ୍ରାଣତ୍ୟାଗ କଲେ । ଯେଉଁଠାରେ ଦେଖିବ କେବଳ ହାଡ଼, ମୁଣ୍ଡ, ମୁର୍ଦ୍ଦାର ଛଡ଼ା ଆଉ କିଛି ନାହିଁ । ରକ୍ତ ପ୍ରବାହରେ ଭୂପୃଷ୍ଠ ପ୍ଳାବିତ ହେଲା । ପୃଥିବୀ ଏକାବେଳକେ ଛାରଖାର ହୋଇଗଲା ।

 

ଯେଉଁ ଋଷିମାନେ ଦୈବକ୍ରମେ ବର୍ତ୍ତିଯାଇଥିଲେ ସେମାନେ ଏ ଦୃଶ୍ୟ ଦେଖି ଅତ୍ୟନ୍ତ ଦୁଃଖିତ ଓ ଚିନ୍ତିତ ହୋଇ ବ୍ରହ୍ମାଙ୍କ ନିକଟକୁ ଗମନ କଲେଁ । ଦେବତାମାନେ ମଧ୍ୟ ଉତ୍ପୀଡ଼ିତ ହୋଇ ବ୍ରହ୍ମାଙ୍କ ନିକଟରେ ଥିଲେ । ଋଷିମାନେ ସେଠାରେ ଉପସ୍ଥିତ ହୋଇ ମର୍ତ୍ତ୍ୟର ଅବସ୍ଥା ବର୍ଣ୍ଣନା କଲେ-। ବ୍ରହ୍ମା କିଛି ସମୟ ଚିନ୍ତା କରି ଏକ ଉପାୟ ଭଦ୍ଭାବନ କଲେ । ସେ ତନ୍ମୁହୂର୍ତ୍ତ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆହ୍ୱାନ କରି କହିଲେ, ‘‘ଦେଖ, ବିଶ୍ୱକର୍ମା, ତ୍ରିଭୁବନ ମଧ୍ୟରେ ଯେତେ ସୁନ୍ଦରୀ ରମଣୀ ଅଛନ୍ତି, ସେ ସମସ୍ତଙ୍କ ଅପେକ୍ଷା ଅଧିକ ରୂପବତୀ ଗୋଟିଏ ମନୋମୋହିନୀ ରମଣୀ ତୁମ୍ଭେ ଅତିଶୀଘ୍ର ପ୍ରସ୍ତୁତ କର ।’’ ବିଶ୍ୱକର୍ମା ସଂସାରସ୍ଥ ଯାବତୀୟ ସୁନ୍ଦର ପଦାର୍ଥରୁ କିଛି କିଛି ଅଂଶ ସଂଗ୍ରହ କରି ଏକ ଅପୂର୍ବ ସୁନ୍ଦରୀ ଯୁବତୀ ରମଣୀ ପ୍ରସ୍ତୁତ କଲେ । ତାହାଙ୍କର ନାମ ରଖିଲେ ତିଳୋତ୍ତମା । ବିଶ୍ୱକର୍ମା ତିଳୋତ୍ତମାଙ୍କୁ ଅମୂଲ୍ୟ ରତ୍ନମାନଙ୍କରେ ସଜ୍ଜିତ କରି ବ୍ରହ୍ମାଙ୍କୁ ପ୍ରଦାନ କଲେ-। ତିଳୋତ୍ତମାଙ୍କର ତ୍ରିଭୁବନଦୁର୍ଲଭ ରୂପଲାବଣ୍ୟ ଓ ଯୌବନ ଶ୍ରୀ ଅବଲୋକନ କରି ଦେବତାମାନେ ମଧ୍ୟ ମୁଗ୍ଧ ହୋଇଗଲେ । ଯୁବତୀ ବ୍ରହ୍ମାଙ୍କ ପଦତଳରେ ପ୍ରଣାମ କରି କହିଲେ, ‘‘ପ୍ରଭୁଙ୍କର କି ଆଦେଶ ପ୍ରଦାନ କରନ୍ତୁ ।’’ ବ୍ରହ୍ମା କହିଲେ, ‘‘ତୁମ୍ଭେ ମର୍ତ୍ତ୍ୟକୁ ଯାଅ । ସେଠାରେ ସୁନ୍ଦ, ଉପସୁନ୍ଦ ନାମକ ଯେଉଁ ରାକ୍ଷସଭ୍ରାତା ଦ୍ୱୟ ଅଛନ୍ତି, ତାଙ୍କ ମନକୁ ମୋହିତ କରିବ । ସେମାନେ ଯେପରି ତୁମ୍ଭର ପ୍ରେମରେ ପଡ଼ି ସମସ୍ତ ବିସ୍ମୃତ ହୁଅନ୍ତି, ତାହାର ଉପାୟ କରିବ ।’’

 

ଏଣେ ଦୁଇଭାଇ ମର୍ତ୍ତ୍ୟରେ ରହି କେବଳ ଭୋଗ ବିଳାସରେ ସମୟ ଯାପନ କରୁଥିଲେ-। ସେମାନଙ୍କର ସୁଖରେ ବାଧାଦେବାକୁ ତ୍ରିଭୁବନ ମଧ୍ୟରେ ଆଉ କେହି ନାହିଁ । ସୁତରାଂ ସେମାନେ ନିର୍ଭୟରେ ଓ ନିର୍ବିବାଧରେ ମନୋମତ ବିଳାସ ଉପଭୋଗ କରିବାକୁ ଲାଗିଲେ । କେବଳ ପାନ, ଭୋଜନ ଓ ସମ୍ଭୋଗ ବ୍ୟତୀତ ଆଉ କୌଣସି ଚିନ୍ତା ସେମାନଙ୍କର ନଥିଲା । ଦିନେ ସେମାନେ ଭ୍ରମଣ କରିବା ପାଇଁ ବିନ୍ଧ୍ୟ ପର୍ବତ ଉପରକୁ ଯାଇଥିଲେ । ସେମାନେ ପର୍ବତର ଉପରିଭାଗରେ ବସି ଅଛନ୍ତି, ଚତୁର୍ଦ୍ଦିଗରେ ବିଳାସବତୀ ରୂପଯୌବନସମ୍ପନ୍ନା, ତନ୍ୱଙ୍ଗୀ, ସୁହାସିନୀ ରମଣୀମାନେ ବସି ଆମୋଦ ପ୍ରମୋଦରେ ସେମାନଙ୍କର ମନକୁ ମୁଗ୍ଧ କରୁ ଅଛନ୍ତି । ନୃତ୍ୟ, ଗୀତ ଓ ମଧୁର ଆଳାପରେ ଚତୁର୍ଦ୍ଦିଗ ମୁଖରିତ ହେଉଅଛି ।

 

ଏହିପରି ସମୟରେ ତିଳୋତ୍ତମା ସେଠାରେ ଉପସ୍ଥିତ ହେଲେ । ସେ ଖଣ୍ଡିଏ ଗୋଲାପୀ ରଙ୍ଗର ପାଟଶାଢ଼ୀ ପିନ୍ଧି ଅଳ୍ପ ନିକଟରେ ବନଫୁଲ ସବୁ ସଂଗ୍ରହ କରୁଥିଲେ । ତାହାଙ୍କର ରୂପର ତେଜରେ ଦୁଇଭାଇ ମୁଗ୍ଧ ହୋଇ ଉଭୟେ ତାହାଙ୍କ ପ୍ରତି ଅନୁରକ୍ତ ହେଲେ । ଦୁହେଁ ଏକ ସମୟରେ ନିଜ ନିଜ ସ୍ଥାନରୁ ଉଠି ପ୍ରଥମେ ତାହାଙ୍କର ହସ୍ତ ଧରିବା ପାଇଁ ଦୌଡ଼ିଲେ । ତତ୍ପରେ ଦୁହେଁ ନିଜ ନିଜ ମଧ୍ୟରେ କଳହ କରିବାକୁ ଲାଗିଲେ । ଜଣେ କହିଲା, ‘‘ସେ ମୋର, ମୁଁ ପ୍ରଥମେ ତାହାର ହସ୍ତ ଧରିଅଛି ।’’ ଆରଭାଇ କହିଲା, ‘‘ନା, ସେ ମୋର, ମୁଁ ଆଗେ ତାକୁ ଧରିଅଛି । ସେ ତୋହର ଭ୍ରାତୃପତ୍ନୀ ।’’ ଉଭୟଙ୍କ ମଧ୍ୟରେ, ଆବାଲ୍ୟରୁ ଯେଉଁ ସ୍ନେହ ସଦ୍‍ଭାବ ଥିଲା, ସେମାନେ ଏହିରୂପେ ପାଶବିକ ପ୍ରେମରେ ଅନ୍ଧ ହୋଇ ତାହା ଏକାବେଳକେ ଭୁଲିଗଲେ । ସେମାନେ ନିଜ ନିଜର ଗଦା ଧରି ପରସ୍ପରକୁ ଆକ୍ରମଣ କଲେ । ଗଦାର ଆଘାତରେ ଉଭୟଙ୍କ ଶରୀରରୁ ରୁଧିରର ସ୍ରୋତ ବହିବାକୁ ଲାଗିଲା । ପରିଶେଷରେ ଉଭୟେ ଉଭୟଙ୍କ ପଦାଘାତରେ ଭୂମିଶାୟୀ ହେଲେ । ସେମାନେ ନିଜ ନିଜର ମୃତ୍ୟୁ ପାଇଁ ବ୍ରହ୍ମାଙ୍କୁ ଯେଉଁ ବର ପ୍ରାର୍ଥନା କରିଥିଲେ, ଆଜି ତାହା କାର୍ଯ୍ୟରେ ପରିଣତ ହେଲା । ଦେବତା ଓ ବ୍ରାହ୍ମଣମାନେ ବର୍ତ୍ତମାନ ନିଷ୍କଣ୍ଟକ ହେଲେ । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଲୋକମାନେ ସୁନ୍ଦ, ଉପସୁନ୍ଦଙ୍କର ମୃତ୍ୟୁ ସମ୍ୱାଦ ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ ।

 

କାମିନୀ ପ୍ରତି ଆସକ୍ତ ହେଲେ ମନୁଷ୍ୟର କି ଦୁର୍ଦ୍ଦଶା ନ ହୁଏ ! ଏଥିରେ ଲୋକେ ଲଜ୍ଜା, ସ୍ନେହ ପ୍ରୀତି ସମସ୍ତ ଭୁଲି ଯାଇ ଅନ୍ଧ ଓ ବାତୁଳ ପରି କାର୍ଯ୍ୟ କରନ୍ତି । ଫଳରେ ସେମାନଙ୍କର ନାନାପ୍ରକାର ବିପଦ ଓ ଅନିଷ୍ଟ ଉପସ୍ଥିତ ହୁଏ ଏବଂ ଜୀବନ ସର୍ବଦା ଅଶାନ୍ତିରେ ପୂର୍ଣ୍ଣ ହୁଏ ।

Image